ପୌର ପାଳିକାର ପୌର ପରିଷଦର ପ୍ରଥମ ସାଧାରଣ ବୈଠକ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଦେଶ ବାଣ୍ଟିଲେ ନଗରପାଳ ଜୟନ୍ତୀ !

ଢେଙ୍କାନାଳ : ଢେଙ୍କାନାଳ ପୌର ପାଳିକାରେ ଦୀର୍ଘ ୩ ବର୍ଷ ପରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ନଗରପାଳ ଜୟନ୍ତୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କ ସହଯୋଗରେ ଢେଙ୍କାନାଳ ସହରର ଉନ୍ନତି କରିବା ପାଇଁ ସମସ୍ତ କାଉନସିଲର ମାନେ କାର୍ଯ୍ୟକରିବା ଆବଶ୍ୟକ ବୋଲି କହିବା ସହ ସହରର ମୁଖ୍ୟ ସମସ୍ୟାଥିବା ଡ୍ରେନେଜ ବ୍ୟବସ୍ଥାର ସୂଦୃଢ କରିବା ପାଇଁ ରହୁଥିବା ଅସୁବିଧା ଗୁଡିକ ଦୂର କରିବା ନିମନ୍ତେ ଜିଲ୍ଲାପାଳ, ଉପଜିଲ୍ଲାପାଳ ,ତହସିଲଦାର ଓ ପୌର ପରିଷଦର ସମସ୍ତ କର୍ମଚାରୀ ଓ କାଉନସିଲର ମାନଙ୍କୁ ନେଇ ଏକ ମିଳିତ ବୈଠକ କରି ଏହି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ ।

ବିଶେଷ କରି ପରିମଳ ଯୋଜନାକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବା ପାଇଁ ବର୍ତମାନ ସଫେଇ କାର୍ଯ୍ୟରେ ଲାଗିଥିବା ସଫେଇ କର୍ମଚାରୀମାନଙ୍କୁ ୱାର୍ଡର ସୀମାନେଇ ପ୍ରତ୍ୟେକ ୱାର୍ଡରେ ୧୦ଟି ସଫେଇ କର୍ମଚାରୀଙ୍କୁ ନିୟାଜିତ କରିବା ସହ କାଉନସିଲର ମାନଙ୍କ ଦସ୍ତଖତ ପ୍ରଦତ ଉପସ୍ଥାନା ଖାତା ଅନୁଯାୟୀ ଦରମା ଦେବାକୁ ପ୍ରସ୍ତାବ ଦେଇଥିଲେ । ଆବାସ ଯୋଜନାରେ ସ୍ୱଚ୍ଛତା ରଖିବାକୁ ବିଧାୟକ ଶ୍ରୀ ସାମଲ ନିର୍ବାହୀ ଅଧିକାରୀ ଅତନୁ ସାମନ୍ତଙ୍କୁ ନିର୍ଦ୍ଦେଶ ଦେବା ସହ କୌଣସି ଦୁର୍ନୀତିକୁ ପ୍ରଶ୍ରୟ ନଦେବା ପାଇଁ କହିଥିଲେ ।

ଗତ ବର୍ଷ ଠାରୁ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ବିଷୟରେ ଆଲୋଚନା ହୋଇଥିବା ବେଳେ ବିଶେଷ କରି ସହରରେ ଥିବା ୧୭ଟି ପୁଷ୍କରିଣୀ ମଧ୍ୟରୁ ୧୨ଟିର ପୁନଃରୁଦ୍ଧାର କରାଯିବା ସହ ସୌନ୍ଦର୍ଯ୍ୟକରଣ ଉପରେ ଆଲୋଚନା କରାଯାଇଥିଲା । ପୌର ପରିଷଦର ପ୍ରଥମ ସାଧାରଣ ବୈଠକରେ ସରକାରଙ୍କ ଦ୍ୱାରା ପ୍ରଦତ ମୁକ୍ତା ଯୋଜନା ଓ ସିଓର ଯୋଜନା ମାଇକ୍ରୋ କମ୍ପୋଷ୍ଟ ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ଆଲୋକପାତ କରିଥଲେ ।

ତେବେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ପୌର ପରିଷଦ ଦ୍ୱାରା ନିର୍ମାଣ ହେଉଥିବା ରାସ୍ତା, ଡ୍ରେନ, ପାର୍କ,ଜିମ, ୱାଟର ହାର୍ଭେଷ୍ଟ ପ୍ରଭୃତି ମୋଟ ୩୪୧ଟି ପ୍ରକଳ୍ପ ମଧ୍ୟରୁ ୧୩୦ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ପୌର ଯନ୍ତ୍ରୀ ଶ୍ରୀମତୀ ମିଶ୍ର ସୂଚନା ପ୍ରଦାନ କରିଥିଲେ । ଏପରିକି ଚଳିତ ବର୍ଷ ଖଣିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ କାର୍ଯ୍ୟ କରାଯାଉ ଥିବାର କହିଥିଲେ । ପ୍ରାରମ୍ଭରେ ଢେଙ୍କାନାଳ ସହରରେ ଥିବା ପୁରୁଣା ମେଡିକାଲକୁ ସିଟି ହସ୍ପିଟାଲର ମାନ୍ୟତା ଦେବା ଓ ସହରର ସୌନ୍ଦର୍ଯ୍ୟ କରଣ ପାଇଁ ସହରର ମୁଖଶାଳାରେ ୫ଟି ପ୍ରବେଶ ଦ୍ୱାର,୧୦ଟି ବିଶ୍ୱସ୍ତରୀୟ ଟଏଲେଟ ନିର୍ମାଣ କରାଯିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରରେ ଆବଶ୍ୟକ ଜଳଛତ୍ର ଖୋଲା ଯିବା ସହିତ ବସ୍ତି ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବା ଉପରେ କାଉନସିଲର ମାନେ ଗୁରୁତ୍ୱାରୋପ କରିଥିଲେ । ଏପରିକି ସହରରେ ଥିବା ବଡ ବଡ ଡ୍ରେନ ଗୁଡିକ ଉପରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ଉଠା ଦୋକାନୀ ମାନଙ୍କୁ ଥଇଥାନ କରାଯିବା ଉପରେ ଆଲୋଚନା ହୋଇଥିଲା ।ପରେ ନଗରପାଳ ଶ୍ରୀମତୀ ପାତ୍ରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।

ଏହି ବୈଠକରେ ନଗରପାଳ ଶ୍ରୀମତୀ ପାତ୍ର ଓ ବିଧାୟକ ଶ୍ରୀ ସାମଲଙ୍କ ସହିତ ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ରାନ୍ତ ଦଳେଇ, ସହକାରୀ ଯନ୍ତ୍ରୀ ଶ୍ରୀଲକ୍ଷ୍ମୀ ମହାପାତ୍ର ଓ ସମସ୍ତ ନବ ନିର୍ବାଚିତ କାଉନସିଲର ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × 2 =