ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ !

* ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ଜରୁରୀ : ଜିଲ୍ଲାପାଳ

* ପରିବର୍ତ୍ତନ ହେଇଛି ବିଶ୍ୱ ଗଣ ମାଧ୍ୟମ ର ଚିତ୍ର : ଆଇଆଇଏମସି ନିର୍ଦେଶକ

ଢେଙ୍କାନାଳ : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଛି । ସମାରୋହରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇବ ସହ କହିଥିଲେ ଗଣମାଧ୍ୟମ ହେଉଛି ସମାଜର ଦର୍ପଣ, ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ । ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମ ସଠିକ୍‌ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୁଅନ୍ତି, ସେମାନେ ହେଉଛନ୍ତି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଉକ୍ତ ବର୍ଷର ବିଷୟବସ୍ତୁ “ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ” ସାମ୍ପ୍ରତିକ ନୂତନ ଡିଜିଟାଲ୍/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ବିଭିନ୍ନ ଡିଜିଟାଲ ଉପକରଣର ବ୍ୟବହାର କରି ସୂଚନାକୁ ଯଥାଶୀଘ୍ର ଲୋକଙ୍କୁ ପରିବେଷଣ କରିବା ସହ ସାମ୍ବାଦିକତାର ବିକାଶ ଉପରେ ଆଲୋକପାତ କରେ | ବିଭିନ୍ନ ପରିବର୍ତ୍ତନଗୁଡିକ ସତ୍ତ୍ୱେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ ତଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର । ତେଣୁ ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକତାର ମୂଳମନ୍ତ୍ରକୁ ପାଥେୟ କରି କାର୍ଯ୍ୟକରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନ ସହିତ ସମନ୍ଵୟ ରଖି କାର୍ଯ୍ୟ କରିବା ଉଭୟଙ୍କ ପାଇଁ ନିହାତି ଜରୁରୀ । କାର୍ଯ୍ୟକ୍ରମରେ ଆଇଆଇଏମସି ର ଆଞ୍ଚଳିକ ନିର୍ଦେଶକ ଶ୍ରୀ ଆନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ସମ୍ବାଦିକତା ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ପ୍ରଦାୟକୁ ସଂଯୋଗ କରିବା ସହ ସମାଜକୁ ଅବଗତ କରାଇବାରେ ଗଣମାଧ୍ୟମ ପରତିନିଧିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ,ତେଣୁ ସମୟର ତାଳ ସହ ତାଳ ମିଶାଇ ନିଜର କୌଶଳକୁ ପରିବର୍ତ୍ତନ କରିବା ଆବଶ୍ୟକ।ଏହାସହିତ ଆଜିର ଯୁଗରେ ଗଣମାଧ୍ୟମ ର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଅଟେ l ବର୍ତ୍ତମାନର ପିଢ଼ି ସୋସିଆଲ ମିଡ଼ିଆ ଉପରେ ଅଧିକ ନିର୍ଭରଶୀଳ ଯାହାଫଳରେ ଛପା ଗଣମାଧ୍ୟମ ବହୁତକାଂଶ ରେ କ୍ଷତି ସହୁଛି l ତେଣୁ ପୁଣିଥରେ ଆଜିର ଯୁବପିଢ଼ିକୁ ଏହି ବିଷୟରେ ସଚେତନ କରାଇବା ଆମର କର୍ତ୍ତବ୍ୟ ଅଟେ l ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୁଲ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଭାବେ ପ୍ରଦ୍ୟୁମ୍ନ ରଥ, ଅମୀୟ ଚାନ୍ଦ, ପ୍ରତାପ ବରାଳ, ରତନ ନାୟର, ସତ୍ୟ ସ୍ୱରୂପ ଦାସ,ଓ ଆଇଆଇଏମସି ର ଆସୋସିଏଟ ପ୍ରଫେସର ଡ଼ଃ ବିରଞ୍ଚି ନାରାୟଣ ସେଠ ଜାତୀୟ ପ୍ରେସ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ବିଷୟରେ ବୁଝାଇ କହିବା ସହିତ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ସମ୍ବାଦିକତାର ଗାରିମାକୁ ବଜାଇରଖିବା, ଦାୟିତ୍ୱ ସମ୍ପର୍ଣ୍ଣ ସାମ୍ବାଦିକତା କରିବା ଏବଂ ଏକତ୍ରିତ ହୋଇ ପ୍ରସାଶନ ସହ ସମନ୍ଵୟ ରଖି କାର୍ଯ୍ୟ କରିବା ପାଇଁ କହିଥିଲେ । ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଭିଷେକ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + 7 =