ଢେଙ୍କାନାଳ : ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗତ ଖରିଫ୍ ଋତୁରେ ଜିଲ୍ଲାରେ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ଉଦେଶ୍ୟ ନେଇ ୫ଟି ବ୍ଲକକୁ ଜିଲ୍ଲା କାର୍ଯ୍ୟାଳୟରୁ ୫ଟି ମାଣ୍ଡିଆ ରଥ ଗଡିଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ମାଣ୍ଡିଆ ରଥର ଶୁଭଉଦ୍ଘାଟନ କରିଥିଲେ ।
ଏହି ଅବସରରେ ସେ ମାଣ୍ଡିଆ ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ବୋଲି କହିବା ସହିତ ଖାଦ୍ୟ ଥାଳିରେ ମାଣ୍ଡିଆକୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ତୋଷ, ସ୍କିମ୍ ଅଫିସର ମଧୁସ୍ମିତା ଶତପଥୀ, ଯୋଜନା ଓ ପରିସଂଖ୍ୟାନ ଉପନିଦେ୍ର୍ଦଶକ ସରୋଜ କୁମାର ସେଠୀ, ନେହେରୁ ଯୁବକେନ୍ଦ୍ରର ଉପନିଦେ୍ର୍ଦଶକ ଅଶୋକ ଦାସଙ୍କ ସମେତ ଓଡିଶା ମିଲେଟ୍ ମିଶନର ସହଯୋଗୀ ଅନୁଷ୍ଠାନ ସେୟାର, ଇଡିଅଟ୍, ୱାର୍ଡ, ଫାର୍, ନ୍ୟୁଓଡିଶାର କର୍ମକର୍ତ୍ତାମାନଙ୍କ ଗହଣରେ ମାଣ୍ଡିଆ ରଥର ଶୁଭ ଉଦ୍ଘାଟନ ହୋଇଥିଲା ।
ଓଡିଶା ମିଲେଟ୍ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରାକେଶ କୁମାର ସାହୁ ଏବଂ ଅନ୍ୟତମ କର୍ମକର୍ତ୍ତା ଜୟରାମ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ରଥ ଢେଙ୍କାନାଳ ଜିଲ୍ଲାର ଓଡାପଡା, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ ଏବଂ ଭୁବନ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର କରିଥିଲେ । ପ୍ରଚାରରେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।