ଢେଙ୍କାନାଳରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସଂସଦରେ ଦାବୀ ଉପସ୍ଥାପନ !


ଢେଙ୍କାନାଳ (ଏମ୍‌.ଏନ୍‌.ଏସ୍‌) : ଢେଙ୍କାନାଳର ବିଭିନ୍ନ ମୌଳିକ ସମାସ୍ୟା ତଥା ପ୍ରଗତି ପାଇଁ ପୂର୍ବରୁ ଲୋକସଭାରେ ପ୍ରତିନିଧିସ୍ତରୀୟ ବିଧିବ୍ୟବସ୍ତାକୁ ଉପସ୍ଥାପନ କରିବାର କୌଣସି ନଜିର ଦେଖିବାକୁ ମିଳିନଥିଲା ।

ଯାହାଯେମିତି ଅଳ୍ପ ବହୁତେ ମୁହଁ ଖୋଲି କାର୍ଯ୍ୟ ସଂପାଦନା କରିଦେଉଥିବାର ଉଦାହରଣ ମଧ୍ୟ ରହିଛି । ଚଳିତ ସଂସଦର ଶୀତକାଳୀନ ଅଧିବେଶନର ଧାରା ୩୭୭ର ପ୍ରଶ୍ନ ଉତରକାଳରେ ଢେଙ୍କାନାଳରେ ଏକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ସାଂସଦ ମହେଶ ସାହୁ ଗତକାଲି ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଆଙ୍କ ଦୃଷ୍ଟି ଆକର୍ଷଣ କରି ଦାବୀ ଜଣାଇଛନ୍ତି ।

ସାଂସଦ ଶ୍ରୀ ସାହୁ ଏହି ପ୍ରଶ୍ନୋତର କାଳରେ ଜଣାଇଥିଲେ କି, ପୂର୍ବରୁ ୨୦୧୮ ମସିହାରେ କେନ୍ଦ୍ର ସରକାର ୧୦୦ରୁ ଅଧିକ ଆକାଂକ୍ଷା ଜିଲ୍ଲା ଘୋଷଣା କରିସାରିଛନ୍ତି । ତନ୍ମଧ୍ୟରୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଢେଙ୍କାନାଳ ଜିଲ୍ଲା ଅନ୍ୟତମ । ଆହୁରି ମଧ୍ୟ କେନ୍ଦ୍ର ସରକାର କହିଥିଲେ ଆକାଂକ୍ଷା ଜିଲ୍ଲା ଘୋଷିତ ହୋଇଥିବା ଜିଲ୍ଲାମାନଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯିବା ସହିତ ଏହି ଜିଲ୍ଲାଗୁଡିକରେ ମଧ୍ୟ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ସେତେବେଳେ ଘୋଷଣା କରିସାରିଛନ୍ତି ।

କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ୨୦୧୮ ମସିହା ଘୋଷଣା ପରେ ବିଭାଗୀୟ ମନ୍ତ୍ରୀ ଏହି ଜିଲ୍ଲାଗୁଡିକରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମୋ ନିର୍ବାଚନ କ୍ଷେତ୍ର ଢେଙ୍କାନାଳ ଜିଲ୍ଲାରେ ଏହି ମେଡିକାଲ୍ କଲେଜ୍ ଅଦ୍ୟାବଧି ପ୍ରତିଷ୍ଠା ହୋଇନାହିଁ କି କାର୍ଯ୍ୟକାରୀ ହେବା ଜଣାପଡୁନାହିଁ । ଢେଙ୍କାନାଳ ଜିଲ୍ଲାବାସୀ ଅତ୍ୟାଧୁନିକ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଉପଲବ୍ଧି କରିବା ପାଇଁ ଘୋଷଣା ହେବା ପରଠାରୁ ଆଶାବାନ୍ଧି ରହିଥିବାବେଳେ ଢେଙ୍କାନାଳ ବାସୀଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଉପରେ କେନ୍ଦ୍ର ସରକାର ଅଦ୍ୟାବଧି କେତେ ଯତ୍ନବାନ ଓ ତତ୍ପର ସହିତ ସଫଳ ହୋଇପାରୁଛନ୍ତି, ତାହା ଢେଙ୍କାନାଳବାସୀ ଉତ୍କଣ୍ଠାର ସହିତ ଅପେକ୍ଷାକରି ବସିଛନ୍ତି ।

ଏହି ମେଡିକାଲ କଲେଜ୍ ପ୍ରତିଷ୍ଠା କାର୍ଯ୍ୟ ତୁରନ୍ତ ସଂପାଦନ କରିବା ପାଇଁ ମୁଁ ସଂସଦର ଅଧ୍ୟକ୍ଷ ମହୋଦୟଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ପୁନଶ୍ଚ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବୀ ଜଣାଉଛି ବୋଲି ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଛନ୍ତି । ପ୍ରକାଶଥାଉକି, ଏହି ନିକଟରେ ଚଳିତ ସଂସଦର ଶୂନ୍ୟକାଳ ପ୍ରଶ୍ନୋତର ବେଳେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ସଂପର୍କରେ ସାଂସଦ ଶ୍ରୀ ସାହୁ ତାଙ୍କ ପ୍ରଶ୍ନ ଉତରରେ ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ଆଉଥରେ ଦୃଷ୍ଟି ଆକର୍ଷଣ କରି ମଧ୍ୟ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.

10 + three =