ଢେଙ୍କାନାଳ : ଅପରାହ୍ନରେ ଓଡ଼ିଶା ରାଜ୍ୟର ୫ ଟି ସଚିବ ଭି. କେ. ପାଣ୍ଡିୟାନ ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିଦର୍ଶନ କରି ଅପୂର୍ବ ଆନନ୍ଦ ପ୍ରକାଶ କରିଛନ୍ତି । ତାଙ୍କ ସହିତ ଜିଲ୍ଲାପାଳ ସରୋଜ କୁମାର ସେଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ),ଉପନଗର ପାଳ ପ୍ରକାଶ କୁଅଁର ଜିଲ୍ଲାକ୍ରୀଡ଼ା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡ଼ା,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀବୃନ୍ଦ ତଥା ଛାତ୍ରୀ ଛାତ୍ରଙ୍କ ଗହଣରେ ବିଦ୍ୟାଳୟର ସମସ୍ତ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଦେଖି ଆନନ୍ଦ ପ୍ରକାଶ କରିଛନ୍ତି । ସ୍ୱୀୟ ବକ୍ତ୍ୟବ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟକୁ ଭଲ ପାଉଥିବା ସମସ୍ତଙ୍କର ସମ୍ମିଳିତ ଉଦ୍ୟମଦ୍ୱାରା ହିଁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରି ଛାତ୍ରୀ ଛାତ୍ର,ଶିକ୍ଷୟିତ୍ରୀ, ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ସହ ମତବିନିମୟ କରି କହିଥିଲେ ଯେ ବଦଳିଛି ବିଦ୍ୟାଳୟର ଚେହେରା । ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ । ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା । ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍ । ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି । ନିଶ୍ଚିତ ଭାବେ ଏହା ଦ୍ୱାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ । କେବଳ ଶ୍ରେଣୀ ବହି ପଢ଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ, ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ । ଏଥିସହ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍),ବିଜ୍ଞାନ ଷ୍ଟୋର,ବିଜ୍ଞାନ ଗ୍ୟାଲେରୀ,ଅଟଳ ଟିଙ୍କରିଂ ଲ୍ୟାବ,ଆଇ.ସି.ଟି. ଲ୍ୟାବରସୁବିଧା ସେମାନଙ୍କୁ ମିଳିପାରିଛି । ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ବା ସ୍ୱଚ୍ଛ ଶୌଚାଳୟ, ଚକମକିଆ ଓ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ସବୁଜ ବଗିଚା, ୱାଟର ଫାଉଣେଂଟନ, ବାଜିରାଉତ ପାର୍କ,ନ୍ୟୁଟ୍ରିସନ ବଗିଚା, ଔଷଧୀୟ ବଗିଚା,ମୁକ୍ତ ବନବିଦ୍ୟାଳୟର ପ୍ରାକୃତିକ ପରିବେଶ, ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍ ଓ ସମଗ୍ର ବିଦ୍ୟାଳୟ ପରିବେଶ ପାଲଟିଛି ଜ୍ଞାନର ଗନ୍ତାଘର ।ଏଥିପାଇଁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି । ସରକାର ନିଜସ୍ୱ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତନ । ଉଲ୍ଲେଖନୀୟ ଭାବେ ଏଥିରେ କେବଳ ସରକାର ଅଂଶୀଦାର ହୋଇ ନାହାନ୍ତି, ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି । ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର “୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି । ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ରୂପେ ଉଭା ହୋଇଛି ।ଏହି ବିଦ୍ୟାଳୟର ରୂପାନ୍ତରଣସବୁକୁ ବୁଲିଦେଖି ଓଡ଼ିଶା ରାଜ୍ୟର ୫ ଟି ସଚିବ ଭି. କେ. ପାଣ୍ଡିୟାନ ଆଶ୍ଚର୍ଯ୍ୟ ଅଭିଭୂତ ହେବା ସଂଗେ ସଂଗେ ଗଭୀର ଆନନ୍ଦ ପ୍ରକାଶ କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସମର ଶିକ୍ଷାର୍ଥୀ (ଜଳ, ସ୍ଥଳ, ଆକାଶ ଓ ବାଳିକା)ବାହିନୀ କ୍ୟାଡେଟ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ଫୁଲ ଓ ଚନ୍ଦନ ପ୍ରଦାନ ପ୍ରଦାନ ପୂର୍ବକ ୫ଟି ସଚିବଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ତାପରେ ପ୍ରଥମେ ପଂଚସଖା ମୁକ୍ତ ବନବିଦ୍ୟାଳୟରେ ଡ଼ା. ରବୀନ୍ଦ୍ର କୁମାର ସାହୁ, ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ମାର୍ଗଦର୍ଶନ ରେ ନୈତିକ ଶିକ୍ଷା କାର୍ଯ୍ୟକ୍ରମରେ, ସ୍ମାର୍ଟ୍ ଶ୍ରେଣୀ ଗୃହରେ ବରିଷ୍ଠ ବିଜ୍ଞାନ ଓ ଗଣିତ ଶିକ୍ଷକ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଇଣଂଟର ଆକ୍ଟିଭ୍ ପ୍ୟାନେଲ୍ ଦ୍ୱାରା ଆକର୍ଷଣୀୟ ସ୍ଥାନାଙ୍କ ଜ୍ୟାମିତି ଶିକ୍ଷାଦାନ, ଆଇ ସିଟି ଲ୍ୟାବ୍ ରେ ଶୁଭଶ୍ରୀ ଦେବସ୍ମିତା ରାଉତଙ୍କ ମାର୍ଗଦର୍ଶନରେ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷାଦାନ , ଇ – ଲାଇବ୍ରେରୀ ରେ ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥୀଙ୍କ ବଳିଷ୍ଠ ମାର୍ଗଦର୍ଶନରେ କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ପ୍ରକାର ଇ – ପୁସ୍ତକ ମାଧ୍ୟମରେ ଆନନ୍ଦଦାୟକ ଶିକ୍ଷାଦାନ ପରିଦର୍ଶନ କରି ପ୍ରତ୍ୟେକ କ୍ଷେତ୍ରରେ ଛାତ୍ରୀ ଛାତ୍ର ମାନଙ୍କ ସହିତ ମତବିନିମୟକରି ଗଭୀର ଆନନ୍ଦ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରୀ ଛାତ୍ର ଓ ଶିକ୍ଷୟିତ୍ରୀ , ଶିକ୍ଷକ ମାନଙ୍କ ସହିତ ସାମୁହିକ ଫଟୋ ଉତୋଳନ ଓ କରମର୍ଦ୍ଦନ କରି ବିଦ୍ୟାଳୟରୁ ବିଦାୟ ନେଇଥିଲେ ।
Prev Post