ଭୁବନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ !

ଢ଼େଙ୍କାନାଳ: ଭୁବନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମନ୍ଦିର ଏପରି ଏକ ଅନୁଷ୍ଠାନ ଯେଉଁଠି ଶିକ୍ଷାଦାନ ସହିତ ଚରିତ୍ର ଗଠନ ଓ ସଂସ୍କାର ଉପରେ ଗୁରୁତ୍ବ ଦିଆଯାଇଥାଏ । ସେଥିପାଇଁ ସାରା ରାଜ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିଜର ସ୍ଵତନ୍ତ୍ର ସ୍ଥାନ ହାସଲ କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ବରିଷ୍ଠ କର୍ମକର୍ତ୍ତା ହେମନ୍ତ କୁମାର ଧର ଯୋଗଦେଇ ସମାଜ ଗଠନରେ ଛାତ୍ର ଛାତ୍ରୀ,ଅଭିଭାବକ,ଗୁରୁଜୀ,ଗୁରୁମା ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଆର୍ଯ୍ୟକବି,ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଯୋଗଦେଇଥିଲେ । ବିଦ୍ୟାଳୟ ସମ୍ପାଦକ ଜଗବନ୍ଧୁ ବିହାରୀ ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ରୁଦ୍ର ମୋହନ ହୋତା ସଂପାଦକୀୟ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସମସ୍ତ ଗୁରୁଜୀ,ଗୁରୁମା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave A Reply

Your email address will not be published.

20 + eight =