ପେନ୍‌ସନ୍ ଓ ସୁରକ୍ଷା ଦାବିରେ ରାଜ୍ୟ ବରିଷ୍ଟ ସାମ୍ବାଦିକ ସମୁହର ଧାରଣା !

ଢେଙ୍କାନାଳ : ବରିଷ୍ଠ ସାମ୍ବାଦିକ ସଂଘ ଓଡିଶା ପକ୍ଷରୁ କାର୍ଯ୍ୟରତ ବରିଷ୍ଠ ଓ ସେବା ନିବୃତ ବରିଷ୍ଠ ସାମ୍ବାଦିକମାନଙ୍କୁ ଅବସରକାଳୀନ ପେନ୍‌ସନ୍ ଏବଂ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ୍ ପ୍ରଣୟନ ଦାବିରେ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଠାରେ ଧାରଣା ଦିଆଯାଇଥିଲା । ପରେ ଏହି ୨ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ପଦାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

ସୂଚନା ଅନୁଯାୟୀ, ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଚେୟାର ପର୍ସନ୍ ଜଷ୍ଟିସ୍ ସିପି ପ୍ରସାଦ ସାମ୍ବାଦିକମାନଙ୍କୁ ସାମାଜିକ ସୁରକ୍ଷା ଦେବାପାଇଁ ପ୍ରସ୍ତାବ ଆଗତ କରିଥିଲେ । ସାମ୍ବାଦିମାନଙ୍କ ସାମାଜିକ ସୁରକ୍ଷା ପ୍ରଦାନ ବ୍ୟବସ୍ଥା କରାନଗଲେ ସାମ୍ବାଦିକମାନେ ସୁଚାରରୂପେ କର୍ତବ୍ୟ ସଂପାଦକ କରିପାରିବେ ନାହିଁ ବୋଲି ପ୍ରସ୍ତାବ ଆଗତ ହୋଇଥିଲା । ଓଡିଶା ସରକାର ୨୦୦୬ ମସିହାରେ ଓଡିଶାରେ କାର୍ଯ୍ୟାରତ ସାମ୍ବାଦିକ କଲ୍ୟାଣ ପାଣ୍ଠିର ବ୍ୟବସ୍ଥା କରିଥିଲେ ।

ଏହାକୁ ୨୦୨୦ରେ ସଂଶୋଧନ କରାଯାଇ ସାମ୍ବାଦିକମାନଙ୍କ କଲ୍ୟାଣ ଲାଗି ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ଅଦ୍ୟାବଧି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ । ବାଙ୍ଗାଲୋରର କାର୍ଯ୍ୟରତ ସାମ୍ବାଦିକ ଗୌରୀ ଲଙ୍କେଶ ଏବଂ ଅଗରତଲାର ଶାନ୍ତନୁ ଭୌମିକ୍‌ଙ୍କ ହତ୍ୟା ପରେ, ଭାରତ ସରକାରଙ୍କ ଗୃହ ବିଭାଗ ୨୦୧୭ ମସିହାରେ ଏକ ଆଡଭାଇଜରି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ପ୍ରଦାନ କରିଥିଲେ । ସେହି ଆଡ୍‌ଭାଇଜରିରେ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣର ସଠିକ୍ ତଦନ୍ତ ଏବଂ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଓ ତ୍ୱରିତ ୍‌ପଦକ୍ଷେପ ସହିତ ଏକ ଆଇନ୍ ପ୍ରଣୟନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସାମ୍ବାଦିକମାନଙ୍କ ପାଇଁ ଏକ ବିଶେଷ ଆଇନ୍ ପ୍ରଣୟନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହାକୁ ଆଧାର କରି ମହାରାଷ୍ଟ୍ର, ଛତିଶଗଡ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିଥିବା ବେଳେ ସଂପ୍ରତି ଗୋୟା ସରକାର ସାମ୍ବାଦିକ ପ୍ରୋଟେକ୍‌ସନ୍ ବିଲ୍ ଚଳିତବର୍ଷ ଲାଗୁ କରିବାକୁ ଯାଉଛନ୍ତି ।

ସେହପିରି କର୍ମକ୍ଷେତ୍ରରୁ ଅବ୍ୟାହତ ନେଉଥିବା ବରିଷ୍ଠ ସାମ୍ବାଦିକମାନଙ୍କ ପାଇଁ ଭାରତବର୍ଷର ତ୍ରିପୁରା, ବିହାର, ଆସାମ, ପଞ୍ଜାବ, ୱେଷ୍ଟବେଙ୍ଗଲ, ମଣିପୁର, ଉତରପ୍ରଦେଶ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲ୍‌ନାଡୁ, ଛତିଶଗଡ, ଉତରାଖଣ୍ଡ, ହରିୟାଣା, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନା ପରି ୨୦ ଟି ରାଜ୍ୟରେ ୫ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍ ଲାଗୁ କରାଯାଇଛି ।

ଏହି ପରୀପ୍ରେକ୍ଷୀରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବା ଏବଂ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ପେନ୍‌ସନ୍ ଦେବାଲାଗି ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିବା ବେଳେ ଗତ ସେପ୍ଟେମ୍ବର ୧୯ ତାରିଖରେ ଇମେଲ୍ ଯୋଗେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଏବଂ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ଏ ଦିଗରେ ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଗଲା ନାହିଁ । ଏଥିପାଇଁ ଗତ ୧୫ ତାରିଖ ଗୁରୁବାର ଦିନ ଭୁବନେଶ୍ୱର ଲୋୟର ପିଏମଜି୍ ଠାରେ ରାଜ୍ୟ ବରିଷ୍ଠ ସାମ୍ବାଦିକ ସଂଘର ସଭାପତି କାହ୍ନୁ ଚରଣ ନନ୍ଦ, ସାଧାରଣ ସଂପାଦକ ଆଶୁତୋଷ ବେହେରାଙ୍କ ଆହ୍ୱ୍ୱାନକ୍ରମେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପଟ୍ଟନାୟକ ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ସାମ୍ବାଦିକମାନେ ନିଜର ମତ ପ୍ରଦାନ କରି, ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ କୁ ସୁରକ୍ଷା ଏବଂ ମାନ୍ୟତା ଦେବା ଲାଗି ବିଭିନ୍ନ ମହଲରୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଓଡିଶା ସରକାର ସେ ଦିଗରେ ଅଦ୍ୟାବଧି ଗୁରୁତ୍ୱ ଦେଉନଥିବା ଘଟଣା ଦୁଃଖ ଓ ପରିତାପର ବିଷୟ । ସାମ୍ବାଦିକମାନେ ଦୁଃଖକଷ୍ଟ ସହି ନିରନ୍ତର ଓ ନିରବଛିନ୍ନ ଭାବେ ସମାଜକୁ ସେବା ଯୋଗାଇଥାନ୍ତି । ଏଥିସହ ସରକାରଙ୍କ ଯୋଜନାଗୁଡିକ କାର୍ଯ୍ୟକାରୀ କରିବାରେ ସହାୟତା ହେବାସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ମଧ୍ୟ କରିଆସୁଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ୍ ପ୍ରଣୟନ କରିବା ସଙ୍ଗେସଙ୍ଗେ ବରିଷ୍ଠ ଏବଂ ଅବସରକାଳୀନ ସାମ୍ବାଦିକମାନଙ୍କୁ ଭତା ଯୋଗାଇଦେବାକୁ ଦୃଢ ଦାବି ରଖିଥିଲେ ।

ଏହି ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପସଭାପତି ପ୍ରଦୀପ୍ତ କିଶୋର ଚୌଧୁରୀ, ସଦସ୍ୟ ଅମର ପରିଡା, ବିପିନ୍ ସେଠୀ, ମାନସ ମହାନ୍ତି, କୃଷ୍ଣ କୁମାର ମିଶ୍ର, ନିରଞ୍ଜନ ବାରିକ, କଲ୍ୟାଣ ସେଠ, ପ୍ରକାଶ ବାରିକ, ସରୋଜ କୁମାର ନାୟକ , ଅମରଜ୍ୟୋତି ସାହୁ, ବିପ୍ଳବ କୁମାର ମହାନ୍ତି, ରଘୁନାଥ ସାହୁ, ଅମରନାଥ ପରିଡା ,ସଦାଶିବ ମହାପାତ୍ର, ବିଜୟ କୁମାର ସାହୁଙ୍କ ସମେତ ରାଜ୍ୟର ବିିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇଥିଲେ ।
ପରେ ସଂଘ ପକ୍ଷରୁ ଦୁଇ ଦଫା ଦାବିସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭାଗୀୟ ଉଚ୍ଚ ପଦାଧିକାରୀମାନଙ୍କୁ ପ୍ରଦାନ କରାଯାଇ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

3 − two =