୮ ମାସ ହେଲା ମିଳୁନି ଗହମ କି ଅତିରିକ୍ତ ଚାଉଳ : ଗରିବ କଲ୍ୟାଣ  ନା ଗରିବ ମାରଣ ଯୋଜନା ?

ଢ଼େଙ୍କାନାଳ : ଅନାହାର ଓ ଅର୍ଦ୍ଧହାର ଭଳି ଦୁଇଟି ଶବ୍ଦ ( ଅପଶବ୍ଦ) କୁ ହଟାଇ ଦେବା ସକାଶେ କେନ୍ଦ୍ର ର ଉପା ସରକାର ୨୦୦୯ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯଦିଓ କେତେ ଗୁଡିଏ ମାନଦଣ୍ଡ ରଖିଥିଲେ ତଥାପି ସାରା ଦେଶର ୬୦ ପ୍ରତିଶତ ଲୋକ ଏଥିରେ ସାମିଲ ହୋଇ ମାସିକ ମୁଣ୍ଡ ପିଛା ୫ କିଲୋ ଚାଉଳ/ଗହମ ପାଉଥିଲେ । ବହୁତ ହୁଆ ମେହେଙ୍ଗାଇ କି ମାର୍, ଅବକି ବାର ମୋଦି ସରକାର ନାରା ଦେଇ ୨୦୧୪ ରେ ଏନ୍ ଡି ଏ ସରକାର କ୍ଷମତାକୁ ଆସିବା ପରେ ୨୦୧୫ ରେ ଏହି ଯୋଜନାରେ କେତେକ ପରିବର୍ତ୍ତନ କରି ଦେଶରେ ସର୍ବାଧିକ ୫୬ ପ୍ରତିଶତ ଗରିବ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ ହୋଇପାରିବେ ବୋଲି ଆଇନ ପ୍ରଣୟନ କରିଥିଲେ । ଫଳରେ ଅନେକ ହିତାଧିକାରୀ ସେମାନଙ୍କ ରାସନ କାର୍ଡ ଫେରସ୍ତ ଦେଲେ , ଆଉ କେତେକ ଙ୍କ ନାମରେ ପୋଲିସ କେସ ହେଲା ଓ କେତେକ ମହିଳା ଜେଲ କୁ ମଧ୍ୟ ଗଲେ । କୋଭିଡ ପରବର୍ତ୍ତୀ ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ସରକାର ପ୍ରଥମେ ରାସନ କାର୍ଡ ଧାରୀ ଙ୍କୁ ୧ ହଜାର ଟଙ୍କା ଦେଲେ । ପରବର୍ତ୍ତୀ ପର୍ଯ୍ୟାୟ ରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ପ୍ରତି ମାସରେ ଚାଉଳ ସହ ଅତିରିକ୍ତ ୫ କିଲୋ ଲେଖାଏଁ ମାଗଣା ଚାଉଳ/ଗହମ ଯୋଗାଇ ଦେଲେ । ଅଧିକାଂଶ ଲୋକଙ୍କ ର ରାତିରେ ରୁଟି ଖାଇବା ଅଭ୍ୟାସ ଥିବାରୁ ରାସନ କାର୍ଡ ଧାରୀ ମାନେ ଚାଉଳ ,ଗହମ ଅଧା ଅଧା କରି ଡିଲର ପାଖରୁ ଆଣୁଥିଲେ । ତେବେ ଗତ ଡିସେମ୍ବର ମାସ ରୁ ଚଳିତ ଜୁଲାଇ ୮ ମାସ ହେଲା ଏହି ଅତିରିକ୍ତ ଚାଉଳ / ଗହମ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯଇଛି । ଏଥିପାଇଁ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଖୋଲା ବଜାର ରେ ଗହମ ମିଳୁ ନଥିବା ବେଳେ ପ୍ୟାକେଟ ଅଟା କିଲୋ ୪୦ ରୁ ୫୦ ଟଙ୍କା ରେ ବିକ୍ରି ହେଉଛି । ଏଥିପାଇଁ ଗରିବ ଲୋକ ମାନେ ରାତିରେ ରୁଟି ଖାଇବା ବନ୍ଦ କରି ଦେଇଛନ୍ତି । ଅନୁସନ୍ଧାନ ରୁ ପ୍ରକାଶ ଯେ ,ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ସମୁଦାୟ ୨୨୮୨୫ ଟି ରାସନ କାର୍ଡ ରହିଛି । ସେଥି ମଧ୍ୟରୁ ୨୩୮୪ ଅନ୍ତଦ୍ୟୋୟ ଅନ୍ନ ଯୋଜନା କାର୍ଡ ରେ ୭୨୪୬ ହିତାଧିକାରୀ ଓ ରାଜ୍ୟ ସରକାର ଙ୍କ ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୪୪୧ ଟି କାର୍ଡ ରେ ୭୨୪୮୯ ଜଣ ଏହିପରି ସମୁଦାୟ ୭୯ ହଜାର ୭୩୫ ଜଣ ହିତାଧିକାରୀ ୪୩ ଜଣ ଡିଲର୍ ଙ୍କ ଜରିଆରେ ମାସିକ କେବଳ ୫ କିଲୋ ଚାଉଳ ପାଉଛନ୍ତି । ଅନୁରୂପ ଭାବେ ଭୁବନ ଏନ୍ .