ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ସଭାପତି ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖ ମୁଖ୍ୟ ରାସ୍ତା ପାଶ୍ୱର୍ରେ ସାଧାରଣ ସଭା ଏବଂ ଧାରଣା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ଚାଷୀ ସମସ୍ୟା ଉପରେ ଆଲୋକପାତ କରିଥିଲେ । ତା’ର ନିରାକରଣ ପାଇଁ ବିଭିନ୍ନ ତରିକା ବତାଇଥିଲେ । ବିଶେଷତଃ ଧାନମଣ୍ଡିର ଅବ୍ୟବସ୍ଥା ନହେବା ପାଇଁ ଆଗାମୀ ଦିନରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦଲାଲ୍ମାନଙ୍କ କାରସାଦି, ମିଲରଙ୍କର ସୋସାଇଟି ସହିତ ମଧୁଚନ୍ଦ୍ରିକା, ଧାନ ଅଖା ଫେରସ୍ତ, ସମସ୍ତ ଜମିକୁ ଜଳସେଚନ, ଚାଷଋଣ ଛାଡ । ଫସଲ ବୀମା ବାବଦରେ କେନ୍ଦ୍ର ରାଜ୍ୟ ଟଣାଟଣି ନହୋଇ ତୁରନ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ, ବାର୍ଦ୍ଧକ୍ୟ ଭତା ୫୦୦ ଟଙ୍କା ପରିବର୍ତେ ୨୦୦୦ ଟଙ୍କା ପ୍ରଦାନ ।
ଜମି ଖର୍ଦ୍ଦିବିକ୍ରୀ ଓ ପରିବାରରେ ଭାଗ ବଣ୍ଟରା ଆଇନ୍କୁ କୋହଳ କରିବା, ଧାନମଣ୍ଡିରେ କଟ୍ନୀଛଟ୍ନୀ ବନ୍ଦ, ପରିବହନର ବ୍ୟବସ୍ଥା, ବେକାର ଯୁବକମାନଙ୍କୁ ଭତା ପ୍ରଦାନ, ଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି, ଷଣ୍ଢ, ବାର୍ହା, ମାଙ୍କଡମାନଙ୍କ ଉତ୍ପାତକୁ ତୁରନ୍ତ ଦମନ କରାଯାଉ ଇତ୍ୟାଦି ଆଲୋଚନା କରି ପଂଚାୟତ ସଂଗଠନ ଦୃଢୀକରଣ କରାଯିବାକୁ ସ୍ଥିର ହେଲା । ରାଜ୍ୟ ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ରଥ ଗ୍ରାମ୍ୟ କମିଟି ଜରିଆରେ ଚାଷୀ ସଂଗଠନକୁ ଡକାଯାଇ ପ୍ରକୃତ ଚାଷୀ ଚିହ୍ନଟ କରାଯାଇ ସାର, ବିହନ ପ୍ରଦାନ କରାଯାଉ କହିଥିଲେ ।
ଜିଲ୍ଲା ପ୍ରଭାରୀ ଅଶ୍ୱିନୀ କୁମାର ଜେନା ସଙ୍ଗଠନ ବାବଦରେ ଆଲୋଚନା କରିଥିଲେ । ସହ-ସଂଯୋଜକ ପ୍ରହଲ୍ଲାଦ ସାହୁ ଚାଷୀର ବିଜୁଳି ବିଲ୍ ଛାଡ, ହାତୀ କରିଡର କରି ହାତୀ ଦମନ କରାଯାଉ । ଯୁବ ସଂଗଠନ ଜିଲ୍ଲା ସଂଯୋଜକ ତତା ସଭାପତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୁବକମାନଙ୍କୁ ସଙ୍ଗଠିତ କରି ଗ୍ରାମ କମିଟିକୁ ସୁଦୃଢ କରିବାକୁ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସର୍ବୋଦୟ ସଂଗଠନର ସଭାପତି ଆଇନ୍ଜୀବୀ ପ୍ରଦୀପ କୁମାର ସାହୁ, ଦୃଢ ସଂଗଠକ ଓଡାପଡା ବ୍ଲକ୍ ସଂଯୋଜକ ସୁଧାକର ପରିଡା, ଚାଷୀ ନେତା ବାମଦେବ ପରିଡା, ଭୁବନ ସଂଯୋଜକ ରଥ ସେଠୀ, ସଦର ବ୍ଲକ୍ ସଂଯୋଜକ ନକୁଳ ରାଉତ ପ୍ରମୁଖ ଆଲୋଚନା କରିଥିଲେ । କଙ୍କଡାହାଡର ମୁଖ୍ୟ ଉପଦେଷ୍ଟା ମହେଶ୍ୱର ନାୟକଙ୍କ ସହ ଅନ୍ୟ ବ୍ଲକ୍ ନେତୃତ୍ୱ ଏବଂ ଶତାଧିକ ଯୁବକ ଧାରଣାରେ ଯୋଗଦେଇଥିଲେ । ଜିଲ୍ଲା ପ୍ରଶାସନ ବିଚାର ବିମର୍ସ କରି ଏହାର ସମାଧାନ କରିବେ ବୋଲି କହିଥିବାରୁ ସଂଗଠନ ତରଫରୁ ଧନ୍ୟବାଦ ଅର୍ପଣ କରାଗଲା