ଢେଙ୍କାନାଳ : ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱରଙ୍କ ପବିତ୍ର ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି ।
ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ପ୍ରଥମ ପ୍ରହରରେ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ ପକାଇ ଡଙ୍ଗାଭସାଇ ପ୍ରାତଃ ସମୟରେ ଆରାଧ୍ୟଦେବତା ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନ ଲାଭ କରିଥିଲେ ।
ମାସକ ତମାମ ହବିଷ କରୁଥିବା ହବିଷ୍ୟାଳୀ ମାନେ ରାଧାଗୋବିନ୍ଦ ଙ୍କ ପୂଜା ବଭିନ୍ନ ଢଙ୍ଗରେ କରି ବ୍ରତ ସମାପନ କରିଥିଲେ । ବଡିଭୋରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ଓ ଭକ୍ତମାନେ ଧାଡିରେ ଯାଇ ଠାକୁର ଦର୍ଶନ କରିଥିଲେ ।
ତୈଳିକ ବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରକାରର ଖାଦ୍ୟ, ମନୋହରୀ ଦୋକାନ ର ପସରା ମେଲିଥିଲା । ଲୋକମାନେ ହାଟ ବଜାରରେ ମିଳୁନଥିବା ବିଭିନ୍ନ ସାମଗ୍ରୀ କିଣିଥିଲେ । ଆର୍ଯ୍ୟ ସମାଜ ତରଫରୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ବାଲିଯାତ୍ରା ରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା ।
ମନ୍ଦିର ପରିଚାଳନା କମିଟି ସଭ୍ୟମାନେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିବା ବେଳେ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଗୋଟେ ପ୍ଲାଟୁନ ପୋଲିସଫୋର୍ସ ଙ୍କ ଜରିଆରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ଚଳିତବର୍ଷ ପ୍ରଥମ ଥର ପାଇଁ ପୁରୁଷୋତମପୁର ଶାସନ ରୁ ରାଧାକୃଷ୍ଣ ଠାକୁର ଆସିନଥିଲେ କି ହରିହର ଭେଟ ହୋଇନଥିଲା । ଆସନ୍ତା କାଲି ଚନ୍ଦ୍ରଗ୍ରହଣ ସକାଶେ ମନ୍ଦିର ବନ୍ଦ ରହିବ କିନ୍ତୁ ବାଲିଯାତ୍ରା ହେବ ବୋଲି ମନ୍ଦିର କମିଟି ନିଷ୍ପତି ନେଇ ଥିବା ର ସୂଚନା ଦେଇଛନ୍ତି।