ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ , ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ୍ (ଆଇୱା) ପକ୍ଷରୁ ଜାତୀୟ କୃଷକ ଦିବସ ପାଳନ କରାଯାଇଛି ।
ଏହି କାର୍ଯ୍ୟକ୍ରମଟି ଶଙ୍କରପୁର ଗ୍ରାମପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରାଙ୍କ ସହଯୋଗ କ୍ରମେ ସ୍ଥାନୀୟ କୃଷକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ତଥା ସି ଆର୍ ପି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଆଇୱାର ନିର୍ଦ୍ଦେଶିକା ଅନସୂୟା ମିଶ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରି ପ୍ରାରମ୍ଭରେ ଜାତୀୟ କୃଷକ ଦିବସର ମହତ୍ତ୍ଵ ବିଷୟରେ ଆଲୋକପାତ କରିବା ସହ ମୁଖ୍ୟ ଅତିଥିଙ୍କୁ ତାଙ୍କର ମୂଲ୍ୟବାନ ପରାମର୍ଶ ଦେବାପାଇଁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମଟିକୁ ଅଧିକ ସାଫଲ୍ୟ ମଣ୍ଡିତ କରିବା ପାଇଁ ମୁଖ୍ୟ ଅତିଥିଭାବେ ଢେଙ୍କାନାଳର ଜିଲ୍ଲା କୃଷି ଅଧିକାରୀ ଜ୍ୟୋତିଦିପ୍ତ ପଟ୍ଟନାୟକ ମହୋଦୟ ଉପସ୍ଥିତ ରହି କୃଷକମାନଙ୍କୁ କୃଷି ସମ୍ବନ୍ଧୀୟ ସରକାରଙ୍କର ବିଭିନ୍ନ ପ୍ରକାରର ଯୋଜନା ତଥା ଜୈବିକ ପଦ୍ଧତିର କୃଷି ପ୍ରଣାଳୀକୁ ଆପଣେଇ ଏକ ସୁସ୍ଥ ପରିବେଶ ଗଠନ କରି ନିରାମୟ ଜୀବନ ଯାପନ ପାଇଁ ପରାମର୍ଶ ଦେଇଥିଲେ ।
ଏହାସହ କୃଷକ ମାନଙ୍କଠାରୁ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ଗୁଡ଼ିକୁ ବୁଝିବା ସହ ସେ ଗୁଡ଼ିକର ସମାଧାନର ସୂତ୍ର ମଧ୍ୟ ବତାଇଥିଲେ । କୃଷକ ଦିବସ ଅବସରରେ, ସଂଘବଦ୍ଧ ଭାବରେ ଯୋଜନାକ୍ରମେ କାର୍ଯ୍ୟକରି ସଫଳତା ପାଇବା ହିଁ ଶ୍ରୀଯୁକ୍ତ ପଟ୍ଟନାୟଙ୍କର କୃଷକମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଥିଲା ।
କାର୍ଯ୍ୟକ୍ରମରେ ଆଇୱାର କର୍ମୀ ପ୍ରଭାସ ଚନ୍ଦ୍ର ପାଢ଼ୀ, ତୃପ୍ତିମୟୀ ଦେବୀ , ନିବେଦିତା ସାହୁ , ମନସ୍ଵିନୀ ମିଶ୍ର ଏବଂ ତୟୁବ୍ ଅନସାରୀ ପ୍ରମୁଖ ଯୋଗଦାନ ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ଶଙ୍କରପୁର ପଞ୍ଚାୟତର ସରପଞ୍ଚ ମହୋଦୟ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।