ଢେଙ୍କାନାଳ : ବିଉଟିସିଆନ୍ ୱେଲ୍ଫେୟାର୍ ଆସୋସିଏସନ , ଓଡିଶାର ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା ଶାଖାର ଶୁଭାରମ୍ଭ ପର୍ବ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ପାଳିତ ହୋଇଯାଇଛି ।
ଆସୋସିଏସନର ଜିଲ୍ଲା ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ୱରେ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶତାଧିକ ବିଉଟିସିଆନ ଏଥିରେ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଏଥିରେ ରାଜ୍ୟ ସଂଘ ତରଫରୁ ରାଜ୍ୟ ସଭାନେତ୍ରୀ ସୁଶ୍ରୀ ସୁପ୍ରିୟା ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଏବଂ ରାଜ୍ୟ ପଦାଧିକାରୀମାନେ ଯୋଗଦେଇ ଜିଲ୍ଲା ସଂଘକୁ ସ୍ୱୀକୃତି ପ୍ରଦାନ ଦେଇଥିଲେ ।
ଉକ୍ତ ସଭାରେ ବିଉଟିସିଆନ୍ମାନଙ୍କର ବିଭିନ୍ନ ବୃତିଗତ ତଥା ସାମାଜିକ ଅସୁବିଧା ଓ ଏହାର ନିରାକରଣ ବିଷୟରେ ଆଲୋଚନା ହୋଇଥିଲା । ବିଗତ କରୋନା କାଳରେ ସରକାରଙ୍କ ନିୟମ ମାନି ଓଡିଶାର ପ୍ରାୟ ସମସ୍ତ ବିଉଟିପାର୍ଲରମାନେ ଅପୁରଣୀୟ କ୍ଷତିର ସମ୍ମୁଖୀନ ହୋଇଥିଲେ । ଭବିଷ୍ୟତରେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ରଣନୀତିର ପ୍ରସ୍ତୁତି କରାଯାଇଥିଲା ।
ଜିଲ୍ଲା ସଭାନେତ୍ରୀ ସ୍ମିତାରାଣୀ ସାମଲ ସଦସ୍ୟାମାନଙ୍କୁ ସମାଜ ପ୍ରତି ସେମାନଙ୍କର କର୍ତ୍ତବ୍ୟର ପାଳନ ନିମନ୍ତେ ଆହ୍ୱାନ ଜଣାଇଥିଲେ । ଢେଙ୍କାନାଳ ସହର ତଥା ପାଖଆଖରୁ ଆସିଥିବା ସମସ୍ତ ସଦସ୍ୟାମାନେ ପରସ୍ପର ସହିତ ମିଳିମିଶି ଆଗକୁ ଜିତିବା ସହିତ ସମାଜର ମଙ୍ଗଳ ପାଇଁ ଚେଷ୍ଟା କରିବାର ଶପଥ ଗ୍ରହଣ କରିଥିଲେ । ଏହି ବୈଠକରେ ସର୍ବସମ୍ମତି କ୍ରମେ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା ।
ଉକ୍ତ କମିଟିରେ ସୁଚିସ୍ମିତା ମହାନ୍ତି, କବିତା ବେହେରା, ସସ୍ମିତା ଦାସ, ସାଗରିକା ଦାସ, ଜୟଲକ୍ଷ୍ମୀ ଦୋରା, ମମତା, ପ୍ରଣତି ପଣ୍ଡା, ଲଳିତା, ଲିକିତା, ଶକ୍ତିସ୍ୱରୂପା ପାତ୍ର, ରଶ୍ମିତା ମହାନ୍ତି ପ୍ରମୁଖ ଯୋଗଦାନ ଦେଇଥିଲେ । ସର୍ବଶେଷରେ ସାଧାରଣ ସମ୍ପାଦିକା ସୁଶ୍ରୀ ମାଳବିକା ସ୍ୱାଇଁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।