ଢେଙ୍କାନାଳ : ଖବରକାଗଜରେ କାର୍ଟୁନ ବା ବ୍ୟଙ୍ଗଚିତ୍ର କମ ସ୍ଥାନ ନିଏ । ହେଲେ କହିଦିଏ ଅନେକ କଥା । ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ପ୍ରସଙ୍ଗର ଆଲୋଚନା କରେ, ସମାଲୋଚନା କରେ ଆଉ ବିଶ୍ଳେଷଣ ପାଇଁ ଖୋରାକ ଯୋଗାଏ । ଆଜିକାଲି ଟେଲିଭିଜନ ଏବଂ ୱେବ ପ୍ଲାଟଫର୍ମରେ ମଧ୍ୟ କାର୍ଟୁନର ବେଶ ଲୋକପ୍ରିୟତା ରହିଛି । ତେବେ ଏହି କାର୍ଟୁନ ଆଙ୍କିବା ଏକ ସ୍ୱତନ୍ତ୍ର କଳା । ପ୍ରସଙ୍ଗକୁ ବୁଝିବା ସହ ଏହାର ଏକ ଭିନ୍ନ ଦୃଷ୍ଟିଭଙ୍ଗୀ କମ ସ୍ଥାନରେ ଦେବା ନିଶ୍ଚିତ ଭାବେ ଏକ ବଡ଼ ଆହ୍ୱାନ ।
ଆଉ ଏହାକୁ ସହଜ କରିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳ ପକ୍ଷରୁ ଆୟୋଜିତ ଦୁଇଦିନିଆ କାର୍ଟୁନ କର୍ମଶାଳା ।
ପୂର୍ବାହ୍ଣରେ ଏହି କର୍ମଶାଳା ଆରମ୍ଭ ହୋଇଛି । ଏଥିରେ କାର୍ଟୁନ ବା ବ୍ୟଙ୍ଗଚିତ୍ରର ବିଭିନ୍ନ ଦିଗ ଉପରେ ବିଶେଷଜ୍ଞମାନେ ଶିକ୍ଷାଦାନ କରିଛନ୍ତି । ବିଶେଷକରି ବ୍ୟଙ୍ଗ ଚିତ୍ରର ପରିକଳ୍ପନା, ଏହାର ପ୍ରାସଙ୍ଗିକତା ତଥା ଲେଖା ଉପରେ ଆଲୋକପାତ କରିଛନ୍ତି ‘ସମ୍ବାଦ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଦେବାଶିଷ ସିଂହ ଓ ଦୈନିକ ‘ପ୍ରମେୟ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଟି. ନନ୍ଦେଶୁ ।
ବିଭିନ୍ନ ଉପାୟରେ ବିଶେଷତଃ ନୂଆ ଟେକ୍ନୋଲୋଜି ବ୍ୟବହାର କରି ବ୍ୟଙ୍ଗଚିତ୍ର ପ୍ରସ୍ତୁତ କରିବା ଏବଂ ଲେଖା ମାଧ୍ୟମରେ ସେହି ଚିତ୍ରକୁ ବ୍ୟାଖ୍ୟା କରିବା; ଏସବୁର କଳା ଓ କୌଶଳ ଏହି କର୍ମଶାଳାରୁ ଜାଣିହୋଇଛି । ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଇଆଇଏମସିର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଯୋଗାଯୋଗର ଏକ ବଳିଷ୍ଠ ମାଧମ ହେଉଛି ଦୃଶ୍ୟ ମାଧ୍ୟମ । ଏଥିରୁ କାର୍ଟୁନ୍ର ଏକ ବଡ଼ ଭୂମିକା ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ କାର୍ଟୁନ ପ୍ରଭାବ ପକେଇପାରେ ।
ଏହାର ରୂପ କୌତୁକିଆ, ମଜାଦାର, ମନୋରଞ୍ଜନ ଭିତିକ ହୋଇ ଥିଲେ ମଧ୍ୟ ଏଥିରେ ଥିବା ବ୍ୟଙ୍ଗଚିତ୍ର ଓ ଲେଖା ଅନେକ କିଛି ମୂଲ୍ୟବାନ କଥା ବଖାଣିଥାଏ । ବିଶେଷକରି କୌଣସି ଏକ ଗୁରୁତ୍ୱପୂର୍ଣ୍ଣ, ଚର୍ଚ୍ଚିତ, ବିବାଦୀୟ ପ୍ରସଙ୍ଗ ତଥା ଖବରର ଏକ ବିରାଟ ଦୃଷ୍ଟିଭଙ୍ଗୀକୁ ଅଳ୍ପ ସମୟ ମଧ୍ୟରେ ଏହା ରେଖାଙ୍କିତ କରିପାରେ ବୋଲି ସେ କହିଛନ୍ତି । ଏହି କର୍ମଶାଳାରେ ଆଇଆଇଏମସିର ଛାତ୍ରଛାତ୍ରୀ ଯୋଗଦେଇ ଅନେକ ନୂଆ କଥା ଜାଣିବାକୁ ପାଇଛନ୍ତି ।