‘ମୋ ସରକାର’ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦିଗହରା ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର !

ଢେଙ୍କାନାଳ : ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏକ ଅଭିଯୋଗ। ଜଣେ ଦୁର୍ଘଟଣା ଗ୍ରସ୍ତ ଦିବ୍ୟାଙ୍ଗ ରୋଗୀଙ୍କୁ ମେଡିକାଲ କୁ ଯୋଗାଣ ହେଉଥିବା ଔଷଧ ପ୍ରଦାନ କରିବା ପରିବର୍ତ୍ତେ ବାହାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଡାକ୍ତର ଲେଖିଥିବା ୯୨୦ ଟଙ୍କାର ଔଷଧ କିଣିବା ପାଇଁ ଉକ୍ତ ଗରିବ ଦିନ ମଜୁରିଆ ଦିବ୍ୟାଙ୍ଗଙ୍କୁ ଜଣେ ଜନପ୍ରତିନିଧ ଙ୍କ ସହାୟତା ଲୋଡ଼ିବାକୁ ପଡ଼ିଥିବାବେଳେ ଏହିଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ମୁତାବକ , ଗଁଦିଆ ବ୍ଲକ ବିଧାରପୁର ପଞ୍ଚୟତ ବାଇଶିଆଁ ଗ୍ରାମ ଶବର ସାହିର ଦିନ ମଜୁରିଆ ତଥା ଦିବ୍ୟାଙ୍ଗ ବିରଞ୍ଚି ଦେହୁରୀ ଅପରାହ୍ନରେ କାମସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ନାଗେନା ଉଚ୍ଚପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ ଧକ୍କା ଦେବାରୁତାଙ୍କ ମୁଣ୍ଡ ଫାଟିଯାଇଥିଲା। ପୂର୍ବତନ ବିଧାୟକ ନବୀନ ନନ୍ଦ ଅନୁରୋଧ କ୍ରମେ ଜଣେ ଭଦ୍ରବ୍ୟକ୍ତି ସହାୟତା ରେ ଶ୍ରୀରାମଚନ୍ଦ୍ରପୁରଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ତାଙ୍କର ଡ୍ରେସିଂ କରିବା ପରେ ବାହାରୁ ଔଷଧ କିଣି ଆଣିବାକୁ କହିଥିଲେ। ଔଷଧ ମୂଲ୍ୟ ୯୨୦ ଟଙ୍କା ହୋଇଥିବାବେଳେ ବିରଞ୍ଚିଙ୍କ ପାଖରେ ଆବଶ୍ୟକ ଅର୍ଥ ନ ଥିଲା। ଅସହାୟତା ସମ୍ପର୍କରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଜଣାଇଥିଲେ। ବିଧାୟକଙ୍କ ଅର୍ଥ ପ୍ରଦାନ ପରେ ସେ ଔଷଧ କିଣି ଆଣିଥିଲେ।

ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ ନନ୍ଦ ଜିଲ୍ଲପାଳ , ସିଡିଏମଓଙ୍କ୍‌ ଦୃଷ୍ଟି ଆକର୍ଷଣ କରିବା ସହ ଗରିବ ରୋଗୀଙ୍କୁ କରାଯାଉଥିବା ଏଭଳି ଶୋଷଣ ନିତିଦିନିଆ ହୋଇଛି ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ। ଗ୍ରାମଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ସରଳତାର
ସୁଯୋଗ ନେଇ ରୋଗୀଙ୍କୁ ଶୋଷଣ କରାଯାଉଛି।

ନିଃଶୁଳ୍କ ଔଷଧ ଦେବା ପରିବର୍ତ୍ତେ ବାହାରୁ ଟଙ୍କା ଦେଇ କିଣିବାକୁ
ବାଧ୍ୟ କରାଯାଉଛି। ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ନିଃଶୁଳ୍କ ଔଷଧ ପ୍ରଦାନ କରାଯିବାର ନିୟମ ରହିଛି। ସମସ୍ୟା ଗମ୍ଭୀର ଥଲେ ତୁରନ୍ତ ଜିଲା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇବା ନିର୍ଦେଶ ରହିଛି। ‘ମୋ ସରକାର’ ବ୍ୟବସ୍ଥାରେ ଡାକ୍ତରଖାନାରେ ଅଧିକାଂଶ ଔଷଧ ମାଗଣାରେ ଯୋଗାଇ ଦିଆଯାଉଅଛି। ତେବେ ଦିନ ମଜୁରିଆ ବିରଞ୍ଚିଙ୍କ ପରି ସ୍ଵସ୍ଥ୍ଯ ସେବାରେ ଶୋଷଣ ଶିକାର ହେଉଥିବା ତାହା ତଦନ୍ତ ସାପେକ୍ଷ।

Leave A Reply

Your email address will not be published.

14 − five =