ଢେଙ୍କାନାଳ : ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ମଣ୍ଡଳର ଜିଲ୍ଲା ସମ୍ପାଦିକା ବନିତା ସାମଲ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟ ସୂଚୀ ସମ୍ପର୍କରେ ଆଲୋକପାତ କରିଥିଲେ । ମଣ୍ଡଳର ରାଜ୍ୟ ସଭାପତି ଶ୍ରୀ କୈଳାଶ ସାହୁ ଏବଂ ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ ଯୋଗଦେଇ ଜାତୀୟ ସ୍ତରରେ ସର୍ବୋଦୟ ମଣ୍ଡଳ ଉପରେ ଆଲୋକପାତ କରିବା ସହିତ ଆସନ୍ତା ଜୁନ ୫ ଓ ୬ ତାରିଖରେ ଭଦ୍ରକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ଜିଲ୍ଲାର କର୍ମୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ ।
ଉକ୍ତ ସଭାରେ ବର୍ତମାନର ଜିଲ୍ଲା କମିଟିକୁ ଆସନ୍ତା ବର୍ଷ ପାଇଁ ସର୍ବ ସମ୍ମତିକ୍ରମେ ପୁନଃ ମନୋନୀତ କରାଗଲା ଏବଂ ସରୋଜ ଶତପଥୀଙ୍କୁ ଜିଲ୍ଲାରୁ ରାଜ୍ୟ କମିଟିକୁ ମନୋନୀତ କରାଗଲା । ଆଗାମୀ ଦିନରେ ନାରୀ ସଶକ୍ତିକରଣ, ଆତ୍ମ ନିର୍ଭର ଶିଳତା, ଖଦି ଗ୍ରାମଦ୍ୟୋଗର ପ୍ରଚାର, ନିଶା ନିବାରଣ, ଯୁବ ଶିବିର ଇତ୍ୟାଦି ପାଇଁ କର୍ମୀ ମାନେ କାର୍ଯ୍ୟକ୍ରମ ଆପଣେଇବାକୁ ଆହ୍ୱାନ କରାଯାଇଥିଲା । ଉତ୍କଳ ସର୍ବୋଦୟ ମଣ୍ଡଳ ଏସବୁ କାର୍ଯ୍ୟରେ ସହଯୋଗ କରିବବୋଲି ରାଜ୍ୟ ସଭାପତି ପ୍ରତିଶୃତି ଦେଇଥିଲେ ।
ଏହି ସମ୍ମିଳନୀରେ ଶିଶିର ଶତପଥି, ଆପ୍ ର ପଙ୍କଜ ନାୟକ, ଇଡ଼ିଅଟ ସଂସ୍ଥାର ସଦସ୍ୟ ସମ୍ପାଦକ ସରୋଜ ଶତପଥି, ଗିରିଜା ନାୟକ, ବ୍ରଜବନ୍ଧୁ ସେଠି, ଶାନ୍ତିଲତା ବେହେରା, ବବିତା ବେହେରା, ବିନୋଦିନୀ ପଧାନ, ଜୟନ୍ତ ଧଳ, ଅଶୋକ ସାହୁ, ଶ୍ରୀକାନ୍ତ ମଲିକ, ସୁଜିତ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ସଭା ଶେଷରେ ସଦସ୍ୟା ରୂପବତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।