ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫୫ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ମନ୍ଥରତା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ସଭା ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଅଛି ।
ସଚେତନ ନାଗରିକ ଫୋରମ୍ ଓ ଆମ ପ୍ରତିଭା ଆମ ସମ୍ମାନ ଆହ୍ୱାନ କ୍ରମେ ଅନୁଷ୍ଠିତ ଗଣଧାରଣାରେ ଚାମ୍ବର୍ସ ଅଫ୍ କମର୍ସ, ଜିଲ୍ଲା ଓକିଲ ସଂଘ, ଟ୍ରକ୍ ମାଲିକ ସଂଘ, ବସ୍ ମାଲିକ ସଂଘ, ଶ୍ୟାମାଚରଣପୁର ବିକାଶ ପରିଷଦ, ଅନୁଗୁଳ-ଢେଙ୍କାନାଳ ଦୈନିକ ରେଳଯାତ୍ରୀ ସଂଘ, ଜିଲ୍ଲା ଦଳିତ ସମାଜ, ଗାନ୍ଧି ଅଧ୍ୟୟନ କେନ୍ଦ୍ର, ଜନସଂଖ୍ୟା ଫାଉଣ୍ଡେସନ୍, ମିଳିତ ବଜାର ପୂଜା କମିଟି ପ୍ରମୁଖ ଅନୁଷ୍ଠାନ ଯୋଗଦେଇ ଜାତୀୟ ରାଜପଥର ଅହେତୁକ ବିଳମ୍ବ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଏହାର କାର୍ଯ୍ୟ ଶେଷ କରିବା ପାଇଁ ଦାବୀ କରିଥିଲେ ।
ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବାରୁ ଧାରଣାରତ ବକ୍ତାମାନେ ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏ ସଂପର୍କରେ ବିଭିନ୍ନ ଅନୁଷ୍ଠାନ, ଜିଲ୍ଲା ଓକିଲ ସଂଘ ଆହ୍ୱାନ କ୍ରମେ ଗତ ଜୁଲାଇ ୨୨ ତାରିଖ ଦିନ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଥିଲା । ସେହିପରି ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବଅଁରପାଳ ଛକ ଠାରେ ଓ ଢେଙ୍କାନାଳ କଲେଜ୍ ବାଇପାସ୍ ଛକ ଠାରେ ଜାତୀୟ ରାଜପଥ ଓ ରେଳପଥକୁ ଅବରୋଧ କରାଯାଇଥିଲା ।
ଏସବୁ ସତ୍ୱେ ଜାତୀୟ ରାଜପଥ ପ୍ରାଧିକରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟ କାର୍ଯ୍ୟାଦେଶ ନେଇଥିବା ଠିକାସଂସ୍ଥା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଜାତୀୟ ରାଜପଥ ପୂର୍ବରୁ ଯେପରି ଥିଲା ବର୍ତମାନ ସେହିପରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବାରୁ ବକ୍ତାମାନେ ଏହାର ନିନ୍ଦା କରିବା ସହିତ ତୁରନ୍ତ ୧ମାସ ମଧ୍ୟରେ କାର୍ଯ୍ୟ ତ୍ୱରାନ୍ୱିତ ନହେଲେ ପୁନର୍ବାର ଢେଙ୍କାନାଳ ବନ୍ଦ କରିବା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ସଚେତନ ନାଗରିକ ଫୋରମ୍ର ସଂପାଦକ ଭରତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣାରେ ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ପୂର୍ବତନ ନଗରପାଳ ତଥା ସଚେତନ ନାଗରିକ ଫୋରମ୍ର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଆମ ପ୍ରତିଭା ଆମ ସମ୍ମାନର ସଭାପତି ତଥା ହିନ୍ଦୋଳ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁଁନ୍ତ, ଆମ ପ୍ରତିଭା ଆମ ସମ୍ମାନର ଉପସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ଭୁବନ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ଆମ ପ୍ରତିଭା ଆମ ସମ୍ମାନର ସଂପାଦକ ଧର୍ମାନନ୍ଦ ବରାଳ, ମହିଳା ନେତ୍ରୀ ତିଳୋତମା ଚୌଧୁରୀ, ଓଡାପଡା ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ, ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ପାତ୍ର, ଚାମ୍ବର ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ, ବୁଦ୍ଧିଜୀବୀ ସଂଘର ସଭାପତି ରବିନାରାୟଣ ମହାନ୍ତି, ଜିଲ୍ଲା ଦଳିତ ସମାଜର ସଭାପତି କୈଳାସ ନାୟକ, ସମାଜସେବୀ ପ୍ରଶାନ୍ତ କୁମାର ମିଶ୍ର, ଜନସଂଖ୍ୟା ଫାଉଣ୍ଡେସନ୍ର ସଭାପତି କଲ୍ୟାଣ କାନୁନ୍ଗୋ, ଗୋବର୍ଦ୍ଧନ ପୀଠର ପ୍ରତିନିଧି ପଣ୍ଡିତ ମାତୃପ୍ରସାଦ ମିଶ୍ର, ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସରୋଜ ଶତପଥୀ, ପୂର୍ବତନ ସରପଞ୍ଚ ଜଗବନ୍ଧୁ ଦଳେଇ, ବସ୍ ମାଲିକ ସଂଘର ସଭାପତି ପ୍ରଭାକର ବେହେରା, ଟ୍ରକ୍ ମାଲିକ ସଂଘର ସଭାପତି ରୁଦ୍ରାନ୍ତ ଦଳେଇ, ଶ୍ୟାମାଚରଣପୁର ବିକାଶ ପରିଷଦର ସଭାପତି ଯୋଗୀନାଥ ମହାନ୍ତି, ଗଁଦିଆ ବିକାଶ ପରିଷଦର ସଭାପତି ତାପସ କୁମାର ରାଉତ, ପୂର୍ବତନ କାଉନ୍ସିଲର ଜ୍ଞାନଚାନ୍ଦ ମିଶ୍ର, ଦୈନିକ ରେଳଯାତ୍ରୀ ସଂଘର ସଭାପତି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, କାଇମାଟି ସରପଂଚ ଅମିତ୍ ଜ୍ୟୋତି ସ୍ୱାଇଁ ପ୍ରମୁଖ ଯୋଗଦେଇ ଜାତୀୟ ରାଜପଥର ଦୂରାବସ୍ଥା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରତିବାଦ ସଭାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଆମ ପ୍ରତିଭା ଆମ ସମ୍ମାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।