ଜିଲ୍ଲାସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ !

ଢେଙ୍କାନାଳ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯେଗଦେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ଆଶାକର୍ମୀ ମାନଙ୍କର ଅବଦାନ ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ । ସେହିପରି କୋଭିଡ ଯୁଦ୍ଧରେ ଜିଲ୍ଲାରେ ଆଶାନୁରୂପ ସଫଳତା ନିମ୍‌ନ୍ତେ ଆଗଧାଡିର ସମ୍ମୁଖ ଯୋଦ୍ଧା ମାନଙ୍କର ଜିଲ୍ଲାପାଳ ଶ୍ରୀ ସେଠୀ ଉଚ୍ଚ ପ୍ରଶଂସା କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଅଶୋକ କୁମାର ଦାଶ ଯୋଗଦେଇ ଆଶାମାନଙ୍କର ଅତୁଳନୀୟ ଅବଦାନ ପାଇଁ ଧନ୍ୟବାଦ ଦେବା ସହିତ ଗାଁ କଲ୍ୟାଣ ସମିତି ଅଧିକ ସକ୍ରିୟ ହେବା ସହ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଓ ପରିମଳର ଉନ୍ନତି ପାଇଁ ସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଆହ୍ୱାନ ଦେଇଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନରକାର୍ଯ୍ୟକ୍ରମ ପରିଚାଳକ ସୋନାଲୀ ପ୍ରିୟଦର୍ଶିନୀ ଗୋଷ୍ଠୀ ସହଭାଗିତାରେ କିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢିବ ସେ ସମ୍ପର୍କରେ ବୁଝାଇଥିଲେ । ପ୍ରାରମ୍ଭରେ ଏକ ସ୍ୱାସ୍ଥ୍ୟ ପତ୍ରିକାର ଶୁଭ ଉନ୍ମୋଚନ ଅତିଥି ମାନଙ୍କ ଦ୍ୱାରା ହୋଇଥିଲା ।

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାଠଗଡା ଚଳିତ ବର୍ଷ କାୟାକଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବାରୁ ସମସ୍ତ ଟିମ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସେହିପରି ବିଭିନ୍ନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୮ଗୋଟି ଗାଁ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କାମାକ୍ଷାନଗର ବ୍ଲକର ରାୟନୃସିଂହପୁର ପଞ୍ଚାୟତ, ଭୁବନର ମଠକରଗୋଳା ଗ୍ରାମ ପଞ୍ଚାୟତ ଏବଂ ଓଡାପଡା ବ୍ଳକର କାଶିଆଡିହି ଗ୍ରାମ ପଂଚାୟତକୁ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ରୂପେ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ମୁଖ୍ୟ ଅତିଥି ଶ୍ରୀ ସେଠୀ ପ୍ରଦାନ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ୯ ଜଣ ଆଶାକର୍ମୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ୩ ଗୋଟି ମହିଳା ଆରୋଗ୍ୟ ସମିତିକୁ ୩ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜ ପ୍ରତିଯୋଗୀତା ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପଂଚାୟତ ୍‌ଅଧିକାରୀ, ବିଭିନ୍ନ ବ୍ଳକର ଭାରପ୍ରାପ୍ତ ଚିକିତ୍ସାଧିକାରୀ, ସରପଞ୍ଚ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ସଦସ୍ୟମାନଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ରାଜ୍ୟ ପ୍ରତିନିଧି ରୂପେ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଶା ମ୍ୟାନେଜର ଅକ୍ଷୟ କୁମାର ରାଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ୱାସ୍ଥ୍ୟ ମିଶନର ସମସ୍ତ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

twenty + 13 =