ଢେଙ୍କାନାଳ ଉନ୍ନୟନ ପରିଷଦ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ !

ଢେଙ୍କାନାଳ : ଢେଙ୍କାନାଳରେ ସ୍ମାର୍ଟ ମିଟର ବସାଇବା ବିରୋଧରେ ଜୋର ଆବାଜ ଉଠିଛି। ସେହି ସହିତ ଜିଲ୍ଲାର ଶିଳ୍ପ ସଂସ୍ଥାମାନେ ପାରିପାର୍ଶ୍ଵକ ଉନ୍ନୟନ କାର୍ଯ୍ୟ କରିବାକୁ ନବଗଠିତ ଢେଙ୍କାନାଳ ଉନ୍ନୟନ ପରିଷଦ ଦାବି ଉଠାଇଛି।

ସୋମବାର ଅପରାହ୍ଣରେ ପରିଷଦ ପକ୍ଷରୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରିଷଦ ନେତାମାନଙ୍କ କହିବା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଜିଲ୍ଲାର ଉନ୍ନତି ନିମନ୍ତେ ଶିଳ୍ପ ସଂସ୍ଥାମାନେ ନିଜ ଦାୟିତ୍ୱ ପୂରଣ କରିବା ଆବଶ୍ୟକ। ଏହା ନ ହେଲେ ଜିଲ୍ଲାବାସୀ ଆନ୍ଦୋଳନକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ପରିଷଦ ଅଭିଯୋଗ କରିଛି ଯେ, ଟାଟା ପାୱାର ମନମୁଖୀ ଭାବରେ କାର୍ଯ୍ୟ କରୁଥିବାରୁ ଢେଙ୍କାନାଳ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ମାର୍ଟ ମିଟର ବସାଇ ସାଧାରଣ ଉପଭୋକ୍ତାଙ୍କୁ ଅନ୍ୟାୟ ଭାବେ ଅର୍ଥ ଆଦାୟ କରାଯାଉଛି ବୋଲି ସେମାନଙ୍କ ଅଭିଯୋଗ। ତେଣୁ ସ୍ମାର୍ଟ ମିଟର ଲଗାଇବାକୁ ତତ୍କାଳ ବନ୍ଦ କରିବା ଦାବି ହୋଇଛି।

ପରିଷଦ ପକ୍ଷରୁ କୁହାଯାଇଛି ଯେ ବିଦ୍ୟୁତ୍ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି ଓ ଲୋକେ ସଠିକ୍ ବିଦ୍ୟୁତ୍ ସେବା ପାଇ ପାରୁନାହାନ୍ତି। ଏହିପରି ଅବସ୍ଥାରେ ସେବାକୁ ସ୍ମାର୍ଟ ନକରି, ମିଟରକୁ ସ୍ମାର୍ଟ କରିବା ଅନୁଚିତ ବୋଲି ପରିଷଦ ମତ ପ୍ରକାଶ କରିଛି।

ସେହିପରି ଶିଳ୍ପ ସଂସ୍ଥାମାନେ ନିଜର ସିଏସଆର (CSR) ଧନ ସଠିକ୍ ଭାବେ ବିନିଯୋଗ କରୁନାହାନ୍ତି ବୋଲି ପରିଷଦ ଅଭିଯୋଗ କରିଛି। ସହରକୁ ସ୍ମାର୍ଟ କରିବା ପାଇଁ ବିଭିନ୍ନ ଉନ୍ନୟନ କାମ, ପୁଷ୍କରଣୀମାନଙ୍କ ସୌନ୍ଦର୍ଯ୍ୟକରଣ, ଭଗବାନପୁରରୁ କପିଳାସ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ ଓ ଉନ୍ନୟନ କାମ କରିବା ପାଇଁ ଦାବି ଉଠିଛି।

ପରିଷଦ ଆହୁରି ଦାବି କରିଛି ଯେ ଟାଟା ଷ୍ଟିଲ୍‌ ଦ୍ୱାରା ପୁରୁଣା ହସ୍ପିଟାଲକୁ “ସିଟି ହସ୍ପିଟାଲ” ଭାବେ ପୁନଃଚଳନ କରାଯିବା ଆବଶ୍ୟକ। ଏହି ସମସ୍ତ ଦାବି ପୂରଣ ନହେଲେ ଢେଙ୍କାନାଳବାସୀ ଆନ୍ଦୋଳନ ଆରମ୍ଭ କରିବେ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।

ଦାବିପତ୍ର ପ୍ରଦାନ ସମୟରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ, ରାମ ଚନ୍ଦ୍ର ପାତ୍ର, ରୁଦ୍ର ନାରାୟଣ ତ୍ରିପାଠୀ, ବଣିକ ସଂଘ ସଭାପତି ରାଜେନ୍ଦ୍ର ଦାଶ, ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ସହିତ ବହୁ କାଉନସିଲର ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

3 × 4 =