ରାଜରାସ୍ତାରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ !

ଢେଙ୍କାନାଳ : ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇ ସରକାରଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବୀପତ୍ର ଆଜି ଶନିବାର ପ୍ରଦାନ କରାଯାଇଛି ।

ନିକଟ ଅତୀତରେ ରାଜ୍ୟ ସରକାର ଚୁକ୍ତିଭିତିକ ନିଯୁକ୍ତି ଉଚ୍ଛେଦ କରିଛନତି । କିନ୍ତୁ ଏହା ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ଲାଗୁ କରିନାହାଁନ୍ତି । ୨୦୦୧ ମସିହାରେ ଯେତେବେଳେ ସରକାରଙ୍କ ଆର୍ଥିକ ଅବସ୍ଥା ଅସ୍ୱଚ୍ଛଳ ଥିଲା ସେତେବେଳେ ପ୍ରାଥମିକ ଶିକ୍ଷକଙ୍କୁ ଶିକ୍ଷା ସହାୟକ ଭାବେ ୧୫୦୦ ଟଙ୍କାରେ ଚୁକ୍ତିଭିତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା । ୨୦୦୧ ମସିହା ଠାରୁ ପ୍ରାଥମିକ ଶିକ୍ଷକମାନେ ସ୍ୱଳ୍ପ ବେତନରେ ନିଯୁକ୍ତି ପାଇ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଛନ୍ତି ।

ଏତଦ୍‌ବ୍ୟତୀତ ସରକାରଙ୍କ ନୂତନ ପେନ୍‌ସନ୍ ବ୍ୟବସ୍ଥା ଫଳରେ ଜଣେ ପ୍ରାଥମିକ ଶିକ୍ଷକ ୧୫ ରୁ ୨୦ବର୍ଷ ଚାକିରୀ କରି ଅବସର ନେଲେ ତାକୁ ମାତ୍ର ୭୦୦ ରୁ ୧୫୦୦ ଟଙ୍କା ମଧ୍ୟରେ ପେନ୍‌ସନ୍ ମିଳୁଛି । ଏହି ସ୍ୱଳ୍ପ ପେନ୍‌ସନ୍‌ରେ ଅବସରପ୍ରାପ୍ତ ଶିକ୍ଷକଟି ନିଜ ପରିବାର ଚଳାଇବା ପାଇଁ କଷ୍ଟ ସ୍ୱୀକାର କରୁଛି । ତେଣୁ ସରକାର ୨୦୦୧ ମସିହା ଠାରୁ ନିଯୁକ୍ତ ଶିକ୍ଷକ କ୍ଷେତ୍ରରେ ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା, ମୂଳ ନିଯୁକ୍ତି ସମୟ ଠାରୁ ଚାକିରୀ ସମୟ ଗଣନା କରିବା ଓ ପ୍ରତିବର୍ଷ ଇନ୍‌କ୍ରିମେଂଟ ପ୍ରଦାନ କରିବା, ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବା ଓ ଏକ୍ସ-କ୍ୟାଡର ଶିକ୍ଷକ ବ୍ୟବସ୍ଥା ଉଚ୍ଛେଦ କରି ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଆଦି ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା ଆଜି ଅପରାହ୍ନରେ ଆୟୋଜିତ ହୋଇଥିଲା ।

ଶୋଭାଯାତ୍ରା ବଳଦେବଜୀଉ ମନ୍ଦିର ଠାରୁ ଆରମ୍ଭ ହୋଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବସ୍‌ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲା । ସଂଘର ଜିଲ୍ଲା ସଭାପତି ନିରାକର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପ୍ରଶାନ୍ତ ନାଥ, ବୈରାଗୀ ସେଠୀ, ଅଜୟ ସ୍ୱାଇଁ, ସୁଶାନ୍ତ ପାଢୀ, ମହେଶ୍ୱର ପ୍ରଧାନ ପ୍ରମୁଖ ଶିକ୍ଷକ ନେତା ଅଭିଭାଷଣ ପ୍ରଦାନ କରି ସରକାରଙ୍କର ଶିକ୍ଷାନୀତି ଓ ପ୍ରାଥମିକ ଶିକ୍ଷକ ମାରଣ ନୀତିକୁ ଦୃଢ ନିନ୍ଦା କରିଥିଲେ ।

ଆସନ୍ତା ନଭେମ୍ବର ୨୭ ତାରିଖରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆହ୍ୱାନ କ୍ରମେ ବିଧାନସଭା ସମ୍ମୁଖରେ ପ୍ରସ୍ତାବିତ ଗଣଧାରଣା ରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ ଆନ୍ଦୋଳନ କୁ ସଫଳ କରିବା ପାଇଁ କର୍ମକର୍ତାମାନେ ଅନୁରୋଧ କରିଥିଲେ । ଏହି ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକ୍‌ରୁ ୩ ହଜାର ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.

16 + 5 =