ପ୍ରଶାସନର ଦୃଷ୍ଟି ଆଢୁଆଳରେ ସହିଦ ମାଟିଆ ବେହେରା !

ଢେ଼ଙ୍କାନାଳ ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଭୂଷଣ ପଞ୍ଚାୟତ ଚଣ୍ଡୀପାଳ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସହିଦ୍ ମାଟିଆ ବେହେରାଙ୍କୁ ଭୁଲି ଯାଇଛି ପ୍ରଶାସନ। ବ୍ଳକ୍ କାର୍ଯ୍ୟାଳୟରେ ରହିଥିବା ସହିଦ୍ ସ୍ତମ୍ଭରେ ସଂଗ୍ରାମୀ ନରହରି ସାହୁ,ମାଟିଆ ବେହେରା ଓ ମହନ୍ତ ପ୍ରଧାନଙ୍କ ନାମ ଖୋଦିତ ହୋଇଛି। ମାତ୍ର ପ୍ରଶାସନ ପକ୍ଷରୁ ସହିଦ ମାଟିଆ ବେହେରାଙ୍କୁ ଯେଭଳି ସମ୍ମାନ ଦିଆଯିବା କଥା ତାହା ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ ଭୁବନରେ ତାଙ୍କ ପ୍ରତିମୂର୍ତ୍ତି ଟିଏ ସ୍ଥାପନ ହୋଇପାରିନି। ଯାହାକୁନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭୁବନ ସହରଠାରୁ ମାତ୍ର ୬ କିମି ଦୂର ବ୍ରାହ୍ମଣୀ ନଦୀ କୂଳରେ ରହିଛି ମାଟିଆ ବେହେରାଙ୍କ ଜନ୍ମସ୍ଥାନ ଚଣ୍ଡୀପାଳ ଗାଁ। ଗଡ଼ଜାତ ଆନ୍ଦୋଳନରେ ସେ ସାମିଲ୍ ହୋଇ ଇଂରେଜ ମାନଙ୍କ ବିରୋଧରେ ଜୋରଦାର୍ ସଂଗ୍ରାମ କରିଥିଲେ। ପ୍ରଜା ଆନ୍ଦୋଳନର ସେ ପ୍ରମୁଖ ସିପାହୀ ଥିଲେ। ୧୯୩୮ରେ ପ୍ରଜାମଣ୍ଡଳ ଆନ୍ଦୋଳନ ପ୍ରଭାବ ଢେଙ୍କାନାଳ ଗଡ଼ଜାତି ଅଞ୍ଚଳରେ ଜୋର ଧରିଥିଲା। ପରେ ଏହା ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ତତ୍କାଳୀନ ରାଜା ସେତେବେଳେ ଆନ୍ଦୋଳନକାରୀଙ୍କୁ ରାଜଦ୍ରୋହୀ ଘୋଷଣା କରି ଅତ୍ୟାଚାର କରୁଥିଲେ। ଏହି ଆନ୍ଦୋଳନରେ ସାମିଲ୍ ମାଟିଆ ବେହେରା ପୋଲିସ୍ ହାତରେ ଧରାପଡ଼ି ଗାଁ ଦାଣ୍ଡରେ ବନ୍ଧୁକ ବ୍ୟାନଟ୍ ମାଡ଼ରେ ସେ ସହିଦ ହୋଇଥିଲେ। ସହିଦ ତାଲିକାରେ ତାଙ୍କ ନାଁ ରହିଥିବା ବେଳେ ସ୍ମୃତିରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ବିଶେଷ କୌଣସି ପଦକ୍ଷେପ ନିଆଯାଇନି। ୮ ବର୍ଷ ପୂର୍ବେ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ପ୍ରତିମୂର୍ତ୍ତି ନିର୍ମାଣ ହୋଇ ବିମଳା ମନ୍ଦିର ନିକଟରେ ସ୍ଥାପନ କରାଯାଇଥିଲା। ବର୍ଷ କରେ ପ୍ରତି ମୂର୍ତ୍ତି ଭାଙ୍ଗି ପଡ଼ି ଥିବାବେଳେ ଗାଁ କୋଠଘର ସିଡି ତଳେ ପଡ଼ି ରହିଥିଲା। ସହିଦ ମାଟିଆ ବେହେରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ତାଙ୍କ ସ୍ମୃତି ରକ୍ଷା ନିମନ୍ତେ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.

fourteen + 12 =