ଢ଼େଙ୍କାନାଳ : ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଆଜି ସନ୍ଧ୍ୟାରେ ଶାନ୍ତି କମିଟି ର ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗତା,କାମାକ୍ଷା ନଗର ଏସ ଡି ପି ଓ ପ୍ରଭାତ କୁମାର ତ୍ରିପାଠୀ,ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା,ଥାନାଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ ଙ୍କ ସମେତ ଦଶହରା ବଳଦ କମିଟି ସଭାପତି ଦିଲ୍ଲୀପ କୁମାର ଦାସ, ମାତୃ ପ୍ରସାଦ ମିଶ୍ର,ବିଶ୍ଵନାଥ ସାହୁ,ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, କାଳୀ ବଜାର ସଭାପତି ସମୀର କୁମାର ସାହୁ,ନିରଞ୍ଜନ ପୃଷ୍ଟି , ବଳଦିଆ କମିଟି ଓ ଦୁର୍ଗାପୂଜା କମିଟି ସଦସ୍ୟ ଯୋଗଦେଇ ବଳଦ ଯାତ୍ରା, ରାବଣ ପୋଡ଼ି ଓ ଦୁର୍ଗା ମେଢ଼ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଆଲୋଚନା କରିଥିଲେ ।ଦଶହରା ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ କୁ ଦୃଷ୍ଟିରେ ବଳଦ ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ୨୫ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ଶେଷ କରିବାକୁ ଜୋର୍ ଦିଆଯାଇଥିଲା । ରାବଣ ପୋଡ଼ି ପରେ ପ୍ରସିଦ୍ଧ ବଳଦ ଯାତ୍ରା ଓ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ୨୬ ତାରିଖ ସକାଳ ୬ ଘଟିକା ସୁଦ୍ଧା ସମସ୍ତ ବଳଦ ନୂଆ ବଜାର ଅତିକ୍ରମ କରିବେ ଓ ୭ ଘଟିକlରେ ଦୁର୍ଗା ମେଲଣ ଅନୁଷ୍ଠିତ ହୋଇ ଭସାଣି ଉତ୍ସବ ଶେଷ କରିବାକୁ ନିଷ୍ପତି ନିଆଯାଇଥିଲା ।