ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !

ଅସହାୟ ବୃଦ୍ଧାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ ପକ୍କାଘର

ଭୁବନ ବ୍ଲକର ଅସୁରବନ୍ଧ ପାଟଣାର ଫୁଲ ବେହେରାଙ୍କ ଦୁର୍ଦଶା, ବ୍ଲକ ଅଧିକାରୀଙ୍କ କହିଲେ ଅନୁସନ୍ଧାନ ହେବ

ଢେଙ୍କାନାଳ, ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅଧୀନ ଭୂଷଳ ଗ୍ରାମପଞ୍ଚାୟତର ଅସୁରବନ୍ଧ ପାଟଣା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୮୦ ବର୍ଷିଆ ଗରିବ ବିଧବା ମହିଳା, ଫୁଲ ବେହେରା, ଦୀର୍ଘ ଦିନ ଧରି ସରକାରୀ ଘର ଯୋଜନା ଅଧୀନରେ ପକ୍କାଘର ପାଇବା ପାଇଁ ଅପେକ୍ଷା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ।

ବୃଦ୍ଧା ଫୁଲ ବେହେରା ଝାଟିମାଟି ଚାଳଛପର କୁଡ଼ିଆରେ ରହୁଛନ୍ତି। ବର୍ଷାରେ ଛାଦ ଝରୁଛି, ଖରାରେ ତପ୍ତ ହେଉଛି। ପ୍ରାୟ ଦଶ ବର୍ଷ ଧରି ସେ ଭୁବନ ବ୍ଲକ କାର୍ଯ୍ୟାଳୟର ଚକ୍କର କଟୁଛନ୍ତି, କିନ୍ତୁ ତାଙ୍କ ଗୁହାରିକୁ କେହି ଶୁଣି ନାହାନ୍ତି।

ଏହି ବର୍ଷ ସେ ପୁଣିଥରେ ପକ୍କାଘର ପାଇଁ ଆବେଦନ କରିଛନ୍ତି, କିନ୍ତୁ ତାଙ୍କ ମନରେ ଆଶା ଅତ୍ୟନ୍ତ କମ। ଖଣ୍ଡିଏ ଜରି ପାଲ ପାଇଁ ନିକଟସ୍ଥ ଆରଆଇଙ୍କୁ ଜଣାଇଲେ, ଯିଏ ତାଙ୍କୁ ଏତେ ଛୋଟ ଜରି ଦେଇଛନ୍ତି ଯେ “ସମୁଦ୍ରକୁ ଶଙ୍ଖେ ଭଳି” ଏପଟେ ଦେଲେ ସେପଟେ ଫାଙ୍କା ହେଇଯାଉଛି।

ଏହି ବିଷୟରେ ଭୁବନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁସୀ ମହାପାତ୍ର କହିଛନ୍ତି — “ଆମେ ଏହାର ଅନୁସନ୍ଧାନ ନିଶ୍ଚୟ କରିବୁ। ଯଦି ସେ ଯୋଗ୍ୟ ହେବେ, ତେବେ ତାଙ୍କୁ ଅନ୍ତୋର୍ଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।”

ନୂଆ ସରକାର ଲୋକଙ୍କ ସରକାର ବୋଲି ଯେପରି କୁହାଯାଉଛି, ଏହି ଅସହାୟ ବିଧବା ବୃଦ୍ଧାଙ୍କ ଦୁଃଖ କେବେ ସରକାରୀ ନଜରକୁ ପଡ଼ିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.

15 + 8 =