ଢ଼େଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ !

ଢ଼େଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ସଦେଇବେରେଣୀ ଗ୍ରାମ ଠାରେ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ପୂର୍ତ,ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଗଦେଇ ମୁଖ୍ୟ ମନ୍ତ୍ରୀଙ୍କ ସ୍ୱପ୍ନ ଗ୍ରାମାଞ୍ଚଳର ହସ୍ତଶିଳ୍ପକୁ ପ୍ରଚାର ପ୍ରସାର କରିବା ଆବଶ୍ୟକ ବୋଲି କହିଥିଲେ । ଢେଙ୍କାନାଳ ଐତିହ୍ୟ ସମ୍ପନ୍ନ ହୋଇଥିବା ବେଳେ ହସ୍ତକଳାକୁ ନେଇ ଏକ ସ୍ୱତନ୍ତ୍ରତା ରଖିପାରିଛି । ଏପରି ମହିମା ଧର୍ମ, ଗଡଜାତ ଆନ୍ଦୋଳନ ଢେଙ୍କାନାଳକୁ ଭାରତ ବର୍ଷରେ ପରିଚିତ କରାଇଥିଲା । ପ୍ରଥମେ ସାରଙ୍ଗଧର ଦାସ ଭାରତ ବର୍ଷରେ ଗଡଜାତ ଆନ୍ଦୋଳନର ସୂତ୍ରପାତ କରାଇଥିବା ସହ ଶିଳ୍ପ ସମୃଦ୍ଧ ପାଇଁ ଉଦ୍ୟମ କରିଥିଲେ ।

ଢେଙ୍କାନାଳର ସଂସ୍କୃତିକୁ ଉଜ୍ଜିବୀତ କରିବାକୁ ରାଜ୍ୟ ସରକାର ପ୍ରଦାନ କରିଥିବା ୫୦ କୋଟି ଟଙ୍କା ପାଇଁ ଏକ ସ୍ୱତନ୍ତ୍ର ରୋଡମ୍ୟାପ କରିବା ଆବଶ୍ୟକ ହୋଇପଡିଛି । ୧୯୪୨ ମସିହାରେ ଢେଙ୍କାନାଳରେ ପ୍ରଥମ ଖଦୀ ଶିଳ୍ପ ଆରମ୍ଭ ହୋଇଥିଲା ବୋଲି କହିଥିଲେ । ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ଠିକ୍ କରି ତାର ପ୍ରଚାର ପ୍ରସାର ବ୍ୟବସ୍ଥା କରିବା ଆବଶ୍ୟକ । ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀରେ ହସ୍ତଶିଳ୍ପୀ ମାନଙ୍କ ପାଇଁ ସ୍ଥାୟୀ ଷ୍ଟଲ କରାଗଲେ ପର୍ଯ୍ୟଟନର ବିକାଶ ସହିତ ହସ୍ତଶିଳ୍ପ କାରିଗର ମାନଙ୍କର ଅର୍ଥନୀତିର ବିକାଶ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ବକ୍ତାଭାବେ ସାଂସଦ ଶ୍ରୀ ସାହୁ ଯୋଗଦେଇ ଖଣିଜ ଜଙ୍ଗଲ, ଜଳ ସୃଷ୍ଟିଥିଲା ଏହି ଢେଙ୍କାନାଳରୁ । ମହାନ୍ ବ୍ୟକ୍ତିମାନେ ଏହି ଢେଙ୍କାନାଳ ଗ୍ରାମାଞ୍ଚଳ ମାଟିରେ ଜନ୍ମ ନେଇ ସାରା ବିଶ୍ୱରେ ଗ୍ରାମର କାୟା ବିସ୍ତାର କରିଥିଲେ । ପଲ୍ଲୀରେ ତିଆରି ହେଉଥିବା ସାମଗ୍ରୀ ଆଜି ଦିଲ୍ଲୀରେ ପରିଚିତ । ପଲ୍ଲୀରେ ତିଆରି ସାମଗ୍ରୀ ସମସ୍ତ ପ୍ରକାର ଜିନିଷ ଯଦି ଆମେ ନେଇପାରିବା ତେବେ ହସ୍ତଶିଳ୍ପର ପ୍ରସାର ହେବା ସହ ଚାହିଦା ବୃଦ୍ଧି ପାଇବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଲୋଗନୟାଗୀ ଦିବ୍ୟା ଭି., ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ, ସଦର ବ୍ଳକ ଅଧ୍ୟକ୍ଷ ରାଜଶ୍ରୀ ନାୟକ, କାମାକ୍ଷାନଗର ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ହସ୍ତଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ଗୁଡିକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ପରେ ଗଞ୍ଜାମର ପ୍ରିନ୍ସ ଡ୍ୟାନ୍ସ ଗୃପର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ କାର୍ଯ୍ୟକ୍ରମ ପରିବେଷ ହୋଇଥିଲା । କାର୍ଯ୍ୟକ୍ରମକୁ ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର ଓ ପଲିଟିକାଲ ସର୍କସର ଶୋଭନା ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.

five × 4 =