ଢ଼େଙ୍କାନାଳ ଏଆଇସିସି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ !


ଢେଙ୍କାନାଳ : ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନିଲ୍ ଦାଶଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀମନ୍ଦିର କଂଗ୍ରେସ୍ କାର୍ଯ୍ୟାଳୟ ଠାରେ ଏଆଇସିସି ତରଫରୁ ଓଡ଼ିଶା ପାଇଁ ମିଡିଆ ସଂଯୋଜକ ପ୍ରଭାତ କୁମାର ଏବଂ ପିସିସି ମିଡିଆ ସେଲ ସଦସ୍ୟ ବିରେନ୍ କୁମାର ଦଳେଇ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏଥିରେ ପ୍ରଭାତ କୁମାର କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ୱାରା ହୋଇଥିବା ଇଲେକ୍ଟୋରାଲ୍ ବଣ୍ଡ୍ ସ୍କାମ୍ ସ୍ୱାଧୀନ ଭାରତ ଇତିହାସର ସବୁଠାରୁ ବଡ଼ ଭ୍ରଷ୍ଟାଚାର କହି ସମାଲୋଚନା କରିଥିଲେ । ଏହାପରେ କଂଗ୍ରେସର ପ୍ରିୟ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଅନୁଭବରୁ ପ୍ରସ୍ତୁତ ଜାତୀୟ କଂଗ୍ରେସର ବିଭିନ୍ନ ବର୍ଗର ନାଗରିକ ଯଥା ଯୁବା, ନାରୀ, କୃଷକ, ଶ୍ରମିକ, ଛାତ୍ର ସମାଜମାନଙ୍କର ଉନ୍ନତି କଳ୍ପେ ଦିଆଯାଇଥିବା ଗ୍ୟାରେଂଟି ସମ୍ପର୍କରେ ଆଲୋକପାତ କରିଥିଲେ । ଜାତି ଭିତିକ ଜନଗଣନା ଅନୁଯାୟୀ ସାମାଜିକ ନ୍ୟାୟ ପ୍ରଦାନ ନିମନ୍ତେ କଂଗ୍ରେସ ସଂକଳ୍ପବଦ୍ଧ ବୋଲି କହିଥିଲେ । ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀନୀ ସୁସ୍ମିତା ସିଂହଦେଓ ପାନୀୟ ଜଳ ସମସ୍ୟା, ଡାକ୍ତରଖାନା ସମସ୍ୟା, ଜଳ ସେଚନ ସମସ୍ୟା, ଅଧିକ ଥାନା ପ୍ରତିଷ୍ଠା ଆବଶ୍ୟକତା ସଂପର୍କରେ ଆଲୋକପାତ କରି ନିର୍ବାଚିତ ହେଲେ ତାର ସ୍ଥାୟୀ ସମାଧାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡାକ୍ତର ତୁଷାର କାନ୍ତି ନାୟକ ଢେଙ୍କାନାଳ ଏବଂ ଅନୁଗୁଳରେ ମେଡିକାଲ କଲେଜ ଓ ସୁପର୍ ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା , ଅନୁଗୁଳ – ତାଳଚେର ଶିଳ୍ପାଂଚଳ ରେ ଅତ୍ୟଧିକ ବାୟୁ ପ୍ରଦୁଷଣ ଯୋଗୁଁ ଅନୁଗୋଳ ରେ ଦିଲ୍ଲୀସ୍ଥିତ ପଟେଲ ଚେଷ୍ଟ ହସ୍ପିଟାଲ ଭଳି ଏକ ଚେଷ୍ଟ ହସ୍ପିଟାଲ ପ୍ରତିଷ୍ଠା, ଢେଙ୍କାନାଳରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବ୍ରାହ୍ମଣୀ ନଦୀର ଜଳ ପ୍ରଦୁଷଣ ରୋକାଯିବା ସହିତ ୨ଟି ଆନିକଟ୍ କରାଯାଇ ସ୍ଥାନୀୟ ଜଳ ସମସ୍ୟା ଦୂର କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଏକ ଆଇଟି ପାର୍କ ପ୍ରତିଷ୍ଠା , ୫୫ ନମ୍ବର ଜାତୀୟ ରାଜପଥର ଦୋହରିକରଣ କାର୍ଯ୍ୟ ତୁରନ୍ତ ସମ୍ପୁର୍ଣ୍ଣ କରାଯିବା ଆମ ଅଂଚଳର ମୁଖ୍ୟ ସମସ୍ୟା ବୋଲି ସାମ୍ବାଦିକ ମାନଙ୍କୁ କହିବା ସହିତ ଲୋକସଭା ପ୍ରାର୍ଥୀନୀ ସସ୍ମିତା ବେହେରା ନିର୍ବାଚିତ ହେଲେ ଏ ସବୁ ବିଷୟରେ ଦୃଷ୍ଟି ଦେବେ ବୋଲି ଆଶାପ୍ରକଟ କରିଛନ୍ତି । ସସ୍ମିତା ବେହେରା ଓଡ଼ିଶାରେ ନବୀନ ବାବୁଙ୍କ ବିଜେଡ଼ି ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସାମାଜିକ ନିରାପତା, ନାରୀ ମାନଙ୍କର ସୁରକ୍ଷାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି ଏବଂ ଖଣି ଦୁର୍ନୀତି, ଚିଟ୍ ଫଣ୍ଡ୍ ଦୁର୍ନୀତି ଆଦି ଅନେକ ଭ୍ରଷ୍ଟାଚାରରେ ବୁଡିରହିଛି ବୋଲି କହିଥିଲେ । କେବଳ ମୋଦି ସରକାର ସହିତ ସାଲିସ କରି ଇଡି , ସିବିଆଇ ଆଦି ତଦନ୍ତ ସଂସ୍ଥା ଠାରୁ ରକ୍ଷା କବଚ ଲାଭ କରିଛି । ଉଭୟ ମୋଦି ଏବଂ ନବୀନ ସରକାର ଚାକିରି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । କଂଗ୍ରେସ ସରକାର ମନରେଗା, ଖାଦ୍ୟ ସୁରକ୍ଷା ଆଇନ୍‌, ଶିକ୍ଷା ଅଧିକାର ଆଇନ୍‌, ସୂଚନା ଅଧିକାର ଆଇନ୍ ପ୍ରଣୟନ କରିଥିଲା । ଆଗାମୀ ନିର୍ବାଚନରେ ସାଧାରଣ ଜନତା ନିଶ୍ଚିତ ଭାବେ କଂଗ୍ରେସକୁ ସମର୍ଥନ କରି ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବାରେ ସହାୟକ ହେବେ ବୋଲି ସସ୍ମିତା ଆଶାବାଦୀ ଅଛନ୍ତି ବୋଲି ସାମ୍ବାଦିକ ମାନଙ୍କୁ କହିଥିଲେ ଏବଂ ଏଦିଗରେ ଗଣମାଧ୍ୟମ କଂଗ୍ରେସର ବାର୍ତାକୁ ଲୋକଙ୍କ ନିକଟରେ ପହଁଚାଇବା ନିମନ୍ତେ ନିବେଦନ କରିଥିଲେ । ସଭାରେ ବରିଷ୍ଠ ନେତା ରବି ମହାନ୍ତି, ରାଜୀବ ଲୋଚନ ସିଂହଦେଓ, ବେଣୁଧର ସାହୁ, ରୁଦ୍ର ପ୍ରକାଶ ଶରଣ, ନିର୍ମଳ ମିଶ୍ର, ନିଶାକର ସାହୁ, ଜିତେନ୍ଦ୍ର ସାହୁ, ହୃଦୟାନନ୍ଦ ମହାନ୍ତି, କୃଷ୍ଣ ଚନ୍ଦ୍ର ଦ୍ୱିବେଦୀ, ଅନ୍ତର୍ଯ୍ୟାମୀ ମହାପାତ୍ର, ଫକୀରମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ମନୋଜ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 − 9 =