ସନ୍ଦେହ ଘେରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ରୋଷେୟାଙ୍କ ମୃତ୍ୟୁ ନିରପେକ୍ଷ ତଦନ୍ତ ଦାବି କଲା ବିଜେପି !

ଢେଙ୍କାନାଳ :ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଡେଙ୍ଗବୋରେଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଡେଙ୍ଗବୋରେଇ ଗ୍ରାମର ଲଳିତ କୁମାର ସାହୁ(୨୨)ଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି । ଲଳିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସଙ୍କ ଝାରସୁଗୁଡା ସ୍ଥିତ ବାସଭବନରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ । ମନ୍ତ୍ରୀଙ୍କ ରୋଷେୟା ଲଳିତ ମନ୍ତ୍ରୀଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ପୋଲିସ ପ୍ରକାଶ କରିଛି ।

ଲଳିତ ମୃତ୍ୟୁକୁ ନେଇ ଜିଲ୍ଲା ବିଜେପି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ମଧ୍ୟ ଦାବି କରିଛନ୍ତି । ଲଳିତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି । ତେଣୁ ଲଳିତଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଦାବି କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳ ବେହେରା ଲଳିତଙ୍କ ମୃତ୍ୟୁ ଖବର ଶୁଣି ଲଳିତଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଯାଇଥିବା ବେଳେ ହଠାତ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଡ୍ରାଇଭର ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଶ୍ରମତୀ ଅଞ୍ଜଳୀ ଅଭିଯୋଗ କରିଛନ୍ତି ।

ରାତାରାତି ତରବରିଆ ଭାବେ ପୋଷ୍ଟମର୍ଟମ କରିବା ଘଟଣା ସହ ଏମିତି ଅନେକ ଘଟଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା ଘଟଣାର ନିରପେକ୍ଷ ତଦନ୍ତ ହୋଇ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସୁଛି ନା ଅନ୍ୟ ଘଟଣା ପରି ଚାପି ହୋଇଯାଉଛି ।

Leave A Reply

Your email address will not be published.

twenty − six =