ଢ଼େଙ୍କାନାଳ : ହିନ୍ଦୋଳ ବନାଞ୍ଚଳ ଖଲିବୋରେଇ ସେକ୍ସନ ଅନ୍ତର୍ଗତ କୁନୁଆଁ ପଞ୍ଚାୟତ କୁନୁଆଁ ଗ୍ରାମରେ ବଣୁଆ ହାତୀ ପଲଙ୍କ ଉତପାତ ଦେଖିବାକୁ ମିଳିଛି।
ବଣୁଆ ହାତୀପଲ ଆସି ଧାନ ଫସଲ ରେ ପଶି ଦଳି ଚକଟି ତାଣ୍ଡବ ରଚିଛନ୍ତି । କୁନୁଆଁ ଗ୍ରାମର ଦିବାକର ସାମଲ ଙ୍କ ର ପ୍ରାୟ ୭ ଭରଣ ଜମିର ଧାନ ଫସଲକୁ ଗଜରାଜ ଦଳି ଚକଟି ନଷ୍ଟ କରିଦେଇଥିବା ବେଳେ ଅନ୍ୟ ଚାଷୀଙ୍କର ମଧ୍ୟ ଗଜରାଜ ଏକର ଏକର ଧାନ ଫସଲକୁ ଦଳି ଚକଟି ସମ୍ପୁର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ।
ଏ ସଂପର୍କରେ ଗ୍ରାମବାସୀ ବନବିଭାଗ କୁ ଜଣାଇଥିଲେ ମଧ୍ୟ ବନବିଭାଗ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଲା ନାହିଁ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ତା ସହ ବନବିଭାଗ ର ଅବହେଳା ଯୋଗୁଁ ଚାଷୀଙ୍କ ଏକର ଏକର ଧାନ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀମାନେ ପ୍ରକାଶ କରିଛନ୍ତି।
ସରକାର ହାତୀ ଘଉଡ଼ାଇବା ପାଇଁ ହାତୀ ସ୍କ୍ୱାର୍ଡ ଗଠନ କରିଛନ୍ତି ଏବଂ ବନବିଭାଗ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ବନାଞ୍ଚଳର କର୍ମଚାରୀମାନେ ହାତୀ ଘଉଡ଼ାଇବା ବଦଳରେ ଅଚିନ୍ତା ରେ ଘୋର ନିଦ୍ରାରେ ଶୋଇ ରହୁଛନ୍ତି। କିନ୍ତୁ ଧାରଉଧାର ଆଣି ଚାଷୀ କରିଥିବା ଚାଷ ପାଇଁ ତାକୁ କେବେ ନିଦ ଲାଗେନାହିଁ, କେମିତି ଭଲ ଗଣ୍ଡେ ଫସଲ ଅମଳ ହେବ ଏବଂ ମୋ ପରିବାର ମୁହଁରେ ମୁଠାଏ ଦାନା ଦେବି ସେଇ ଚିନ୍ତାରେ ଚାଷୀ ଏଠି ରାତ୍ରି ଅନିଦ୍ରା ହୋଇ ଶୀତ ଋତୁ ର ଏ ଥଣ୍ଡା ରାତିରେ ହାତୀ ଘଉଡ଼ାଇବାରେ ଲାଗିରହିଥାଏ । ବନବିଭାଗ ର ଏଭଳି ଅବହେଳିତ ଆଉ ମନମୁଖୀ କାର୍ଯ୍ୟ କୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମୁଣ୍ଡଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଏବଂ ଧାରଉଧାର ଆଣି କରିଥିବା ଧାନ ଫସଲ ହାତୀପଲ ନଷ୍ଟ କରିଦେଇଥିବାରୁ ସରକାରଙ୍କ ତରଫରୁ କିଛି ସହାୟତା ଯୋଗାଇଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଆକୁଳ ନିବେଦନ କରିଛନ୍ତିି । ସରକାରଙ୍କ ତରଫରୁ ଯଦି କିଛି ସାହାଯ୍ୟ ସହଯୋଗ ମିଳନ୍ତା ତେବେ କିଛି ପରିମାଣରେ ତାଙ୍କର ଦୁଃଖ ଲାଘବ ହୋଇପାରନ୍ତା ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ପ୍ରତିକ୍ରିୟାରେ କହିଛନ୍ତି।