ଗୁଣ୍ଡିଚାପଡ଼ା ଠାରେ ଭାଇଚାରାର ପର୍ବ ଇଦୁଲ ଫିତର ପାଳିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମ୍ମଦିୟା ମୁସଲିମ ଜାମେ ମସଜିଦ ଠାରେ ପାଳନ ହୋଇ ଯାଇଅଛି ତ୍ୟାଗ ତପସ୍ୟା ତଥା ଭାଇଚାରାର ପର୍ବ ଇଦୁଲ ଫିତର।ଏହି ଅବସରରେ ମୌଲବୀ ଇସ୍ରାଫିଲ ଖାଁ ଇଦ୍ ନମାଜ ପାଠ କରାଇଥିଲେ ତଥା ଧର୍ମ ଉପଦେଶ ଦେଇ ଇଦୁଲ ଫିତରର ମହାନ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଇଦ୍ ର ଏହି ପର୍ବ ପବିତ୍ର ରମଜାନ ମାସର ଘୋର ତପସ୍ୟା, ତ୍ୟାଗ ଏବଂ ବ୍ରତ ପରେ ପ୍ରାପ୍ତ ହୋଇଅଛି। ଏହା ସମାଜରେ ସ୍ନେହ,ସୌହାର୍ଦ୍ଦ୍ୟ ତଥା ଭାଇଚାରା ଆଣିଥାଏ। ଚତୁର୍ଦ୍ଦିଗରେ ଶୁଖ,ଶାନ୍ତି ଓ ସମନ୍ୱୟତାର ବାତାବରଣ ସୃଷ୍ଟି କରିଥାଏ,ସେବା ଓ ସାହାଯ୍ୟର ଏହି ପର୍ବ ଆମକୁ ଦୁଃଖି ର ଦୁଃଖକୁ ବୁଝିବାକୁ ଅନୁପ୍ରାଣିତ କରିଥାଏ ତେଣୁ ଏହି ଅବସରରେ ଗରିବ ଭାଇମାନଙ୍କୁ ପାଛୋଟି ନେଇ ଯଥା ସମ୍ଭବ ସେମାନଙ୍କ କଷ୍ଟ ନିବାରଣ କରିବା ଦିଗରେ ପାଦ ବଢାଇବା ପାଇଁ ସେ ଆହ୍ବାନ କରିଥିଲେ।ସୂଚନା ଯୋଗ୍ୟ ଯେ ଏହି ଅବସରରେ ସର୍ବ ଧର୍ମ ସମନ୍ୱୟର ବାତାବରଣ ସୃଷ୍ଟି କରିଥିଲେ ଗୁଣ୍ଡିଚାପଡ଼ା ଗ୍ରାମବାସୀ। ପବିତ୍ର ଇଦ୍ ଅବସରରେ ସ୍ଥାନୀୟ ଗ୍ରାମ ଓ ମନ୍ଦିର ପରିଚାଳନା କମିଟିର ସଭାପତି ସର୍ବଶ୍ରୀ ମୀନକେତନ ସାହୁ, ପୁର୍ବତନ ସଭାପତି ଶିଖର ଚନ୍ଦ୍ର ସାହୁ,ଅନ୍ୟ ସଦସ୍ୟ ସ୍ୱଦେଶ ରଜ୍ଞନ ସାହୁ, ଅଭୟ କୁମାର ବେହେରା ଆଦି ବହୁ ମହାନୁଭବ ବ୍ୟକ୍ତିବିଶେଷ ପୁଷ୍ପଗୁଚ୍ଛ ଦ୍ୱାରା ସମ୍ମାନିତ କରିବା ସହ ସମସ୍ତଙ୍କ ସହ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥିଲେ। ପରସ୍ପର ମଧ୍ୟରେ ଏହି ଭାତୃଭାବର ସୁନ୍ଦର ପରିବେଶରେ ଭାବ ବିଭୋର ହୋଇ ଉଠିଥିଲେ ଅହମଦିୟା ମୁସଲିମ ସମୁଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ।ଆମ ପ୍ରିୟ ଦେଶରେ ଧର୍ମକୁ ଆଳକରି ଅନେକ ଗୋଷ୍ଠୀ ଗଠିତ ଶକ୍ତି ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ଏଥିରେ କିଛି ମୁଷ୍ଟିମେୟ ଲୋକମାନଙ୍କର ରାଜନୈତିକ ଫାଇଦା ହାସଲ ହୁଏ ସତ, ମାତ୍ର ଜନ ସାଧାରଣଙ୍କର ଅନେକ କ୍ଷୟ କ୍ଷତି ଘଟିଥାଏ। ଘୃଣା ଓ ଅରାଜକତାର ବାତାବରଣ ମଧ୍ୟରେ, ଧର୍ମ ଧର୍ମ ମଧ୍ୟରେ ଘୃଣାର ପ୍ରାଚୀର ଛିଡ଼ା ହୁଏ। ହେଲେ ଅସାମାଜିକ ତତ୍ତ୍ୱ ସହସ୍ର ବୃଥା ଚେଷ୍ଟା କଲେ ମଧ୍ୟ ଆମ ଭାଇଙ୍କୁ ଆମଠାରୁ କେହି ଅଲଗା କରିପାରିବେ ନାହିଁ ବୋଲିି ସଭାପତି ଅଲ୍ଲୀ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଭାରତୀୟ ସେନାର ଅବସରପ୍ରାପ୍ତ ଜବାନ ତୋରାବ ଖାଁ, ଅହମଦିୟା ମୁସଲିମ କୋଷାଧ୍ୟକ୍ଷ ଅୟୁବ ଖାଁ, ଆମଲା ମେମ୍ବର ସଲିମଉଦ୍ଦିନ ଖାଁ, ପୁର୍ବ ପୋଲିସ ଅଧିକାରୀ ଫର୍ଜୁଲା ଖାଁ, ଯୁବ ସଂଗଠନର ଅଧ୍ୟକ୍ଷ ଶେଖ୍ ଜହୀର ଓ ଇଦ୍ରିସ ଖାଁ ପ୍ରମୁଖ ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.

4 × 1 =