ଢେଙ୍କାନାଳ : ଛ’ଦେଶ ଆଇନ୍ଜୀବୀ ଫୋରମ୍ର ବନ୍ଧୁମିଳନ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଦିବଂଗତ ଆଇନ୍ଜୀବୀ ପଦ୍ମଚରଣ ଧଳ ଏବଂ ବଳରାମ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ବୈଠକରେ ଛଦେଶ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଇନ୍ଜୀବୀମାନେ ମତପୋଷଣ କରିଥିଲେ । ବିଧାନସଭା କ୍ଷେତ୍ର ପୂର୍ଣ୍ଣ ନିର୍ଦ୍ଧାରଣ ପରଠାରୁ ଛ’ଦେଶ ଅଂଚଳରୁ ରାଜନୈତିକ ଦଳମାନଙ୍କର ତଥା ନିର୍ବାଚିତ ପ୍ରତିନିଧିମାନଙ୍କର ବୈମାତୃକ ମନୋଭାବ ପାଇଁ ଅଂଚଳର ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଆଇନ୍ଜୀବୀମାନେ ଉଦ୍ବେଗ ପ୍ରକାଶ କରିଥିଲେ ।
ଛ’ଦେଶ ଅଞ୍ଚଳ ସଦର ବ୍ଲକ୍ର ୧୨ଟି ପଞ୍ଚାୟତ ଏବଂ ଓଡାପଡା ବ୍ଲକ୍ର ୪ଟି ପଞ୍ଚାୟତକୁ ନେଇ ପରିବ୍ୟାପ୍ତ । ଉକ୍ତ ଅଂଚଳର ଜନସାଧାରଣ ପ୍ରଶାସନିକ କାର୍ଯ୍ୟ ପାଇଁ ସଦର ବ୍ଲକ୍ ଏବଂ ଓଡାପଡା ବ୍ଲକ୍ ଉପରେ ନିର୍ଭର କରନ୍ତି । ସୀମା ନିର୍ଦ୍ଧରଣ ପୂର୍ବରୁ ଛଦେଶ ଅଂଚଳକୁ ଗୁରୁତ୍ୱ ଦେଉଥିବା ଜନପ୍ରତିନିଧିମାନେ ସୀମା ନିର୍ଦ୍ଧରଣ ପରେ ସେତେଟା ଗୁରୁତ୍ୱ ନଦେବା କାରଣରୁ ଅଞ୍ଚଳର ବିକାଶ ସମୟ ଅନୁସାରେ ବୃଦ୍ଧି ପାଇପାରୁନାହିଁ ।
ବହୁଦିନରୁ ଛଦେଶ ଅଞ୍ଚଳକୁ ନେଇ ଏକ ବ୍ଲକ୍ ଗଠନ କରିବା ପାଇଁ ଦାବି ହୋଇଆସୁଅଛି । କିନ୍ତୁ ଜନପ୍ରତିନିଧିମାନଙ୍କର କୋହଳ ମନୋଭାବ ଯୋଗୁଁ ଉକ୍ତ ଦାବୀ ସରକାରୀ ସ୍ତରରେ ସଠିକ୍ ଭାବରେ ପହଁଚି ପାରୁନାହିଁ । ସେହିଭଳି ଛଦେଶ ଅଞ୍ଚଳର ବ୍ୟକ୍ତିମାନେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ବେଲଟିକିରୀ ଏବଂ ଓଡାପଡା ପି.ଏଚ୍.ସି. ଉପରେ ନିର୍ଭରକରି ଆସୁଛନ୍ତି ।
ଭାପୁର ଠାରେ ଥିବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାକ୍ ସ୍ୱାଧିନତା କାଳରୁ ସ୍ଥାପନ ହୋଇଥିଲେ ମଧ୍ୟ ଏହାକୁ ପି.ଏଚ୍.ସି. ମାନ୍ୟତା ପାଇବା ନିର୍ବାଚିତ ପ୍ରତିନିଧିମାନଙ୍କର ଅଣଦେଖା କାରଣରୁ ତଥା ସଠିକ୍ ଉପସ୍ଥାପନା ଅଭାବରୁ ଫଳପ୍ରଦ ହୋଇପାରୁନାହିଁ । ସେହିଭଳି ଛ’ଦେଶ ଅଞ୍ଚଳର ଜୀବନରେଖା କୁହାଯାଉଥିବା ସାପୁଆ ନଦୀ ପୋତିହୋଇଯିବା କାରଣରୁ ତାହା ଉପରେ ନିର୍ଭରକରି ଚଳୁଥିବା ଚାଷୀଭାଇମାନେ ନିଜର ଜୀବିକା ହରାଇ ବସିଲେଣି ।
ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଛଦେଶ ଆଇନ୍ଜୀବୀ ପରିଷଦ ତରଫରୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଛ’ଦେଶ ଅଞ୍ଚଳ ଏକ ଜନସଂଖ୍ୟା ବହୁଳ ଅଂଚଳ ଏବଂ ଉକ୍ତ ଅଞ୍ଚଳରେ ପୁରୁଣା କଟକ ସମ୍ବଲପୁର ରୋଡ୍ ଯାଇଥିବା କାରଣରୁ ପ୍ରତ୍ୟହ ଯାନବାହାନ ଚଳପ୍ରଚଳ କରୁଅଛି । ଜନସଂଖ୍ୟା ଏବଂ ଗମନାଗମନ କାରଣରୁ ଉକ୍ତ ଅଞ୍ଚଳର ସମୟେ ସମୟେ ବିଭିନ୍ନ ଧରଣର ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅଞ୍ଚଳରେ ଥିବା ବହୁ ପୁରାତନ ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ମଧ୍ୟ ବହୁ ସମୟ ଧରି ଦାବୀ ହୋଇଆସୁଅଛି । କିନ୍ତୁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ନିଯୁକ୍ତ ଥିବା ସ୍ୱଳ୍ପ ସଂଖ୍ୟକ ପୋଲିସ୍ ବଳ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ ହେଉଛନ୍ତି ।