ଏ .ସି. ରେ ୪୭୮ ଟି ଅନ୍ତୋଦୟ କାର୍ଡ ରେ ୧୪୦୪ ଜଣ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୪୫୯୦ ଟି କାର୍ଡ ରେ ୧୪୮୦୦ ଏହିପରି ସମୁଦାୟ ୫୦୬୮ ଟି କାର୍ଡ ରେ ୧୬୨୦୪ ଜଣ ହିତାଧିକାରୀ ୧୮ ଜଣ ଡିଲର ଙ୍କ ମାଧ୍ୟମରେ ରାସନ ପାଉଛନ୍ତି ।ଗତ ଡିସେମ୍ବର ମାସ ରୁ ଗହମ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଅତିରିକ୍ତ ଚାଉଳ ମଧ୍ୟ ବନ୍ଦ ହୋଇଛି । ପ୍ରତ୍ୟେକ ହିତାଧିକାରୀ ଙ୍କୁ କେବଳ ୫ କିଲୋ ଚାଉଳ ପ୍ରଦାନ କରାଯାଉଛି । କେନ୍ଦ୍ର ସରକାର ଙ୍କ ଏଭଳି ପଦକ୍ଷେପ କୁ ରାସନକାର୍ଡ ଧାରୀ ମାନେ ନାପସନ୍ଦ କରିଛନ୍ତି। ଗହମ ଯୋଗୁ ଶିଶୁ,ବୃଦ୍ଧ, ବୃଦ୍ଧା ମାନେ ଉପକୃତ ହେଉଥିଲେ । ମଧୁମେହ (ଡାଇବେଟିସ) ରୋଗୀ ମାନେ ବିଶେଷ ଭାବେ ଉପକୃତ ହେଉଥିଲେ ।କେନ୍ଦ୍ର ସରକାର ଗହମ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିବାରୁ ଅଧିକାଂଶ ବୃଦ୍ଧ ବୃଦ୍ଧା,ଶିଶୁ ,ଗର୍ଭବତୀ ମହିଳା ଓ ମଧୁମେହ ରୋଗୀ ଏବେ ରାତିରେ ରୁଟି ବଦଳରେ ଭାତ ଖାଇବାକୁ ବାଧ୍ୟ ହେଉଛନ୍ତି । ବର୍ଷା ଦିନ ଚାଲି ଥିବାରୁ ରାତିରେ ଭାତ ଖାଇ ଲୋକଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଉପୂଜୁଛି । ପରିବା ବଜାର ରେ ନିଆଁ ଲାଗିଥିବା ବେଳେ ଡାଲି ଚାଉଳ ତେଲ ମସଲା ଦରବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି । ପେଟ୍ରୋଲ ,ଡିଜେଲ ୧୦୦ ପାର,ରନ୍ଧନ ଗ୍ୟାସ ୧୧୫୦ । ଦେଶ ସ୍ବାଧୀନ ହେବାର ୭୫ ବର୍ଷ ଭିତରେ କେବେ ବି ସରକାରୀ ଗହମ ,କିରୋସିନ ବନ୍ଦ ହୋଇନଥିଲା । ଯାହାକି ମୋଦି ସରକାର ଅମଳରେ ବନ୍ଦ ହୋଇଛି । ଏଭଳି ପରିସ୍ଥତିରେ କେନ୍ଦ୍ର ସରକାର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଗରିବ କଲ୍ୟାଣ ସମାବେଶ ର ଆୟୋଜନ କରି ବିଫଳତାକୁ ଘୋଡାଇବାକୁ ମିଛ ସଫଳତା ବର୍ଣ୍ଣନା କରୁଛନ୍ତି। ପ୍ରକୃତ ରେ ଏହା ଗରିବ କଲ୍ୟାଣ ସମାବେଶ ନା ଗରିବ ଙ୍କୁ ଉପହାସ ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛନ୍ତି । ତେବେ ପୁନର୍ବାର ଗହମ କେବେ ମିଳିବ ବୋଲି ଭୁବନ ବ୍ଲକ ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ସାରା ରାଜ୍ୟରେ ଏହି ସମ୍ମାନ ଅବସ୍ଥା ,ଆଲଟମେଣ୍ଟ ନାହିଁ , ତେଣୁ ଏ ସଂପର୍କ ରେ କିଛି କହି ହେବନି ବୋଲି କହିଥିଲେ । ଗରିବ ଲୋକଙ୍କ ସ୍ବାର୍ଥ ପାଇଁ ସରକାର ତୁରନ୍ତ ଗହମ ଯୋଗାଇ ଦେବାକୁ ହିତାଧିକାରୀ ଓ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି।

Leave A Reply

Your email address will not be published.

10 − seven =