ଢ଼େଙ୍କାନାଳ : ଢ଼େଙ୍କାନାଳ ପୌର ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସହକାରୀ ଟ୍ୟାକ୍ସ କଲେକ୍ଟର ସନ୍ତୋଷ କୁମାର ରାଉଳଙ୍କୁ କଟକ ଭିଜିଲାନ୍ସ ବିଭାଗ ହାଇଦ୍ରାବାଦସ୍ଥିତ ତାଙ୍କ ଝିଅ ଘରୁ ଗିରଫ କରି ଆଣିବା ପରେ ଢେଙ୍କାନାଳ ଠାରେ କୋର୍ଟ ଚାଲାଣ କରିଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା। ଅଦାଲତଙ୍କ ପକ୍ଷରୁ ଆସନ୍ତା ୧୨ ତାରିଖ ସୁଦ୍ଧା ଭିଜିଲାନ୍ସବିଭାଗ କେସ୍ ଡାଏରି ଦାଖଲ କରିବା ପାଇଁ ନିର୍ଦ୍ଦେଶ ହୋଇଛି। କେସ୍ ଡାଏରି ଦାଖଲ କରିବା ପରେ ଜାମିନ ଆବେଦନ ଉପରେ ଶୁଣାଣିହେବ ବୋଲି ସନ୍ତୋଷଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶ୍ୟାମ ସୁନ୍ଦର ପଣ୍ଡା ସୂଚନା ଦେଇଛନ୍ତି। ସେପର୍ଯ୍ୟନ୍ତ ସନ୍ତୋଷ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସନ୍ତୋଷ ଙ୍କୁ ଗିରଫ କରାଯିବା ପରେ ପୌର କାର୍ଯ୍ୟାଳୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ସନ୍ତୋଷ ଭିଜିଲାନ୍ସ ବିଭାଗ ସମ୍ମୁଖରେ କ’ଣ କହିଛନ୍ତି ନେଇ ତତ୍କାଳୀନ କେତେଜଣ ଅଧିକାରୀ ଓ ବର୍ତ୍ତମାନର କର୍ମଚାରୀମାନଙ୍କ ମଧ୍ଯ ରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ସନ୍ତୋଷ ଙ୍କ ନାମରେ ପୌରସଂସ୍ଥାରେ ୭୭ଲକ୍ଷ ୯୪ହଜାର ୭୦୯ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି।