ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ !

ଢେଙ୍କାନାଳ : ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଉତ୍ସବରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟଅତିଥି ଭାବେ ଯୋଗଦେଇ, ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ, ଏହାକୁ ରକ୍ଷା କରିବା ଆମର ପ୍ରଥମ ଦାୟୀତ୍ବ ବୋଲି ପ୍ରକାଶ କରିଥିଲେ । ଶ୍ରୀ ଅନ୍ନ ମାଣ୍ଡିଆ ଏକ ସନ୍ତୁଳିତ ଖାଦ୍ୟ। ଏଥିରେ ପୌଷ୍ଟିକ ତତ୍ତ୍ୱ ଭରି ରହିଛି, ଏହା ଏକ ଉପାଦେୟ ଖାଦ୍ୟ ବୋଲି ପ୍ରକାଶକରି ଏହାକୁ ଆମେ ସମସ୍ତେ ଦୈନନ୍ଦିନ ଖାଦ୍ୟ ଭାବରେ ବ୍ୟବହାର କରିବା ଉଚ଼ିତ ବୋଲି ମତବକ୍ତ କରିଥିଲେ। ସୁସ୍ଥ ଓ ନିରୋଗ ଜୀବନ ପାଇଁ, ବିଶେଷ କରି ମାଆ ମାନେ ଆଗ୍ରହର ସହିତ ମାଣ୍ଡିଆରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତକରି ପରିବାରର ସମସ୍ତଙ୍କୁ ଖୁଆଇବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗ ଦେଇଥିଲେ । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଜଳଖିଆ ଆଦି ଖୁବ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ବୋଲି କହିଥିଲେ । ଚାଷୀଭାଇ- ଭଉଣୀ ମାନେ ଧାନ ସହିତ ଅଧିକ ମାଣ୍ଡିଆ ଚାଷ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ଏକ ଅର୍ଥକାରୀ ଫସଲ ଅଟେ, ଏହା ଦ୍ୱାରା ଚାଷୀଭାଇ- ଭଉଣୀମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧି ଘଟିପାରିବ ବୋଲି କହିଥିଲେ । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ଵନାଥ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମାଣ୍ଡିଆ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହିତ କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଏହି ମାଣ୍ଡିଆ ଚାଷ କାର୍ଯ୍ୟକ୍ରମ ଆମ ରାଜ୍ୟର ୧୭୭ ଟି ବ୍ଲକ୍‌ରେ ଚାଲୁଥିବା ବେଳେଢ଼େଙ୍କାନାଳ ଜିଲ୍ଲାର ୫ଟି ବ୍ଲକ୍ ଯଥା- ହିନ୍ଦୋଳ , ଭୁବନ, କଙ୍କଡ଼ାହାଡ, ଓଡ଼ାପଡ଼ା ଓ ଗନ୍ଦିଆ ବ୍ଲକ୍‌ରେ କାର୍ଯ୍ୟକାରୀ ହେଉଛି ବୋଲି ସୂଚ଼ନା ଦେଇଥିଲେ । ଉତ୍ସବରେ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ଟି.ଡ଼ି.ସି.ସି.ର ଆସିଷ୍ଟାଣ୍ଟ ମାର୍କେଟିଂ ଅଫିସର ଶ୍ରୀ ବିଭୂ ପଦାରବିନ୍ଦ ଶତପଥୀ, ସମବାୟ ସମିତି ଉପ-ନିବନ୍ଧକ ଶ୍ରୀଉମା ଶଙ୍କର ଦାସ ମାଣ୍ଡିଆ ଚାଷର ଆବଶ୍ୟକତା ଓ ଏହାର ବୈଶିଷ୍ଟତା ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଶ୍ରୀ ଅନ୍ନର ବିଭିନ୍ନ ଷ୍ଟଲକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଶ୍ରୀ ଅନ୍ନ ଚାଷ କରୁଥିବା ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ସହଯୋଗ କରୁଥିବା ସ୍ଵେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କଙ୍କଡ଼ାହାଡ଼ ବ୍ଲକର କୃଷି ଅଧିକାରୀ ମଧୁସ୍ମିତା ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଏ.ଡ଼ି.ଆର. ଡ଼ା. ଦିବ୍ୟ ରଂଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four + 18 =