ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଶିଶୁଙ୍କ ପାଇଁ ଦିନଟିଏ !

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନ ପରି ସାମାଜିକ ବ୍ୟାଧିକୁ ରୋକିବା ଏବଂ ଶିକ୍ଷା ଓ କୌଶଳିକ ଜ୍ଞାନ ମାଧ୍ୟମରେ କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଶିଶୁ ପାଇଁ ଦିନଟିଏ ତଥା ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସର ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ ବୈଠକର ଉଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ପରେ ଆକ୍ସନ ଓ ୟୁନିସେଫର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଅଙ୍ଗୁର ମିଶ୍ର ଗତ ୩ ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ଶିଶୁ ସୁରକ୍ଷା,ବାଲ୍ୟ ବିବାହ ଓ ଶିଶୁ ଶ୍ରମିକକୁ ରୋକିବା , କିଶୋର କିଶୋରୀମାନଙ୍କ ପାଇଁ ହୋଇଥିବା ତାଲିମ ଶିବିର , ବିଦ୍ୟାଳୟ ପ୍ରବେଶ ପାଇଁ କରାଯାଇଥିବା କାର୍ଯ୍ୟକ୍ରମ ଓ ଆଗକୁ କରାଯିବା ଯୋଜନା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ ।

ଯେପରିକି ଗତ ୩ ମାସ ମଧ୍ୟରେ ୧୨ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଥିବା ବେଳେ କିଶୋର କିଶୋରୀମାନଙ୍କ ପାଇଁ ୧୯ଟି ଦକ୍ଷତା ବୃଦ୍ଧି ଶିିବିର ଆୟୋଜିତ ହୋଇଥିବାର ପ୍ରକାଶ କରିଥିଲେ । ସେହିପରି ୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇ ଥିବାର ସୂଚନା ଦେଇଥଲେ ।

୧୧୮୩ ଜଣଙ୍କୁ ଆଶିର୍ବାଦ ଯୋଜନାରେ ସାମିଲ କରାଯାଇଥିବା ବେଳେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୧୫ ଜଣ ଅନାଥ ଶିଶୁଙ୍କୁ ସାମିଲ କରାଯାଇଥିବାର କହିଥିଲେ । କିଶୋର କିଶୋରୀମାନଙ୍କ ପାଇଁ ଅଦ୍ୱିକା ଓ କଳ୍ପନା ଅଭିଯାନ ପରି ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ସୂଚନା ଦେଇଥିଲେ । ଅଧାରୁ ପାଠଛାଡିଥିବା ଶିଶୁମାନଙ୍କ ପାଇଁ ବ୍ୟାଙ୍କ ଟୁ ସ୍କୁଲ କ୍ୟାମ୍ପେନ କରାଯାଇଥିବାର କହିଥିଲେ ।

ସର୍ବୋପରି କିଶୋର କିଶୋରୀମାନଙ୍କ ପାଇଁ ସରକାରୀ ଯୋଜନା ବା ବିଷୟରେ ଅବଗତ କରାଇ ଆଗକୁ ଜିଲ୍ଲାର ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟକରି ଶିଶୁମାନଙ୍କର ଅଧିକାର ଓ ସୁରକ୍ଷାକୁ ସୁରକ୍ଷିତ କରାଇବେ ବୋଲି ଆଲୋଚନା କରାଯାଇଥିଲା । ଜିଲ୍ଲାର ୪୭ଟି ଗ୍ରାମକୁ ୨୦୧୯-୨୦ମସିହା ଲାଗି ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯିବା ଲାଗି ନିଷ୍ପତି ନିଆଯାଇଥିଲା । ପରେ ଉପପସ୍ଥିତ ଥିବା ସମସ୍ତ ସଦସ୍ୟମାନେ ନିଜର ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ ।

ମୁଖ୍ୟତଃ ବାଲ୍ୟବିବାହକୁ ରୋକାଯିବା, ଶିଶୁମିତ୍ର ପଞ୍ଚାୟତ ଗଠନ କରାଯିବା, କିଶୋର କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି କରାଇ ରୋଜଗାର କ୍ଷମ କରାଇବା ,ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ କରାଇବା ଓ ସମସ୍ତ ଶିଶୁ କିପରି ବିଦ୍ୟାଳୟ ଯାଇ ଶିକ୍ଷାଦାନକରିବେ ସେ ସବୁ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାପାଳ ଶ୍ରୀ ସେଠୀ ବାଲ୍ୟବିବାହକୁ ରୋକିବା ଲାଗି ପ୍ରତି ଯାଗାରେ ଆଲୋଚନା କରାଯିବାର ଲଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ ।ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରାଇବା ଜରୁରୀ ବୋଲି ମତାମତ ରଖିଥିଲେ ।

ସମସ୍ତ ବିଭାଗ ଏକାଠି ହୋଇ କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକ ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅଧାରୁ ପାଠ ଛାଡିଥିବା ଶିଶୂୁମାନଙ୍କୁ ପୁନର୍ବାର ବିଦ୍ୟାଳୟକୁ ଅଣାଯାଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଇବା ଓ ମିଳିତ କାର୍ଯ୍ୟ ଖସଡା ଅନୁସାରେ ଶିଶୁମାନଙ୍କର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ପର୍କରେ କହିଥିଲେ । ନୂଆ ଭାବେ ନିର୍ବାଚନରେ ବିଜୟୀ ହୋଇଥିବା ସରପଂଚ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ କାର୍ଯ୍ୟକ୍ରମରେ ମହିଳା ସ ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶାଇବା ଲାଗି କହିଥିଲେ । ଜିଲ୍ଲାରେ ଏହି ସବୁ କାର୍ଯ୍ୟକୁ ନେଇ ସେଚତନତା ରଥ ବୁଲାଇବା ପାଇଁ କହିଥିଲେ । ବିଶେଷ କରି କନ୍ୟା ଶିଶୁମାନଙ୍କର ଶିକ୍ଷାର ଉନ୍ନତି ପାଇଁ କାମ କରାଯିବା ଦରକାର ବୋଲି କହିଥିଲେ । ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପୋଲିସ ବିଭାଗର କର୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଅଶୋକ କୁମାର ଦାଶ,ଜନସ୍ୱାସ୍ଥ୍ୟ ଅଧିକାରୀ ଡିଏସପି ଅର୍ଚ୍ଚନା ଟୁଡୁ ଏବଂ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ କଲ୍ୟାଣ କମିଟି ସଦସ୍ୟ, ଜିଲ୍ଲା ନିଯୁକ୍ତି ଅଧିକାରୀ, ଜିଲ୍ଲା ସମାଜସେବା ଅଧିକାରୀ, ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ବାଲ୍ୟ ବିବାହ ନିଷେଧ ଅଧିକାରୀ, ଚାଇଲ୍ଡ ଲାଇନ ଓ ସମାଜସେବା ଅନୁଷ୍ଠାନ ପ୍ରମୁଖ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

twelve − eleven =