ରାସନ୍ ବିତରଣ କେନ୍ଦ୍ର ସ୍ଥାନାନ୍ତର ଯୋଗୁଁ ରାସ୍ତାରୋକ !

ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡରେ ଥିବା ରାସନ ସାମଗ୍ରୀ ବିତରଣ କେନ୍ଦ୍ର ମଧ୍ୟରୁ ୧୯ ଗୋଟି କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଥିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଦଣ୍ଡିରି ,ଅସରଡା ,ବ୍ରହ୍ମପୁର ଗ୍ରାମର ହିତାଧିକାରୀ ମାନେ କେନ୍ଦ୍ର ସ୍ଥାନାନ୍ତରିତକୁ ବିରୋଧ କରି ଅସନ୍ତୋଷ ଜାହିର କରିଥିବା ବେଳେ ଆଜି ଗିରିଧରପ୍ରସାଦ ଗ୍ରାମରେ ଥିବା ୫୯୮ ଜଣ ହିତାଧିକାରୀ ବାଲିମି ବାବନ୍ଧ ରାସ୍ତାକୁ ସକାଳ ୭ ଘଟିକା ସମୟରେ ଅବରୋଧ କରିଥିଲେ । ଗ୍ରାମରେ ଦୁଇଟି ବିତରଣ କେନ୍ଦ୍ର ଥିବାବେଳେ ଏହି କେନ୍ଦ୍ର ଗୁଡିକ ବନ୍ଦ କରାଯାଇ ବଡ ବାହାଳ କେନ୍ଦ୍ରରେ ମିଶ୍ରଣ ହେବା ଯୋଗୁଁ ଏହାକୁ ପ୍ରତିବାଦ କରି ରାସ୍ତାରୋକ କରାଯାଇଥିଲା । ଗିରିଧରପ୍ରସାଦ ଠାରୁ ବଡବାହଳ ପ୍ରାୟ ୭ କିଲୋମିଟର ରାସ୍ତା ହୋଇଥିବାବେଳେ ରାସ୍ତାଟି ନିଛାଟିଆ ଓ ଜଙ୍ଗଲୀ ହାତୀଙ୍କ ଭୟଥିବା ଯୋଗୁଁ ଏତେ ଦୂର ଯାଇ ଜୀବନକୁ ବାଜି ଲଗାଇ ରାସନ ସାମଗ୍ରୀ ଆଣିବା କଷ୍ଟକର ହୋଇପଡିବ ବୋଲି ହିତାଧିକାରୀ ପ୍ରକାଶ କରିଛନ୍ତି । ଅଳ୍ପ ପରିବାର ଥିବା ହିତାଧିକାରୀ ରାସନ ସାମଗ୍ରୀ ଆଣିବାକୁ ଗଲେ ରାସନ ସାମଗ୍ରୀ ମୂଲ୍ୟଠାରୁ ଅଟୋ ଭଡା ତିନିଗୁଣ ହୋଇଯିବ। ଯା‌ହାଫଳରେ ରାସନ ସାମଗ୍ରୀ ଆଣିବା ଏକ ପ୍ରକାର ମୁସ୍କିଲ ହୋଇପଡିବ । ଆମେ ସଂପୃକ୍ତ ଡିଲରଙ୍କ ବ୍ୟତୀତ ଅନ୍ୟ ଡିଲରଙ୍କ ଠାରୁ ରାସନ ସାମଗ୍ରୀ ଗ୍ରହଣ କରିବୁ ନାହିଁ ବୋଲି ହିତାଧିକାରୀ ମାନେ ମତପ୍ରକାଶ କରିଛନ୍ତି। ରାସ୍ତାରୋକର ଖବର ପାଇ ରାସୋଳ ଥାନା ଅଧିକାରୀ ବିଧୁଭୂଷଣ ମିଶ୍ର ଓ ହିନ୍ଦୋଳ ଯୋଗାଣ ଅଧିକାରୀ ପୁଷ୍ପେଷ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବିତରଣ କେନ୍ଦ୍ର ବଦଳିକୁ ବାତିଲ୍ କରିବା ପାଇଁ ଲିଖିତ ଭାବେ ଦେବାପରେ ଯାଇ ଲୋକମାନେ ଧାରଣାରୁ ଓହରିଥିଲେ। ତେବେ ଏହିଧାରା ବନ୍ଦ୍ ନହେଲେ ଆଗକୁ ଜନଅସନ୍ତୋଷ ବୃଦ୍ଧି ପାଇବ ବୋଲି ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି।

Leave A Reply

Your email address will not be published.

18 − eleven =