ଢେଙ୍କାନାଳ: ଦୀର୍ଘ ଶହେ ସତୁରୀ ବର୍ଷର ପାରମ୍ପରିକ ଇତିହାସକୁ ଧାରଣ କରି ଢେଙ୍କାନାଳ ଜାଉଁଳି ପୋଖରୀ ମଠ ଏବେବି
ଦଣ୍ଡାୟମାନ । ଅବଶ୍ୟ ଏବେ ପୁରୁଣା ଦିନର ସେଇ କୋଳାହଳ ଆଉ ନାହିଁ । ଦିନଥିଲା ଏହି ମଠର ଥିଲା ପାଂଚ ହଜାର ଏକର
ଚାଷ ଜମି । ଭଣ୍ଡାର ଘର ପରିପୂର୍ଣ୍ଣ ରହୁଥିଲା । ସାଧୁ, ସନ୍ନ୍ୟାସୀ, ଅତିଥି ଅଭ୍ୟାଗତଙ୍କର ଭିଡ ଲାଗି ରହୁଥିଲା । ଏମିତି ଏକ
ଐତିହ୍ୟ ସଂପନ୍ନ ମଠ ପରିଦର୍ଶନରେ ରବିବାର ଯାଇଥିଲେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ସଦସ୍ୟ ଗଣ । ୧୮୫୪ ମସିହାରେରାଜା ଭଗିରଥ ମହିନ୍ଦ୍ର ବାହାଦୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ରାମାନୁଜ ସଂପ୍ରଦାୟ ମଠର ମହନ୍ତ ବ୍ରହ୍ମାନନ୍ଦ ମହାରାଜ ଐତିହ୍ୟ ପଦଯାତ୍ରୀଙ୍କୁସ୍ୱାଗତ କରିବା ସହିତ ମଠର ଇତିହାସ,ପରମ୍ପରା ଏବଂ ରୀତିନୀତି ବିଷୟରେ ବିସ୍ତ୍ରୃତ ସୂଚନା ଦେଇଥିଲେ । ଏଠାରେ ପ୍ରଭୁଶ୍ରୀରାମ, ମାତା ଜାନକୀ , ପ୍ରଭୁ ଲକ୍ଷ୍ମଣ ଓ ହନୁମାନଜୀଉ ପୂଜା ପାଉଥିବାବେଳେ ମଠରେ ଗୋପୀରଥ ବା ମଦନରଥ ନାମରେ ଏକବିରଳ କଳାକୃତି ରହିଛି । ଏପରି ଏକ କଳାକୃତି କେବଳ ପୁରୀ ଶ୍ରୀମନ୍ଦିର ଜଗମୋହନରେ ଦେଖିବାକୁ ମିଳିଥାଏ । ଏହାଛଡା
ମଠରେ କାଷ୍ଠ ନିର୍ମିତ ଓଡିଶାର ସର୍ବବୃହତ ଏକ କାରୁକାର୍ଯ୍ୟ ଖଚିତ ସୁନ୍ଦର ଝୁଲଣ ରହିଛି । ମଠର ସମ୍ମୁଖଭାଗରେ ଦୁଇଟି ବିସ୍ତିର୍ଣ୍ଣ
ପୋଖରୀ ରହିଛି, ଯାହା ଜାଉଁଳି ପୋଖରୀ ନାମରେ ପରିଚିତ । ମଠ ପରିସରରେ ପୂର୍ବତନ ସ୍ୱର୍ଗବାସୀ ମହନ୍ତ ମାନଙ୍କର ସମାଧି
ଗୁଡିକ ମଧ୍ୟ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ରୋଷଘର ,ସାଧୁ ସନ୍ନ୍ୟାସୀ ଙ୍କ ପାଇଁ ଆବାସ ଏବଂ ଅନ୍ୟାନ୍ୟ
ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକ ପଦଯାତ୍ରୀ ମାନେ ବୁଲି ଦେଖିବା ସହ ତଥ୍ୟ ସଂଗ୍ରହ କରିଥିଲେ । ସନ୍ନ୍ୟାସୀ ପ୍ରଭୁପାଦ ମହାରାଜ
ପଦଯାତ୍ରୀ ମାନଙ୍କୁ ତଥ୍ୟ ପ୍ରଦାନରେ ସହଯୋଗ କରିଥିଲେ । ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଆବାହକ ଅଧ୍ୟାପକ ସୁରେଶ
ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଭାରତୀୟ ଜନ ସଂଚାର ସଂସ୍ଥାନର ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି
ପ୍ରସନ୍ନ ପଟ୍ଟନାୟକ, ଐତିହାସିକ ଡଃ ଭବାନୀ ଶଂକର ମିଶ୍ର, ଡଃ ମଳୟ ପତି, ଅଧ୍ୟାପକ ଶାନ୍ତନୁ ନାୟକ, ସୁନୀତା ମହାପାତ୍ର,
ନାରାୟଣ ପଟ୍ଟନାୟକ, ଶିକ୍ଷାବିତ୍ ବିପିନ ପାଣି, ପ୍ରସାନ୍ତ ତ୍ରିପାଠୀ, ଆଦିତ୍ୟ ମିଶ୍ର, ସ୍ୱର୍ଣ୍ଣଲତା ସେଠୀ, ରମେଶ ପତି, ମନମୋହନ
ମହାପାତ୍ର, ଧିରେନ୍ ମିଶ୍ର, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭାରତୀୟ ଜନ ସଂଚାର ସଂସ୍ଥାନର ଅନେକ ଛାତ୍ରଛାତ୍ରୀ
ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।
Prev Post