ଢେଙ୍କାନାଳ : ସ୍ୱାଧୀନତାର ଅନେକ ବର୍ଷପରେ ଓଡିଶାରେ ନିଆଁପାଣି ବନ୍ଦ କରିବା ବା ବାସନ୍ଦ କରିବା ପରି କୁପ୍ରଥା ଦୂର ହୋଇପାରିନାହିଁ ।
ଆଇନ ଆଖିରେ କୌଣସି ବି ବ୍ୟକ୍ତି ବା ପରିବାରକୁ ଗାଁରୁ ବାସନ୍ଦ କରିବା ଏକ ଗର୍ହିତ ଅପରାଧ । ତଥାପି ଏପରି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜନୈକ ଯୁବକ ଆତ୍ମହୁତି ଦେଇଥିଲେ । ଏ ଘଟଣା ମନରୁ ନ ଲିଭୁଣୁ ଢେଙ୍କାନାଳ ଜିଲ୍ଲାର ଏହିପରି ଏକ ଘଟଣା ଘଟିବା ଭଳି ଦୃଶ୍ୟମାନ ହେଉଛି ।
ଜିଲ୍ଲାର ଗଁଦିଆ ଥାନା ତଥା ଦେଓଗାଁ ଫାଣ୍ଡି ଅନ୍ତର୍ଗତ ମହୁଲଖୋଳି ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି ଜନୈକ ଅଣସୂଚୀତ ଜାତି ବର୍ଗର ପରିବାରକୁ ନିଆଁପାଣି ବନ୍ଦ କରିବା ସହ ନାନା ପ୍ରକାର ହଇରାଣ କରୁଥିବା ଯୋଗୁ ସେ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗାଁ କମିଟିର ସଦସ୍ୟ ହୃଦାନନ୍ଦ ପରିଡା ୧୦ ବର୍ଷ ତଳେ ଏକଦା ଚୋରା ପଥର ଖଣି କରି ଲୁଟୁଥିବା ବେଳେ ଅଭିଯୋଗକାରୀ ଶ୍ରୀବତ୍ସ ସେଠୀ ବିରୋଧ କରିଥିଲେ ।
ସେଥିପାଇଁ ହୃଦାନନ୍ଦ ପରିଡା ତାଙ୍କୁ ଏକ ଚାପୁଡା ମାରିଥିଲେ ଯେଉଁ କାରଣ ପାଇଁ ସେତେବେଳେ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା । ଏହି କାରଣ ପାଇଁ ତାଙ୍କ ପରିବାର ତଥା ଝିଅ ଓ ଜ୍ୱାଇଁ ଯେକି ୧୬ ବର୍ଷ ହେଲା ମହୁଲଖୋଳି ଗାଁ ରେ ରହି ଆସୁଛନ୍ତି । ଗାଁ ଲୋକଙ୍କ ଜରିଆରେ ବିଭିନ୍ନ ପ୍ରକାରର ହଇରାଣ କରୁଛନ୍ତି । ସେ ଚାଷ କରୁଥିବା ଜମିକି ଜେସିବି ଲଗାଇ ଖୋଳିଦେଇଛନ୍ତି । ତାଙ୍କର ଝିଅ ଜ୍ୱାଇଁଙ୍କୁ ୧୦ ହଜାର ଟଙ୍କା ଗାଁକୁ ଦେବାକୁ ଦାବି କରାଯାଇଛି । ଟଙ୍କା ନଦେଲେ ନିଆପାଣି ବନ୍ଦ ସହ ଯେଉଁ ମାନେ କଥା ହେବେ ସେମାନଙ୍କୁ ମଧ୍ୟ ନାନା ପ୍ରକାର ହଇରାଣ କରାଯାଉଛି ।
ସୂଚନା ଥାଉକି ଏହି ଗାଁର ଅନ୍ୟ କିଛି ପରିବାରକୁ ମଧ୍ୟ ୧୦ହଜାର ଲେଖାଏଁ ଟଙ୍କା ଗାଁକୁ ଦୋକୁ ବାଧ୍ୟ କରାଯାଉଛି । ଗରୀପ ଲୋକ ଟଙ୍କା ନଦେଇ ପାରିବାରୁ ସେମାନଙ୍କୁ ମଧ୍ୟ ବାସନ୍ଦ କରାଯାଇଛି । ପ୍ରଶାସନ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଉପଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।