ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୪ ଉଦଘାଟିତ !

ଢେଙ୍କାନାଳ : ମହିଷାପାଟ ସ୍ଥିତ ପଡିଆରେ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା – ୨୦୨୪ ଉଦଘାଟିତ ହେଇଯାଇଅଛି l ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ l ଏହି ଅବସରରେ ସେ ଢେଙ୍କାନାଳ ମାଟି ର ଗର୍ବ ଓ ଗୌରବ ଓ ସମୃଦ୍ଧ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ l ଏହା ସହ ଢେଙ୍କାନାଳର ବୀର ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଙ୍କ ବଳିଦାନ ସମ୍ପର୍କରେ କହିଥିଲେ l ଉତ୍ସବ ର ମୁଖ୍ୟ ଆକର୍ଷଣ ମା’ ଗଜଲକ୍ଷ୍ମୀ ପୂଜା ଓ ପଲ୍ଲିଶ୍ରୀ ମେଳା ସମ୍ପର୍କ ରେ କହିଥିଲେ ଏବଂ ଏହି ବର୍ଷ ମେଳାର ବ୍ୟବସାୟ ୫ କୋଟି ରୁ ଉର୍ଦ୍ଧ ହେବ ବୋଲି ସେ ଆଶାବାଦୀ ବୋଲି କହିଥିଲେ l ଏହି ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଯୋଗଦେଇ ମା ଗଜଲଷ୍ମୀ ଙ୍କ ପୂଜାର ମହତ୍ୱ ବିଷୟରେ କହିଥିଲେ l ଏହାସହିତ ଜିଲ୍ଲାର ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛି ଏବଂ ଆଗାମୀ ଦିନରେ ଆହୁରି ଉନ୍ନତିମୂଳକ କାର୍ଯ୍ୟକ୍ରମ ମାନ ଜିଲ୍ଲାରେ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ l ଏହି ଉତ୍ସବରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌରପାଳିକା ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇଥିଲେ l ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସଭାର ସଭାପତିତ୍ୱ କରିଥିଲେ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଡେପୁଟି ସିଇଓ ଓରମାସ ଅଶ୍ୱିନୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲର l କାର୍ଯ୍ୟକ୍ରମର ପରିଚାଳନା ଅବନୀ କୁମାର ମିଶ୍ର କରିଥିଲେ l ଓରମାସ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ମିଳିତ ସହଯୋଗରେ ଏହି ମେଳା ଆୟୋଜନ ହେଉଛି । ଗ୍ରାମୀଣ ସ୍ଵୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଉତ୍ପାଦକ ସଂଘମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ଗୁଡିକର ପ୍ରଦର୍ଶନୀ ଏବଂ ବିପଣନ ଦିଗରେ ସୁଯୋଗକୁ ସମ୍ଭାବନାରେ ସୃଷ୍ଟି କରୁଛି ପଲ୍ଲିଶ୍ରୀ ମେଳା । ଗ୍ରାମାଞ୍ଚଳରେ ବସବାସ କରୁଥିବା କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ସିଧାସଳଖ ଗ୍ରାହକ ଓ ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା ଏବଂ ଏହି ଜିନିଷ ଗୁଡିକର ବଜାରରେ ଚାହିଦା ସୃଷ୍ଟି କରିବା, ଏହା ସହିତ ଖାଉଟି ମାନଙ୍କ ଦ୍ବାରା ଆଲୋଚନା ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ଜାଣି ସାମଗ୍ରୀର ମୂଲ୍ୟଯୁକ୍ତ କରାଇବା ଏବଂ ଖାଉଟି ମାନଙ୍କୁ ସନ୍ତୁଷ୍ଟ କରାଇବା ହେଲା ପଲ୍ଲିଶ୍ରୀ ମେଳାର ମୁଖ୍ୟ ଉଦ୍ଦେଶ୍ୟ l ପ୍ରତିବର୍ଷ ଢେଙ୍କାନାଳ ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଏହି ମେଳା ଆୟୋଜନ କରାଯାଉଅଛି । ୨୦୨୩ ବର୍ଷରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଥିଲା, ଯେଉଁଥୁରେ ଭାରତ ବର୍ଷର ୧୪ଟି ରାଜ୍ୟ ଏବଂ ଓଡିଶାର ୩୦ଟି ଜିଲ୍ଲାର କାରିଗର ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିଲେ ଏବଂ ଟ. ୩.୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର କାରବାର ହୋଇଥିଲା ।
ଚଳିତ ବର୍ଷ ମୋଟ ୨୫୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଅଛି ଏବଂ ୧୫ଟି ଖାଦ୍ୟ ଷ୍ଟଲର ମଧ୍ଯ ଆୟୋଜନ କରାଯାଇଅଛି । ଓଡିଶାର ୩୦ଟି ଜିଲ୍ଲା ସମେତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଗୁଜୁରାଟ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆସାମ, ମଣିପୁର, ମଧ୍ୟ ପ୍ରଦେଶ ଆଦି ରାଜ୍ୟର କାରିଗର ଓ ସ୍ବୟଂ ସହାୟକ ଗୋଷ୍ଠୀମାନେ ଭାଗ ନେଇଛନ୍ତି । ସରକାରଙ୍କର ବିଭିନ୍ନ ବିଭାଗ ଯଥା- ହସ୍ତ ଓ କୁଟୀର ଶିଳ୍ପ ବିଭାଗ, ଜିଲ୍ଲା ଶିଳ୍ପ ବିଭାଗ, ଜିଲ୍ଲା ଶିଶୁ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ଜଳ ବିଭାଜିକା ବିଭାଗ, ଜଙ୍ଗଲ ବିଭାଗ, ମିଶନ ଶକ୍ତି ବିଭାଗ ଆଦି ଏଠାରେ ଭାଗ ନେଇଛନ୍ତି । ୧୭ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ନଅ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

Leave A Reply

Your email address will not be published.

13 + 10 =