ପରଜଙ୍ଗ ଓ କଙ୍କଡାହାଡରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ୍ ସ୍ଥାପନ ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ ଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !
– ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକ୍ରେ ୨୨୦/୩୩ କେଭି ଗ୍ରୀଡ୍ ଷ୍ଟେସନ୍ ପ୍ରତିଷ୍ଠା କରିବା ଉପରେ ବିଚାର କରାଯାଉ ।
– ଏହି ବ୍ଲକ୍ରେ ବସବାସ କରୁଥିବା ଲୋକମାନେ କେବଳ ତାଳଚେରର ଚାଇଁପାଳ ଗ୍ରୀଡ୍ ଉପରେ ନିର୍ଭର କରୁଥିବାରୁ ବିଦ୍ୟୁତ୍ କାଟ୍ର ସମ୍ମୁଖୀନ ହେଉଛନ୍ତି ।
– ଚାଇଁପାଳରୁ ପରଜଙ୍ଗ-କଙ୍ଗଡାହାଡ ୩୩ କେଭି ସପ୍ଲାଏରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି ।
– ବିଦ୍ୟୁତ୍ କାଟ୍ କାରଣରୁ ଲୋକମାନଙ୍କର ଦୈନନ୍ଦିନ ଓ ଶିକ୍ଷା କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି ।
– ପରଜଙ୍ଗରେ ଗ୍ରୀଡ୍ ସବ୍ଷ୍ଟେସନ ପାଇଁ ଜାନୁଆରୀ ୧୦,୨୦୨୦ରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟିରେ ଗ୍ରୀଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇସାରିଛି ।
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକ୍ରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ୍ ସ୍ଥାପନ କରିବାକୁ ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପରଜଙ୍ଗ ବ୍ଲକ୍ରେ ପ୍ରାୟ ୨ଲକ୍ଷ ଏବଂ କଙ୍କଡାହାଡ ବ୍ଲକ୍ରେ ପ୍ରାୟ୧ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଛନ୍ତି । ଉଭୟ ଅଂଚଳର ନାଗରିକମାନେ ବିଦ୍ୟୁତ୍ ପାଇଁ ତାଳଚେର ଠାରେ ଥବା ଚାଇଁପାଳ ଗ୍ରୀଡ୍ ଉପରେ ନିର୍ଭର କରୁଛନ୍ତି । ମାତ୍ର ଓଭର ଲୋଡିଂ କାରଣରୁ ଲୋକମାନେ ବିଦ୍ୟୁତ୍ କାଟର ସମ୍ମୁଖୀନ ହେଉଛନ୍ତି । ଫଳରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଶିକ୍ଷା ସମେତ ଅନ୍ୟାନ୍ୟ କାମରେ ବ୍ୟାଘାତ ସୃଷ୍ଟି ହେଉଛି । ଚାଇଁପାଳରୁ ପରଜଙ୍ଗ ଏବଂ କଙ୍କଡାହାଡ ୩୩ କେଭି ସପ୍ଲାଏରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଉଛି । ଏହି କାରଣରୁ ଉପଭୋକ୍ତାଙ୍କୁ ନିରନ୍ତର ବିଜୁଳି ମିଳିପାରୁନାହିଁ । ତେଣୁ ନିରନ୍ତର ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ତଥା ଉଭୟ ଅଂଚଳରେ ୨୨୦/୩୩ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ପ୍ରତିଷ୍ଠା କରିବା ଉପରେ ବିଚାର କରିବା ପାଇଁ ଶ୍ରୀ ପ୍ରଧାନ ଶକ୍ତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପରଜଙ୍ଗରେ ଗ୍ରୀଡ୍ ସବ୍ଷ୍ଟେସନ୍ ପାଁ ୨୦୨୦ ମସିହା ଜାନୁଆରୀ ୧୦ ତାରିଖରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟିରେ ଗ୍ରୀଡ୍ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇସାରିଛି । ପରଜଙ୍ଗ ଏବଂ କଙ୍କଡାହାଡରେ ପୃଥକ ପୃଥକ ୨୨୦/୩୩ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ପ୍ରତିଷ୍ଠା କରାଗଲେ ଉଭୟ ଅଂଚଳର ଲୋକଙ୍କୁ ନିରନ୍ତର ବିଦ୍ୟୁତ୍ ସେବା ମିଳିପାରିବ । ପରଜଙ୍ଗ ତଥା କଙ୍କଡାହାଡ ବ୍ଲକ୍ର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।