ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !

ଜୀବିତ ଅସହାୟ ମହିଳାଙ୍କୁ ମୃତ ଦର୍ଶାଇ କାଟିଦେଲେ ଅନ୍ତୋଦୟ କାର୍ଡ଼, ଦୃଢ଼ କାର୍ଯାନୁଷ୍ଠାନ ଦାବି !

ଢ଼େଙ୍କାନାଳ : ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ଅନ୍ତୋଦୟ କାର୍ଡ଼ ମାଧ୍ୟମରେ ୩୫ କେଜି ଚାଉଳ ପ୍ରଦାନ କରୁଛନ୍ତି। କିନ୍ତୁ ବଡ଼ ଦୁଃଖର ବିଷୟ କି ଦୀର୍ଘ ୧୮ ମାସ ହେବ ଜଣେ ବିଧବା ମହିଳାଙ୍କୁ ଉକ୍ତ ଯୋଜନାରୁ ବଞ୍ଚିତ କରାଯାଇଛି। ଯାହାଫଳରେ ସେ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କୁଟୁଣିଆ ପଞ୍ଚାୟତ ଅନ୍ତର୍ଗତ ଗୁଆଗରିଆ ଗ୍ରାମର ସାବିତ୍ରୀ ପ୍ରଧାନ ଜଣେ ଅସହାୟ ବିଧବା ମହିଳା। ପରିବାର କହିଲେ ତାଙ୍କର କେହି ନାହାନ୍ତି। ସେ ଏଠି ସେଠି ମୂଲମଜୁରୀ କରି ପେଟକୁ ଦାନା ଯୋଗାଡ କରିଥାଆନ୍ତି। ଅନ୍ତୋଦୟ କାର୍ଡ଼ ପାଇବା ଦିନ ଠାରୁ ସେ ୩୫ କିଲୋ ଚାଉଳ ପାଇ ଆସୁଥିଲେ। ମାତ୍ର ୨୦୨୩ ମସିହା ମାର୍ଚ୍ଚ ମାସ ପର ଠାରୁ ସେ ଆଉ ଚାଉଳ ପାଉନାହାନ୍ତି। ଏ ନେଇ ଡିଲର ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଯାଇ ହିନ୍ଦୋଳ ଯୋଗାଣ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲେ । ଏବଂ ସେଠାରେ ଜାଣିବାକୁ ପାଇଥିଲେ କି ସାବିତ୍ରୀ ପ୍ରଧାନ ମୃତ ହୋଇଥିବା ସୂଚନା ଥିବାରୁ ତାଙ୍କର ଅନ୍ତୋଦୟ କାର୍ଡଟି କାଟିଦିଆଯାଇଛି। ଏ କଥା ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଜଣେ ଜୀବିତ ଥାଉ ଥାଉ ତାଙ୍କୁ କେମିତି ମୃତ ସୂଚନା ମିଳିଲା । ତେବେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଦେଢ଼ ବର୍ଷ ହେଲା ସେ ଚାଉଳ ପାଇପାରୁନାହାନ୍ତି। କିପରି ଜଣେ ଜୀବିତ ମହିଳା ଙ୍କୁ ଯୋଗାଣ ବିଭାଗ ଅଧିକାରୀ ମୃତ ଦର୍ଶାଇ ଅନ୍ତୋଦୟ କାର୍ଡ଼ କାଟିଲେ ଏବଂ ସେ ଜୀବିତ ଥିବା ଜାଣିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି କୌଣସି ପଦକ୍ଷେପ ଗ୍ରହଣ ନକଲେ ତାହା ଏବେ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଜୀବିତକୁ କିଏ ଓ କାହିଁକି ମୃତ ଦର୍ଶାଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅସହାୟ ସାବିତ୍ରୀ ଙ୍କୁ ଅନ୍ତୋଦୟ ଯୋଜନାରେ ପୂର୍ବ ଭଳି ୩୫ କିଲୋ ଲେଖାଏଁ ଚାଉଳ ପ୍ରଦାନ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

Leave A Reply

Your email address will not be published.

5 × three =