ଜିଲ୍ଲାର କୋଭିଡ ସ୍ଥିତି ଓ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା : ଜିଲ୍ଲାର ସମସ୍ତ ୨୧୨ଟି ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ କରାଯିବ !

ଢେଙ୍କାନାଳ: ଜିଲ୍ଲାର କୋଭିଡ ସ୍ଥିତି ଓ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା ଜିଲ୍ଲାପାଳ ସରୋଜ କୁମାର ସେଠୀ କରିଛନ୍ତି ।

ବିଭିନ୍ନ ସ୍କୁଲର ଡ୍ରପ ଆଉଟ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦ୍ୟାଳୟକୁ ଆଣିବାରେ ବ୍ୟବସ୍ଥା କରିବା ସହିତ ଅନ୍ୟ ପିଲାମନଙ୍କୁ ମଧ୍ୟ ପାଠ ପଢିବା ନିମନ୍ତେ ଲୋକମାନଙ୍କୁ ସଚେତନ କରି ବିଦ୍ୟାଳୟରେ ନାମ ଲେଖାଇବାର ବ୍ୟବସ୍ଥା କରିବାକୁ ସେ ଡିଇଓ.,ବିଇଓ ଏବଂ ଏବିଇଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅପହଁଚି ଅଂଚଳରେ ଏଥିପ୍ରତି ଅଧିକ ଧ୍ୟାନ ଦେଇ ସ୍ୱାକ୍ଷରତା ହାର ବୃଦ୍ଧି କରିବାକୁ କହିଛନ୍ତି ।

ପ୍ରତ୍ୟେକ ବିଦ୍ୟାଳୟକୁ ଆପ୍ରୋଚ ରୋଡ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ,ପାଇଖାନା, ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କର ପୁଷ୍ଟିସାଧନ, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

୫-ଟି ଅଧିନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ବିଡିଓମାନଙ୍କୁ ନିର୍ଦେଶ ଦେବା ସହ ବିଦ୍ୟାଳୟ ଗୁଡିକର ସ୍ଥାୟୀ ଜମିପଟ୍ଟାର ବ୍ୟବସ୍ଥା କରିବାକୁ କହିଛନ୍ତି । ପ୍ରତ୍ୟେକ ବ୍ଳକରେ ଷ୍ଟାଡିୟମ, ବସଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଜିଲ୍ଲାର ସସ୍ତ ୨୧୨ ଗୋଟି ପଂଚାୟତରେ ରୁରାଲ ପାର୍କ ନିର୍ମାଣ କରି ଗ୍ରାମାଂଚଳକୁ ଆକର୍ଷଣୀୟ କରିବାକୁ କହିଛନ୍ତି ।

ଗ୍ରାମାଞ୍ଚଳରେ ମଡେଲ ପୋଖରୀ ଏବଂ ରାସ୍ତାର ଉନ୍ନତିକରଣ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜସ୍ୱ ଆଦାୟ ବୃଦ୍ଧି ପାଇଁ ତହସିଲଦାର ଓ ବିଡିଓମାନେ ଯତ୍ନବାନ ହେବାକୁ ସେ କହିଛନ୍ତି । ସିଏଚସି ଏବଂ ପିଏଚସି ରେ ଉତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ କରି ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦୋ ସହିତ ଖଣି ଖଦାନରୁ ବେଆଇନ ଖନନ, ଉତୋଳନ ଏବଂ ଚାଲାଣ ଉପରେ ତିକ୍ଷ୍‌ଣ ନଜର ରଖି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ତହସିଲଦାରମାନଙ୍କୁ ଅତିରିକ୍ତ ଜିଲ୍ଲାପାଲ ଶଶାଙ୍କ ଶେଖର ଦାଶ କହିଛନ୍ତି ।

ଜନସାଧାରଣଙ୍କ ସୁବିଧା ନିମନ୍ତେ ଆରଆଇ ଅଫିସ ନିର୍ମାଣ ସହିତ ରେଭିନ୍ୟୁ ରେଷ୍ଟ ହାଉସ ସମସ୍ତ ୮ଟି ତହସିଲରେ ନିର୍ମାଣ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଛନ୍ତି ।ଆବାସ ଯୋଜନାରେ ବାସଗୃହ ନିର୍ମାଣକୁ ତ୍ୱରାନ୍ୱିତ କରି ଲକ୍ଷ୍ୟ ପୂରଣ କରିବାକୁ ସେ ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅସମ୍ପୂର୍ଣ୍ଣ ପ୍ରୋଜେକ୍ଟ ଗୁଡିକୁ ଯଥାଶୀଘ୍ର ଶେଷ କରିବା ନିମନ୍ତେ ଅଧିକରୁ ଅଧିକ ଶ୍ରମିକ ମାନଙ୍କୁ କାମରେ ଲଗାଇବାକୁ ସେ କହିଛନ୍ତି ।

ଗ୍ରାମାଞ୍ଚଳରେ ପାର୍କ, ପୋଖରୀ ଏବଂ ରାସ୍ତା ନିର୍ମାଣ ଉପରେ ଅଧିକ ଧ୍ୟାନ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।ଜିଲ୍ଲାରେ ନିୟମିତ ଭାବେ ଆଂଟିଜେନ ଏବଂ ଆରଟିପିସିଆର ଟେଷ୍ଟ ଓ ଟୀକାକରଣର ଅଗ୍ରଗତି ସମ୍ପର୍କରେ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାସ ଅବଗତ କରାଇଥିଲେ । ୧୨ରୁ ୧୪ ବର୍ଷ ବୟସ୍କ ପିଲମାନଙ୍କୁ ଅଗ୍ରାଧିକାର ଭିତିରେ ଟୀକାକରଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ଭିଡିଓ କନଫରେନ୍ସିଂ ବୈଠକରେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଆଇଏଏସ ପ୍ରୋବେସନ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାର ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡିପିଏମ , ଏନଏଚଏମ ସୋନାଲୀ ପ୍ରିୟଦର୍ଶିନୀ, ଆପାତକାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ର, ତହସିଲଦାର ଅନୁପମା ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

five × three =