କୈଳାସ ଙ୍କ ପାଇଁ ସରକାରୀ ଯୋଜନା ସାତସପନ…..
ଢ଼େଙ୍କାନାଳ: ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି। କୋଟିକୋଟି ଟଙ୍କା ମଧ୍ୟ ସେଥିରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ସେ ଯୋଜନା ଗରିବ ଶ୍ରେଣୀର ଲୋକ ଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହାଫଳରେ ଗରିବ ଲୋକଟିଏ ଅସନ୍ତୋଷ ପ୍ରକାଶ କରିବା ସହ ଭାଗ୍ୟ କୁ ଆଦରି ପଡ଼ି ରହୁଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଳକ୍ କାରନ୍ଦା ପଞ୍ଚାୟତ କାରନ୍ଦା ଗ୍ରାମରେ। କାରନ୍ଦା ଗ୍ରାମ ବଡ଼ ସାହିର ବାସିନ୍ଦା କୈଳାସ ସାହୁ (୭୦) ଓ ଚତୁରୀ ସାହୁ (୬୦) ଉଭୟ ଦମ୍ପତ୍ତି ପରିଣତ ବୟସରେ ପହଞ୍ଚିଲେଣି ଅଥଚ ଏପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡେ ମିଳିନାହିଁ। ଆଶା ଭରସା ବୋଲି ତାଙ୍କର କେହି ନାହିଁ। ବଡ଼ ଦୁଃଖ ଆଉ ପରିତାପର ବିଷୟ କି ଯାହାର ଘର ଅଛି ତାକୁ ଘର ମିଳୁଛି ଅଥଚ କୈଳାସ ଭଙ୍ଗା ଦଦରା ଚାଳ ଛପର ଘରେ ଦିନ କାଟୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡେ ମିଳିନାହିଁ। ଘର ଟିଏ ପାଇଁ ନେତା ଠାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନାହାଁନ୍ତି । ତେଣୁ ଭାଗ୍ୟକୁ ଆଦରି ସେହି ଭଙ୍ଗା ଦଦରା ବିପଦପୂର୍ଣ୍ଣ ଚାଳ ଛପର ଘରେ ପଡ଼ି ରହିଛନ୍ତି। ହେଲେ ଦଇବ ସାଜିଲା ଭଗାରୀ। କୈଳାସ ରହୁଥିବା ସେ ଭଙ୍ଗା ଦଦରା ଘର ଲଘୁଚାପ ର ଲଗାଣ ବର୍ଷାରେ ଘରର କାନ୍ଥ ଭାଙ୍ଗି ଭୁଶୁଡ଼ି ପଡିଲା । ଯାହାଫଳରେ ସେ ପର ଘରେ ଆଶ୍ରୟ ନେଇଛନ୍ତି। କୈଳାସ ଙ୍କୁ ତୁରନ୍ତ ଆବାସ ଯୋଜନା ମାଧ୍ୟମରେ ଘର ଖଣ୍ଡେ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ଆମ୍ଭେ କାରନ୍ଦା ପଞ୍ଚାୟତ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇପାରିନଥିଲା। ଦେଖିବାକୁ ବାକି ରହିଲା ଏ ଖବର ପ୍ରକାଶ ପାଇବା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ପ୍ରଶାସନର ନିଦ ଭାଙ୍ଗୁଛି କି ନାହିଁ।