ଢେଙ୍କାନାଳ : କବି ବ୍ରଜନାଥ ବଡଜେନାଙ୍କର ୨୯୨ବର୍ଷ ଜୟନ୍ତୀ ଲେଖକ ସଂସଦ ଭବନରେ ମହାସମାରୋହରେ ପାଳିତ ହୋଇଥିଲା ।
ପ୍ରଥମ ଅଧିବେଶନରେ ଉପସଭାପତି ସାରଙ୍ଗଧର ମିଶ୍ରଙ୍କ ସଭାପତିତ୍ୱ ଓ ଅଞ୍ଜନା ମିଶ୍ର ଓ ଉପମା ସାମଲଙ୍କର ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ସେଥିରେ ୬୦ଜଣ କବି କବିତା ପାଠ କରିଥିଲେ । ଦ୍ୱୀତୟ ଅଧିବେଶନରେ ଭିକାରୀ ଚରଣ ରାଉତଙ୍କ ସଭାପତିତ୍ୱରେ ପ୍ରଶାସନିକ ଅଧିକାରୀ ଡ. ଧରଣୀଧର ନାଥ ମୁଖ୍ୟ ଅତିଥି, ଅଧ୍ୟାପକ ଡ. ବିରଞ୍ଚି ସାମଲ ମୁଖ୍ୟବକ୍ତା, ସାରଙ୍ଗଧର ମିଶ୍ର ପ୍ରାକ୍କଥନ କରିଥିବାବେଳେ ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ ସ୍ୱାଗତଭାଷଣ କରିଥିଲେ ।
ପରିଚାଳନା ସମ୍ପାଦକ ହୃଦାନନ୍ଦ ଦ୍ୱିବେଦୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦୀପ୍ତିମୟୀ ଲେଙ୍କା ସଂଯୋଜନା କରିଥିଲେ । ବକ୍ତାମାନେ ବ୍ରଜନାଥ ଗଦ୍ୟ ସାହିତ୍ୟର ଆଦିସ୍ରଷ୍ଟା ଭାବେ ଚତୁର ବିନୋଦ ଗଳ୍ପ ଲେଖିଥିଲେ ଓ ପ୍ରଥମ ସମର କାବ୍ୟ “ସମର ତରଙ୍ଗ’ ଲେଖି ସୃଜନଶୀଳତାର ରଙ୍ଗରେ ବୁଦ୍ଧିମନ୍ତ କରିଥିଲେ । ବ୍ରଜନାଥ କାବ୍ୟ କବିତା ମଧ୍ୟରେ ବିଚକ୍ଷଣା, ବିଦେଶ ଅନୁଚିନ୍ତା, ଗୋପି ବିଳାସ, ଅମ୍ବିକା ବିଳାସ, ରାଜସଭା ଜଣାଣ ଓ ସଙ୍ଗୀତ ଲେଖି ଓଡିଆ ସାହିତ୍ୟର କବିତ୍ୱର ପରାକାଷ୍ଠା ପ୍ରତିବାଦନ କରିଥିଲେ ।
ସେ ଛଅଗୋଟି ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ । ତେଣୁ ସେ ଜଣେ ଅବିସ୍ମରଣୀୟ ପ୍ରବାଦପୁରୁଷ ଭାବେ ଚିରସ୍ମରଣୀୟ ରହିବେ । ଲକ୍ଷ୍ମୀଧର ନାୟକ ଓ ସାଥିମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।