ଢେଙ୍କାନାଳ : ଢ଼େଙ୍କାନାଳ ଜିଲା ଗଁଦିଆ ବ୍ଲକ୍ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ନାଗେନା ଗ୍ରାମସ୍ଥିତ ଅନନ୍ତ ଆଶ୍ରମରେ ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଗତ ୨୯ ତାରିଖ ଠାରୁ ଚଳିତ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୯ଦିନ ବ୍ୟାପୀ ଏହି ରାମଚରିତ ମାନସ ପାରାୟଣରେ ୨୯ ତାରିଖ ଦିନ ଶୁଭ ଅଧିବାସ ଓ ଅକୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ୩୦ ତାରିଖ ଠାରୁ ପାରାୟାଣ ପାଠ ଆରମ୍ଭ ହୋଇଅଛି । ଆଜି ମଧ୍ୟାହ୍ନରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମଠ ପରିସର ମଧ୍ୟରେ ସାଧୁସନ୍ଥମାନେ ଶ୍ରୀ ସାହୁଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ପ୍ରଦାନ କରି ମଠ ଭିତରକୁ ପାଛୋଟି ନେଉଥିବାବେଳେ ଶ୍ରଦ୍ଧାଳୁ ମହିଳା ଭକ୍ତମାନେ ହୁଳହୁଳି ପ୍ରଦାନ କରିଥିଲେ । ସାଂସଦ ଶ୍ରୀ ସାହୁ ଯଜ୍ଞସ୍ଥଳରେ ପହଁଚି ପୂଜାର୍ଚ୍ଚନା କରିବା ପରେ ସେଠାରେ ଉପସ୍ଥିତ ଥିବା ସାଧୁସନ୍ଥ ଏବଂ ଭକ୍ତମାନଙ୍କୁ ଏହି ନବାହ୍ନ ପାରାୟଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜ, ବୈକୁଣ୍ଠ ଦାସ ମହାରାଜ, ଗୌରହରୀ ପଣ୍ଡା ପ୍ରମୁଖଙ୍କ ବ୍ୟତୀତ ସାଂସଦଙ୍କ ବ୍ୟକ୍ତିଗତ ସଚିବ ମାତୃପ୍ରସାଦ ମିଶ୍ର, ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗଦେଇଥିଲେ । ଏହି ୯ଦିନ ବ୍ୟାପୀ ନବାହ୍ନ ପାରାୟଣ ଆସନ୍ତା ୮ ତାରିଖ ଦିନ ସମାପନ ହେବା ସହିତ ପୂର୍ଣ୍ଣହୁତି ହେବା ସହିତ ପ୍ରସାଦସେବନର ବ୍ୟବସ୍ଥା ହୋଇଅଛି ।