ନିଆଁ ପାଣି ବାସନ୍ଦ କଲା ସମାଜ : ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ ପରିବାର !

ଢ଼େଙ୍କାନାଳ : ହିନ୍ଦୋଳ ଥାନା ଅନ୍ତର୍ଗତ ଏନ୍ଏସି ୯ ନମ୍ବର ଓ୍ୱାର୍ଡ୍ ରୂପାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅସହାୟ ପରିବାର ନ୍ୟାୟ ପାଇବା ନିମନ୍ତେ ହିନ୍ଦୋଳ ପୋଲିସ୍ ର ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ରୂପାଳି ଗ୍ରାମର ମନ୍ଦର ନାଏକ ଙ୍କ ବଡ଼ ପୁଅ ତିନି ମାସ ପୂର୍ବେ ପ୍ରେମ ବିବାହ କରିଛନ୍ତିି। ପ୍ରେମ ସଂପର୍କ ପରେ ଅନ୍ୟ ଏକ ଜାତିରେ ଉଭୟ ପରିବାର ଙ୍କ ସହମତିରେ ତାଙ୍କ ବିବାହ ହୋଇଥିଲା। ହେଲେ ଏହି ବିବାହ କୁ ତାଙ୍କ ସମାଜ ଗ୍ରହଣ କରିବାକୁ ନାରାଜ। ଅନ୍ୟ ଜାତିରେ ବିବାହ କରିଥିବାରୁ ବୈଠକ ବସି ସମାଜ ତାଙ୍କୁ ଜୋରିମାନା କରାଇଥିଲା।

୧୦ ହଜାର ଟଙ୍କା ସହ ଭୋଜି ମଧ୍ୟ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଟଙ୍କା ନଦେଇ କେବଳ ଭୋଜି ଦେବାକୁ ମନ୍ଦର ଙ୍କ ପରିବାର ରାଜି ହେବାରୁ ସମାଜ ମଧ୍ୟ ମାନି ନେଇଥିଲା। ହେଲେ ପରେ କିଛି ଖଳ ପ୍ରକୃତିର ଲୋକ ଜୋରିମାନା ଟଙ୍କା ଦେବାକୁ ଚାପ ପକାଇଥିଲେ। ଟଙ୍କା ଦେବାକୁ ମନ୍ଦର ଙ୍କ ପରିବାର ରାଜି ନହେବାରୁ ସମାଜ ବୈଠକ ଡକାଇ ତାଙ୍କ ପରିବାର କୁ ନିଆଁ ପାଣି ବାସନ୍ଦ କରାଯିବା ସହ ଗାଆଁ ରାସ୍ତା ରେ ଚଲାଇ ଦିଆଯିବ ନାହିଁ ବୋଲି ଧମକ ଦିଆ ଯାଇଥିବା ମନ୍ଦର ଅଭିଯୋଗ କରିଛନ୍ତି।

ବାସନ୍ଦ ହୋଇ ରହିଥିବା ମନ୍ଦର ଙ୍କ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ମନ୍ଦର ଙ୍କ ପୁଅ ଦୋଳଗୋବିନ୍ଦ ହିନ୍ଦୋଳ ଥାନାର ଦ୍ଵାରସ୍ଥ ହେବା ସହ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। କେବଳ ରୂପାଳି ଗ୍ରାମରେ ନୁହେଁ ହିନ୍ଦୋଳ ର ବିଭିନ୍ନ ଅଞ୍ଚଳରେ ଏମିତି କଙ୍ଗାରୁ କୋର୍ଟ ଦେଖିବାକୁ ମିଳୁଛି। ସୂଚନା ଥାଉକି କିଛି ବର୍ଷ ପୂର୍ବେ ରାସୋଳ ଥାନା ଅନ୍ତର୍ଗତ ଆଳୁ ସିଂହ ଗ୍ରାମରେ ମଧ୍ୟ ଏହି ଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ଯାହାକି ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ସେହିପରି ଗଣ୍ଡାନାଳୀ ଗ୍ରାମର ହରିଜନ ସାହିରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ବାସନ୍ଦ କରିବା ବେଆଇନ୍ ଥିଲେ ମଧ୍ୟ ଗାଆଁ ଗହଳିରେ ଏମିତି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଙ୍ଗାରୁ କୋର୍ଟ କରି ବାସନ୍ଦ କରି ହଇରାଣ ହରକତ କରୁଥିବା ଖଳ ପ୍ରକୃତିର ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଏବଂ ସାଧାରଣରେ ଦୃଢ଼ ଦାବି ହେଉଛି।

Leave A Reply

Your email address will not be published.

five × 2 =