ଶତାୟୁ,ବି.ବି.ହାଇସ୍କୁଲ ପ୍ରାକ୍ତନ ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୩ର ଭାର ଉତ୍ତୋଳନରେ ସ୍ଵର୍ଣ୍ଣପଦକ ହାସଲ !
ଢେଙ୍କାନାଳ : ନିକଟରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଚଳିତ ବର୍ଷର ପ୍ରାକ୍ତନ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. , ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଉତ୍ତରପ୍ରଦେଶ ଗ୍ରେଟର ନୋଇଡା ଠାରେ ଜୁଲାଇ ମାସ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା -୨୦୨୩ର ଭାରଉତ୍ତୋଳନରେ ବିରଳ ସ୍ଵର୍ଣ୍ଣ ପଦକ ହାସଲ କରି ଆମ ଦେଶ, ରାଜ୍ୟ, ଜିଲ୍ଲା ତଥା ଆମ ବିଦ୍ୟାଳୟ ପାଇଁ ଐତିହାସିକ ସ୍ୱର୍ଣିମ ଗୌରବ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୧୫ ଟି ଦେଶର ୧୫୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏହି ଅବସରରେ ଢେଙ୍କାନାଳରେ ବାଜିଚୌକ ଠାରୁ ତାଙ୍କୁ ବିପୁଳ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ପରିଶେଷରେ ବି.ବି. ହାଇସ୍କୁଲ୍ ରେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷାସେବା-୧(କନିଷ୍ଠ) ଓ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମାର୍ଗଦର୍ଶନ ତଥା ନେତୃତ୍ୱରେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ସଭ୍ୟବୃନ୍ଦ ଓ ପ୍ରିୟ ଛାତ୍ରୀ ଛାତ୍ର ମାନଙ୍କ ଉପସ୍ଥିତିରେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ, ପୁଷ୍ପବର୍ଷଣ ଓ ଜୟଜୟାକାର ସ୍ଲୋଗାନ୍ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ କରି ବିପୁଳ ବର୍ଣ୍ଣାଢ଼୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନ ପ୍ରତିଯୋଗିତାରେ ୭୩ କେଜି ବର୍ଗରେ ୟୁଥ୍ /ଯୁବ (୧୩ ରୁ ୧୮ ବର୍ଷ ବୟସ) ,ଜୁନିୟର/କନିଷ୍ଠ (୧୮ ରୁ ୨୧ବର୍ଷ ବୟସ) ଓ ସିନିୟର୍/ବରିଷ୍ଠ (୨୧ ବର୍ଷରୁ ଉର୍ଦ୍ଧ୍ବ ବୟସ) ବିଭାଗରେ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଗୋଟିଏ ସର୍ବମୋଟ୍ ତିନୋଟି ସ୍ଵର୍ଣ୍ଣ ପଦକ ସହ ପ୍ରଶଂସା ପତ୍ର ହାସଲ କରିଛନ୍ତି। ସେ ରାଜ୍ୟସ୍ତରରେ ସ୍ନାଚ୍ ରେ ୧୦୯ କିଲୋ ଓ କ୍ଲିନ୍ ଏଣ୍ଡ ଜରକ୍ ରେ ୧୩୯ କିଲୋ ସମୁଦାୟ ୨୪୮ କିଲୋ ଭାର ଉତ୍ତୋଳନ କରି ସାମଗ୍ରିକ ଭାବରେ ସମଗ୍ର ଓଡ଼ିଶାରେ ଚମ୍ପିୟାନ ହୋଇ ଏହି ବିରଳ ଗୌରବର ଅଧିକାରୀ ହୋଇ ପାରିଥିଲେ। ପ୍ରକାଶ ଥାଉକି ଢେଙ୍କାନାଳ ଭାପୁର ଟେଣୁଆ ଗ୍ରାମର ଅଧିବାସୀ ବର୍ତ୍ତମାନ ଢେଙ୍କାନାଳ କୁଣ୍ଟୁଣିଆ ନୂଆ ସାହିର ବାସିନ୍ଦା ତାଙ୍କର ପିତା ହରିହର ଦାସ ଜଣେ ଅଟୋଚାଳକ ଓ ମାତା ଗୋଲାପ ଦାସ ଜଣେ ଗୃହିଣୀ। ସେ ବର୍ତ୍ତମାନ ପର୍ଜଙ୍ଗ ସାଆନ୍ଦା କଲେଜର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ର। ସେ ତନଭିକ ଢେଙ୍କାନାଳ ଶାଖାରେ ତାଲିମ୍ ନେଇ ବର୍ତ୍ତମାନ ପତିଆଲାରେ ତିନିମାସ ତାଲିମ୍ ନେଇ ନିକଟରେ ଋଷ୍ ରେ ମଧ୍ୟ ତାଲିମ୍ ପାଇ ଭାର ଉତ୍ତୋଳନ କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି।
ଏହି ଉପଲକ୍ଷେ ବିଦ୍ୟାଳୟ ଶ୍ରେଣୀଗୃହରେ ଓ ପ୍ରାର୍ଥନା ସଭାରେ ବିଦ୍ୟାଳୟର ଛାତ୍ରୀ,ଛାତ୍ର ,ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମଚାରୀ ଵୃନ୍ଦଙ୍କ ଉପସ୍ଥିତିରେ ପୁନର୍ବାର କୃତୀ ଛାତ୍ର ହୃଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ଏହି ଶତାୟୁ ବିଦ୍ୟାଳୟର ସର୍ବପ୍ରଥମ ଏହି ବିରଳ ସ୍ୱର୍ଣିମ ଗୌରବ ଅର୍ଜନ କରିଥିବା ଆମ ପ୍ରାକ୍ତନ ଚଳିତ ବର୍ଷର ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ହୃଦାନନ୍ଦ ଦାସଙ୍କ ଏହି ସଫଳତା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ଆଗାମୀ ଦିନରେ ଏସିଆଡ୍ ଓ ଅଲମ୍ପିକ୍ସ ରେ ମଧ୍ୟ ସେ ଉନ୍ନତ ପ୍ରଦର୍ଶନ କରି ଏହି ସଫଳତାର ପୁନରାବୃତ୍ତି ଘଟାଇବାର ଦୃଢ଼ ଆଶା ପୋଷଣ କରିଥିଲେ।