ଏହିସବୁ ସମସ୍ୟାକୁ ସମାଧାନ କରିବା ପାଇଁ ଆଇନ୍ଜୀବୀମାନେ ପ୍ରଶାସନ ତଥା ଲୋକପ୍ରତିନିଧିମାନଙ୍କର ସହଯୋଗ କାମନା କରିଛନ୍ତି । ଆଗାମୀ ଦିନରେ ଏ ସବୁ ସମସ୍ୟା ପାଇଁ ଛଦେଶ ଅଂଚଳର ଜନସାଧାରଣଙ୍କୁ ନେଇ ଏକ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ଆଇନ୍ଜୀବୀମାନେ ମତପୋଷଣ କରିଛନ୍ତି । ଉକ୍ତ ଅଂଚଳର ସମସ୍ୟାକୁ ସଠିକ୍ ଭାବେ ସରକାରୀ ସ୍ତରରେ ଉପସ୍ଥାପନାର ଅଭାବ ହେଉଥିବାରୁ ଆଇନ୍ଜୀବୀମାନେ ଆଗାମୀ ସାଧାରଣ ନିର୍ବାଚନରେ ଅଂଚଳ ତରଫରୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲେ । ପରିଷଦର ପରିଚାଳନା ପାଇଁ ନୂତନ ଭାବରେ କର୍ମକର୍ତା ମନୋନିତ କରାଯାଇଥିଲା । ଏଥିରେ ଉପଦେଷ୍ଟା ଭାବରେ ବରିଷ୍ଠ ଆଇନ୍ଜୀବୀ ପତିତପାବନ ମହାପାତ୍ର, ଗୋକୁଳ କୃଷ୍ଣ ମହାପାତ୍ର ଓ ଅର୍ଜୁନ ମୋହନ ସାହୁଙ୍କୁ ମନୋନିତ କରାଯାଇଥିଲା ।
ନୂତନ ସଭାପତି ଭାବରେ ଆଇନ୍ଜୀବୀ ଭାବଗ୍ରାହୀ ପଣ୍ଡା, ଉପସଭାପତି ଭାବରେ ବିଶ୍ୱଜିତ୍ ଆର୍ଜେନ୍ଦୁ କୁମାର ଜେନା, ବିନୟ କୁମାର ସାହୁ, ସାଧାରଣ ସମ୍ପାଦକ ଭାବରେ ଦୁର୍ଗା ପ୍ରସାଦ ପଣ୍ଡା, ସହକାରୀ ସଂପାଦକ ଭାବରେ ହରେକୃଷ୍ଣ ଦାସ, କୋଷାଧ୍ୟକ୍ଷ ଭାବରେ ସ୍ୱଦେଶ ରଞ୍ଜନ ଖୁଣ୍ଟିଆ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ଦୁର୍ଗାଚରଣ ମାଝି, ଚକ୍ରଧର ପଣ୍ଡା, ହରିହର ପଣ୍ଡା ଓ ଲକ୍ଷ୍ମୀଧର ପଣ୍ଡାଙ୍କୁ ମନୋନିତ କରାଯାଇଥିଲା ।
ସମସ୍ତ ସଭ୍ୟମାନେ ଆଞ୍ଚଳିକ ମନୋଭାବ ରଖି ଦଳୀୟ ମନୋଭାବର ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ନୂତନ କର୍ମକର୍ତାମାନଙ୍କୁ ନିର୍ବାଚିତ ପ୍ରତିନିଧି (ସାଂସଦ ଓ ବିଧାୟକ)ଙ୍କୁ ଭେଟି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ବିଶେଷକରି ବ୍ଲକ୍ ପୁନର୍ଗଠନ କେନ୍ଦ୍ର ସରକାରଙ୍କ ଅଧିନସ୍ତ କାର୍ଯ୍ୟକ୍ରମ ହୋଇଥିବାରୁ ସଂସଦରେ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ପାଇଁ ସାଂସଦଙ୍କୁ ଭେଟି ପ୍ରସ୍ତାବ ଦେବା ପାଇଁ କର୍ମକର୍ତାମାନେ ମତପ୍ରକାଶ କରିଥିଲେ ।
ସେହିପରି ଅନ୍ୟାନ୍ୟ ସମସ୍ୟା ଗୁଡିକ ରାଜ୍ୟ ସରକାରଙ୍କ ଅଧିନରେ ଆସୁଥିବାରୁ ବିଧାୟକଙ୍କୁ ଅବଗତ କରାଇ ଏହାର ସମାଧାନ କରିବା ପାଇଁ ସ୍ଥିର ହୋଇଥିଲା । ପରିଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା ବୋଲି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।