ଢେଙ୍କାନାଳ ଜିଲ୍ଲା ମୁକ ଓ ବଧିର ସଂଘ ପକ୍ଷରୁ ୬୬ ତମଆନ୍ତର୍ଜାତୀୟ ବଧିର ଦିବସ ପାଳନ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁକ ଓ ବଧିର ସଂଘ ପକ୍ଷରୁ ୬୬ତମ ଆନ୍ତର୍ଜାତୀୟ ବଧିର ଦିବସ ପାଳନ
ହୋଇଯାଇଅଛି । ଆନ୍ତର୍ଜାତୀୟ ବଧିର ଦିବସ ସର୍ବ ପ୍ରଥମେ ଫିନ୍‌ଲ୍ୟାଣ୍ଡ ହେଲସିଙ୍ଗ୍ ସହରେ ୧୯୫୭ ମସିହାରେ ପାଳିତ
ହୋଇଥିଲା । ଏହା ପୃଥିବୀର ବଧିରମାନଙ୍କ ସଂଘ ଦ୍ୱାରା ଆୟୋଜିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୃଥିବୀର
ବଧିରମାନଙ୍କ ପାଇଁ ଏକ ପୃଷ୍ଠଭୂମି ତିଆରି କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବଧିର ମାନଙ୍କର ଅସୁବିଧାକୁ
ସଚେତନ କରାଇବା । ଏହି ଉତ୍ସବର ଅନ୍ୟ ଏକ କାରଣ ହେଲା ପୃଥିବୀର ସବୁ ଦେଶର ସରକାରଙ୍କୁ ବଧିରମାନେ
ଭୋଗୁଥିବା ଅସୁବିଧାର ଦୃଷ୍ଟି ଆକର୍ଷଣ କରିବା । ସେହି ଦିନଠାରୁ ପ୍ରତିବର୍ଷ ଆନ୍ତର୍ଜାତୀକ ବଧିର ଦିବସ ସାରା ପୃଥିବୀରେ
ପାଳିତ ହୋଇଆସୁଅଛି । ଏହି ଉପଲକ୍ଷେ ବଧିର ସଂଘର ଜିଲ୍ଲା ସଭାପତି ମନୋରଞ୍ଜର ସାମଲଙ୍କ ଅଧ୍ୟକ୍ଷତାରେ ଆଜି
ସକାଳେ ସ୍ଥାନୀୟ ବାଜିଚୌକ ଠାରେ ସଂଘର ସମସ୍ତ କର୍ମକର୍ତାମାନଙ୍କୁ ନେଇ ଏକ ସାଧାରଣ ସଚେତନତା ସଭା ଅନୁଷ୍ଠିତ
ହୋଇଥିଲା । ଏହି ସଭାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁକ ଓ ବଧିର ଭାଇଭଉଣୀମାନଙ୍କୁ
ହେୟଜ୍ଞାନ ନକରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଇବା ଓ ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟକରିବାକୁ
ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ଉପ-ଜିଲ୍ଲାପାଳ ଦାୟିତ୍ୱରେ ଥିବା ନାରାୟଣ ଚନ୍ଦ୍ର ନାୟକ
ଯୋଗଦେଇ ମୁକ ଓ ବଧିରମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି । ଏମାନଙ୍କ ମଧ୍ୟରୁ
ଦେଶରେ ଭଲ ଚିତ୍ରକାର, ଇଂଜିନିୟର, ଶିକ୍ଷକ, କ୍ରୀଡାବିତ୍ ଓ ଆଇନ୍‌ଜୀବୀ ଏବେ ହୋଇପାରିଛନ୍ତି । ସେମାନଙ୍କ ପାଇଁ
ସମାଜରେ ସମସ୍ତେ ପ୍ରୋତ୍ସାହନ ଓ ସହଯୋଗ କଲେ ସେମାନେ ଆହୁରି ଆଗକୁ ଯାଇ ଦେଶର ନାମ ରଖିପାରିବେ ବୋଲି
ଶ୍ରୀ ନାୟକ ମତପ୍ରକାଶ କରିଥିଲେ । ସଂଘର ପୃଷ୍ଠପୋଷକ ବରିଷ୍ଠ ଆଇନ୍‌ଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ ଯୋଗଦେଇ
ମୁକ ଓ ବଧିରମାନଙ୍କର ବିଭିନ୍ନ ଅସୁବିଧାଗୁଡିକୁ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ଓ ସାହାଯ୍ୟ କାମନା
କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ବକ୍ତବ୍ୟକୁ ଅନୁବାଦିକା ସାଂକେତିକ ଭାଷାରେ ସୋନାଲି ସାମଲ ବଧିର
ଭାଇଭଉଣୀ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଅତିଥିମାନେ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଆନୁଷ୍ଠାନିକ
ଭାବେ ଉଦ୍‌ଘାଟନ କରିବା ପରେ ଶତାଧିକ ମୁକ ଓ ବଧିର ସଦସ୍ୟମାନେ ଏକ ସଚେତନ ପ୍ରଚାରପତ୍ର ବଂଟନ ସହିତ
ଶୋଭାଯାତ୍ରାରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରି ଜିଲ୍ଲା ସୂଚନା କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ
ବଧିର ସଂଘ ଉପସଭାପତି ବିଶ୍ୱଜିତ୍ ହୋତା, ଜିଲ୍ଲା ଉପସଭାପତି ବସନ୍ତ କୁମାର ପଟ୍ଟନାୟକ ଓ ରାଜେନ୍ଦ୍ର ନାରାୟଣ
ସାମଲଙ୍କ ସମେତ ସମସ୍ତ କର୍ମକର୍ତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ସାଧାରଣ ସଂପାଦକ ଅକ୍ଷୟ
କୁମାର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

11 + 11 =