ଢେଙ୍କାନାଳ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ୨୧ ଦିନ ଧରି ହେବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଛି ।
ଚାପନୀତି ସମ୍ପାଦନ ପାଇଁ ଉଦ୍ଦିଷ୍ଟ ପୋଖରୀର ଚର୍ତୁଃପାର୍ଶରେ ଥିବା ଶ୍ରଦ୍ଧାଳୁମାନେ ଠାକୁରଙ୍କ ଚାପନୀତି ଦେଖି ବିଭୋର ହୋଇପଡିଥିଲେ । ସ୍ଥାନୀୟ ଶ୍ରୀ ଶ୍ରୀ ବଳରାମଜୀଉଙ୍କ ପୀଠରୁ ପାଲିଙ୍କିରେ ମଦନ ମୋହନଙ୍କୁ ବିଜେ କରାଯାଇ ଗୋପାଳ ଭାଇମାନେ ମନ୍ଦିର ବେଢା ପରିକ୍ରମା କରାଇବା ପରେ ଚନ୍ଦନ ଯାତ୍ରା ପାଇଁ ସହରର ମୁଖ୍ୟ ରାସ୍ତାରେ ଆସି ନୂଆପୋଖରୀ ( ଭାଗିରଥି ସାଗର ) ଠାରେ ପହଞ୍ଚିଥିଲେ ।
ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଚନ୍ଦନ ମଣ୍ଡପ ଠାରେ ମଦନମୋହନଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତ ଥିବା ନୌକାବିହାର ତଥା ଚାପଖେଳ ଅନୁଷ୍ଠିତ ହୋଇଥିଲା । ପରେ ଚନ୍ଦନ ମଣ୍ଡପ ଠାରେ ବିଧି ମୂତାବକ ଶ୍ରୀ ଜୀଉଙ୍କର ଚନ୍ଦନ ନୀତି ସମ୍ପାଦନ ପରେ ପ୍ରଭୂଙ୍କୁ ମନ୍ଦିର ପ୍ରତ୍ୟାବର୍ତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂଜାପଣ୍ଡା ମାନସ ରଂଜନ କର, ଶ୍ରୀବତ୍ସ ମିଶ୍ର, ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ, ସେବକ ଶମ୍ଭୁନାଥ ମହାପାତ୍ର ମହାପ୍ରଭୁଙ୍କର ନୀତି ସମ୍ପାଦନ କରିଥିବା ବେଳେ ମହେଶ୍ୱର ସାମଲ ଓ ଅନ୍ୟମାନେ ଶ୍ରୀ ଜୀଉଙ୍କ ଚାପ ଡଙ୍ଗାକୁ ପରିଚାଳନା କରିଥିଲେ ।