ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ୧୪ ଗୋଟି ଉନ୍ନତିମୁଳକ କାର୍ଯ୍ୟ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିବା ବେଳେ ମୁଖ୍ୟତଃ ଡ୍ରେନେଜ,ପାନୀୟ ଜଳ,ସ୍ୱାସ୍ଥ୍ୟ,ବିଦ୍ୟୁତ ଓ ସରକାରୀ ଜମି ଜବର ଦଖଲ ମୁକ୍ତ କରାଯିବାକୁ ନେଇ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରାରମ୍ଭରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଉନ୍ନତି ମୁଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟଗୁଡିକ ମଧ୍ୟରେ ସହରର ୬ ଗୋଟି ପ୍ରବେଶ ପଥରେ ନିର୍ମାଣ ହେବାକୁ ଥିବା ପ୍ରବେଶ ପଥ ମଧ୍ୟରୁ ୪ ଗୋଟି ପ୍ରବେଶ ଦ୍ୱାରକୁ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯିବା, କଲେଜ ବାଇପାସ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପିଡବ୍ଲ୍ୟୁଡି ଦ୍ୱାରା ପ୍ରଶସ୍ତକରମ, କୁଞ୍ଜକାନ୍ତ ଠାରେ ୭ ଗୋଟି ଗଛ ଉଚ୍ଛେଦ କରାଯିବା,କାଲଟାକ୍ସ ଠାରେ ଉଭୟ ପାଶ୍ୱର୍ରେ ଡ୍ରେନ ନିର୍ମାଣ କରାଯାଇ ବଡଜୋରା ପର୍ଯ୍ୟନ୍ତ ସଂଯୋଗୀକରଣ, ସହରର ମୁଖ୍ୟ ରାସ୍ତା ସିମିଳିଆ କପିଳାସ ରୋଡ , ଭଗବାନପୁର, ମେଡିକାଲ ରୋଡ, ମହିଷାପାଟ ଅଞ୍ଚଳରେ ଉଭୟ ପାଶ୍ୱର୍ରେ ଡ୍ରେନ ନିର୍ମାଣ, ମହାବୀର ବଜାର ଠାରୁ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ଡିଜାଇନ୍ ଓ ପ୍ଲାନ ପ୍ରସ୍ତୁତ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ , ଜଗନ୍ନାଥ ରୋଡର ଶାସନ ପୋଖରୀ ଠାରୁ କମଳାମଣ୍ଡପ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ,କଟକ ଜିଲ୍ଲା ସୁବର୍ଣ୍ଣପୁର ଠାରୁ ଢେଙ୍କାନାଳକୁ ମେଗା ପାନୀୟ ଜଳ ପ୍ରକଳ୍ପର ବ୍ୟବସ୍ଥା ସମ୍ପର୍କରେ ,ପୌରାଞ୍ଚଳ ମଧ୍ୟରେ ଥିବା ବସ୍ତି ଏବଂ ୱାର୍ଡ ଗୁଡିକୁ ପାନୀୟ ଜଳର ସୁ ବନ୍ଦୋବସ୍ତ, କଲେଜ ବାଇପାସ ଠାରୁ କୋରିଆଁ ବାଇପାସ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଥିବା ଖୋଲା ବିଦ୍ୟୁତ ତାରକୁ ହଟାଇ କେବୁଲ ଦ୍ୱାରା ବିଦ୍ୟୁତ ସଂଯୋଗୀକରଣ , ବାଜିଚୌକ ସ୍ଥିତ ପୁରୁଣା ହସ୍ପିଟାଲ ଠାରେ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ବିଭିନ୍ନ ବିଭାଗରେ ଡାକ୍ତର ନିୟୋଜିତ କରାଯିବା, ଜନସାଧାରଣଙ୍କ ସୁରକ୍ଷା ପାଇଁ ମେଡିକାଲ ପରିସରରେ ଫାଣ୍ଡି ସ୍ଥାପନ କରାଯିବା , ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ଜମିକୁ ଜମି ମାଫିଆଙ୍କ କବଳରୁ ମୁକ୍ତକରାଯାଇ ପୌରପାଳିକାକୁ ହସ୍ତାନ୍ତର କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା ।
