ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ +୨ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ପ୍ରଗାଢ ଆତ୍ମବିଶ୍ୱାସ ହିଁ ପ୍ରତିଭାକୁ ବିକଶିତ କରିଥାଏ – ସାଂସଦ ମହେଶ ସାହୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ’ ବିଗତ ଚାରିବର୍ଷ ଧରି ଜିଲ୍ଲାର ବିଭିନ୍ନ ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ଗୁଡିକରେ କୃତିତ୍ୱ ହାସଲ କରିଥିବା କୃତୀମାନଙ୍କୁ ସମ୍ମାନିତ କରିଥାଏ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁରୂପ ଭାବେ ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷାରେ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ୍ ଠାରେ ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଢେଙ୍କାନାଳ ସାଂସଦ ମହେଶ ସାହୁ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀ ସମାଜରେ ଜଣେ ଭଲ ମଣିଷ ହେବା ପାଇଁ ନିଜ ଭିତରେ ପ୍ରଗାଢ ଆତ୍ମବିଶ୍ୱାସ, ଏକାଗ୍ରତା ଏବଂ ସାମାଜିକ ସଂସ୍କାର ରଖିବା ଦରକାର । ପିତାମାତାମାନେ ଯେଉଁ କଷ୍ଟ ସହି ନିଜ ସନ୍ତାନକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଆଶା ରଖିଥାନ୍ତି, ତାହାହିଁ ପୁରଣ ହୋଇଥାଏ । ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରଥମେ ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ଜୀବନର ଲକ୍ଷ୍ୟକୁ ପ୍ରାଧାନ୍ୟ ଦେବା ନିତ୍ୟାନ୍ତ ଆବଶ୍ୟକ । ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ପ୍ରଥମେ ପିତାମାତାଙ୍କୁ, ପ୍ରଥମ ଗୁରୁ, ପରେ ବିଦ୍ୟା ଗୁରୁ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଜଣାଇ ସୃଜନଶୀଳତା ହେଲେ ପ୍ରତ୍ୟେକ ଉଚ୍ଚାକାଂକ୍ଷାଗୁଡିକ ପୁରଣ ହୋଇପାରିବ । ଏକ ଉଦାହରଣ ଦେଇ ଶ୍ରୀ ସାମଲ ତାଙ୍କ ଭାଷଣରେ କହିଥିଲେ ଜଣେ ଗୁରୁଜନ ନିଜର ଦୁଇ ସନ୍ତାନକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ବିଦେଶ ପଠାଇଥିଲେ । ସେଠାରେ ସେମାନେ ଉଚ୍ଚଶିକ୍ଷା ପରେ ଆତ୍ମ ନିର୍ଭରଶୀଳ ମଧ୍ୟ ହୋଇଥିଲେ । କିନ୍ତୁ ନିଜ ଗାଁ ମାଟି ଏବଂ ପିତାମାତାଙ୍କୁ ଦେଖାଶୁଣା କରିବାକୁ ସମୟ ପାଇପାରିନଥିଲେ । ଯାହାଫଳରେ କି, ସଂପୃକ୍ତ ପିତାମାତା ଅନୁତାପ କରିଥିଲେ ଯେ, ନିଜ ସନ୍ତାନକୁ ଉଚ୍ଚଶିକ୍ଷା କରାଇ ନିଜ ଭିତରେ ସୀମିତ ରଖିଲେ ହିଁ ସାଂସାରିକ ସ୍ଥିତି ଫଳପ୍ରଦ ହୁଏ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟ ପୂରଣ କରିବାକୁ ହେଲେ ପ୍ରଥମେ ଶିକ୍ଷା ସହିତ ଚରିତ୍ରବାନ ହେବା ନିତ୍ୟାନ୍ତ ଆବଶ୍ୟକ । ଜିଲ୍ଲାପାଳ ସରୋଜ କୁମାର ସେଠୀ ତାଙ୍କ ଭାଷଣରେ ପ୍ରଗାଢ ଆତ୍ମ ବିଶ୍ୱାସ ହିଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଅଧିକମାତ୍ରାରେ ବିକଶିତ କରିଥାଏ । ସେଥିପାଇଁ ଛାତ୍ରଛାତ୍ରୀମାନେ ନିଜ ପିତାମାତାଙ୍କୁ ପ୍ରଥମ ଗୁରୁ ଭାବେ ମାନି ସମାଜରେ ପ୍ରଚଳିତ ସଂସ୍କାରକୁ ଆପଣାଇବା ଆବଶ୍ୟକ । ଏହା ବ୍ୟତୀତ ବଡମାନଙ୍କୁ ସମ୍ମାନ ଜଣାଇଲେ ଶିକ୍ଷାର ଉପଯୁକ୍ତ ମୂଲ୍ୟ ରହିଥାଏ । ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ଛାତ୍ରଛାତ୍ରୀମାନେ ପାଠପଢି ଭଲ ମଣିଷ ହେବାର ଆଶା ରଖିବା ଦରକାର । ଏଥିପାଇଁ ମନଲଗାଇ ପାଠ ପଢିଲେ ନିଜ ଜୀବନର ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ପହଁଚି ପାରିବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଗଁଦିଆ ପଂଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନର ଲକ୍ଷ୍ୟ ପୂରଣ କରିବା ପାଇଁ ମନଲଗାଇ ପାଠ ପଢିଲେ ଫଳପ୍ରଦ ହେବା ସହଜ ବୋଲି କହିଥିଲେ । ଅନୁଷ୍ଠାନର ଉପସଭାପତି କୋଦଣ୍ଡଧର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ କାର୍ତିକ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବକୁ ଅନୁଷ୍ଠାନର ସଂଯୋଜକ ସତ୍ୟନାରାୟଣ କର ସଂଯୋଜନା କରିଥିବାବେଳେ ଶେୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଲିଆକତ୍ ଅଲ୍ଲି ଖାଁ ସହଯୋଗ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ବରିଷ୍ଠ କାର୍ଯ୍ୟକର୍ତା ପ୍ରତାପ ଦାସ, ତିଳୋତମା ଚୌଧୁରୀ, ଆନନ୍ଦିତା ମିଶ୍ର, ସଂଧ୍ୟାରାଣୀ ନାୟକ, ସଦାଶିବ ମହାପାତ୍ର, ଶ୍ୟାମସୁନ୍ଦର ସାହୁ, ପ୍ରଶାନ୍ତ ସାହୁ, ଦୁଷ୍ମନ୍ତ ମହାନ୍ତି, ବାବୁଲି ମହାରଣା, ଶେଖର ସେଠୀ, ମହେନ୍ଦ୍ର ସାହୁ, ସୁମିତ୍ରା ସ୍ୱାଇଁ, ସ୍ନିଗ୍ଧା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଭାପତି ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

twelve + eighteen =