ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃଭବନ ବାରଦା ପରିସରରେ ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନ୍ସ୍ପାୟାର-ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା-୨୦୨୧-୨୨ ଉଦ୍ଘାଟିତ ହୋଇଯାଇଅଛି ।
ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଣି, ଇସ୍ପାତ୍ ଓ ପୂର୍ତ ବିଭାଗ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦାନ କରି ପ୍ରତ୍ୟେକ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦରକାର ବୋଲି ଦୃଢ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରି କଳ୍ପନା ଓ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ବିଜ୍ଞାନ ସଦାସର୍ବଦା ଉଦ୍ୟମ ଅବ୍ୟାହତ ରଖିଛି ବୋଲି ଦୃଢ ଅଭିମତ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷିକାମାନେ ଅନୁସନ୍ଧିତ୍ସୁ ଓ ବିଜ୍ଞାନ ମନସ୍କ ହେବା ଆବଶ୍ୟକ ବୋଲି ଦୃଢମତ ଉପସ୍ଥାପନ କରିଥିଲେ । ଉକ୍ତ ଉତ୍ସବରେ ସଭାପତିତ୍ୱ କରି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ସ୍ୱୀୟ ଅଭିଭାଷଣରେ ଇନ୍ସ୍ପାୟାର-ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତାର ଲକ୍ଷ୍ୟ, ଉଦ୍ଦେଶ୍ୟ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତା ଓ ବୈଜ୍ଞାନିକ ମନୋଭାବର ବିକାଶରେ ସହାୟକ ହୋଇପାରିଛି ବୋଲି ଦୃଢ ମତପୋଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ ଓ ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ୱୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ପ୍ରଧାନଶିକ୍ଷକ ରୂପଶ୍ରୀ ରଥ ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ୫-ଟି ରୂପାନ୍ତରଣ ସଂପର୍କରେ ଚିତାକର୍ଷକ \”ମୋ ସ୍କୁଲ୍\’ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ହିନ୍ଦୋଳ, ଓଡାପଡା, ପର୍ଜଙ୍ଗ, ଭୁବନ, କଙ୍କଡାହାଡ , କାମାକ୍ଷାନଗର, ଗଁଦିଆ ଓ ଢେଙ୍କାନାଳ ସଦରରୁ ମୋଟ୍ ୨୨୮ଟି ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି । ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର୍ ଲକ୍ଷ୍ମୀଧର ମହାନ୍ତ ସ୍ୱାଗତଭାଷଣ, ଅତିଥିପରିଚୟ ପ୍ରଦାନ, ବାର୍ଷିକ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମଂଚ ସଂଯୋଜନା କରିଥିଲେ । ପରିଶେଷରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଧନ୍ୟବାଦାର୍ପଣ କରିଥିଲେ ।ଅପରାହ୍ନରେ ସମସ୍ତ ପ୍ରକଳ୍ପକାରୀମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରାରମ୍ଭିକ ଲିଖିତ କୁଇଜ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବିଜ୍ଞାନ ସେମିନାର, ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ, ସର୍ବଭାରତୀୟ ସ୍ତରରେ କ୍ରମାଗତ ତିନିଥର ପ୍ରଥମ ସ୍ଥାନ ଅଧିକାର କରିଥିବା କାନପୁରା ପଂଚାୟତରାଜ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ନାଟକ ନିର୍ଦ୍ଦେଶକ ଦିନେଶ ଦାସଙ୍କ ମାର୍ଗଦର୍ଶନରେ ମଂଚସ୍ଥ ହୋଇଥିଲା ।
ଅଭିଜ୍ଞ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ସମସ୍ତ ପ୍ରକଳ୍ପ ଗୁଡିକର ଉଚିତ୍ ମୂଲ୍ୟାୟନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃଭବନ, ବାରଦାର ପ୍ରଧାନଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀବୃନ୍ଦ ଓ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀବୃନ୍ଦ, ଜିଲ୍ଲାର ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ, ବି.ଆର୍.ସି.ସି., ସି.ଆର୍.ସି.ସି. ବୃନ୍ଦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।