ବୈଠକରେ ସାଂସଦ ମହେଶ ସାହୁ ଯୋଗଦେଇ ସମନ୍ୱୟ ରକ୍ଷା କରି ଢେଙ୍କାନାଳ ବିକାଶରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସଦସ୍ୟ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଦକ୍ଷିଣକାଳି ମୁଖ୍ୟ ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ ପୁନଃରୁଦ୍ଧାର ହେବା ସହିତ ଟାଉନ ପ୍ଲାନିଂ ଅଞ୍ଚଳ, ଦଣ୍ଡାରୋଡ ଅଞ୍ଚଳ,କୁଞ୍ଜକାନ୍ତ ଅଞ୍ଚଳ, ଦଣ୍ଡାସାହି ଅଞ୍ଚଳର ଡ୍ରେନେଜ ବ୍ୟବସ୍ଥାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଟାଉନ ପ୍ଲାନିଂ ଅଞ୍ଚଳର ଡ୍ରେନେଜ ବ୍ୟବସ୍ଥାକୁ ମାଷ୍ଟରପ୍ଲାନରେ ଅନ୍ତର୍ଭୁକ୍ତ କରାଯାଇ ଜଳମୁକ୍ତ କରିବାକୁ କହିଥିଲେ । ଗୋପବନ୍ଧୁ ବଜାର ଠାରେ ହେଉଥିବା ଜଳାର୍ଣ୍ଣବ ଓ ଦଣ୍ଡାରୋଡର ବର୍ଷାଜଳ ନିଷ୍କାସିତ ପାଇଁ ରେଲୱେ ବିଭାଗର ଅବ୍ୟବହୃତ ଜମିକୁ ବ୍ୟବହାର କରାଯାଇ ଜଳ ନିଷ୍କାସିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପାନୀୟ ଜଳ ସମସ୍ତ ୱାର୍ଡର ଜନସାଧାରଣଙ୍କୁ ଯୋଗାଇ ଦେବା ସହିତ ବିଦ୍ୟୁତ କାଟ ନକରିବା ପାଇଁ ବିଭାଗୀୟ ଅଧିକରୀଙ୍କୁ ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।
ବିଧାୟକ ସୁଧୀର କୁମାର ସାମଲ ଢେଙ୍କାନାଳ ସହରରେ ଡ୍ରେନେଜ ସମସ୍ୟା ଗୁରୁତର ହୋଇପଡିଥିବା ବେଳେ ଏହାକୁ ମାଷ୍ଟର ପ୍ଲାନ ମାଧ୍ୟମରେ ସୋରେଜ କରଣ କରିବାକୁ କହିଥିଲେ । ମହାବୀର ବଜାର ଠାରେ ମେଡିକାଲ ରାସ୍ତାର ପ୍ରଶସ୍ତି କରଣ କରାଯିବା ପୂର୍ବରୁ ବାଜିଚୌକ ଫ୍ଲାଏଓଭର ଠାରୁ ସହୀଦ ମୀନାର ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତିକରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରମୁଖଙ୍କ ସମେତ ଉପନଗରପାଳ ପ୍ରକାଶ କଅଁର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ଅଶୋକ କୁମାର ଦାଶ ମଞ୍ଚାସୀନ ଥିବା ବେଳେ ୨୩ଟି ୱାର୍ଡର ନିର୍ବାଚିତ ପ୍ରତିନିଧି, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ରାନ୍ତ ଦଳେଇ, ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ଭଞ୍ଜ,ପୌର ଯନ୍ତ୍ରୀ ରଶ୍ମିତା ମିଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଶେଷରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।