୫-ଟି ସଚିବ ପାଣ୍ଡିଆନ୍‌ଙ୍କ ଢେଙ୍କାନାଳ ଗସ୍ତକୁ ବିରୋଧ କରିବ ବିଜେପି !

ଢେଙ୍କାନାଳ : ରାଜ୍ୟ ସରକାରଙ୍କ କନିଷ୍ଠ ସଚିବ ପାଣ୍ଡିଆନ୍‌ଙ୍କ ଢେଙ୍କାନାଳ ଗସ୍ତକୁ ଢେଙ୍କାନାଳ ବିଜେପି ପ୍ରତିବାଦ କରିବା ପାଇଁ ନିଷ୍ପତି ନେଇଛି । ତାଙ୍କର ଗସ୍ତ ଅଗଣତାନ୍ତ୍ରିକ । ଏହି ଗସ୍ତ ପାଇଁ ସରକାର ଜନସାଧାରଣଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜଣେ ସଚିବ ହୋଇ ପ୍ରତ୍ୟେକ ଜାଗାକୁ ହେଲିକ୍ୟାପ୍‌ଟରରେ ଗସ୍ତ କରୁଛନ୍ତି, ସେଥିପାଇଁ ଢେଙ୍କାନାଳରେ ୧୦ଟି ଜାଗାରେ ହେଲି ପ୍ୟାଡ୍ ତିଆରି ହୋଇଛି ଓ ସରକାରଙ୍କ ରାଜକୋଷରୁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ଅଛି । ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପ, ଉନ୍ନୟନ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ୟାକେଜ୍ ଯାହାକି ତାଙ୍କର କ୍ଷମତାର ପରିସର ଭୁକ୍ତ ନୁହେଁ ଅଗଣତାନ୍ତ୍ରିକ ଭାବେ ଘୋଷଣା କରି ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶୃତି ଦେଇଚାଲିଛନ୍ତି । ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରିନ୍‌ସିପାଲ୍ ଓ ପ୍ରଧାନଶିକ୍ଷକମାନଙ୍କୁ ଡକାଇ କୋମଳମତି ଛାତ୍ରଛାତ୍ରୀଙ୍କୁ ତାଙ୍କର କାର୍ଯ୍ୟକ୍ରମରେ ସାମିଲ୍ କରି ରାଜନୀତିକରଣ କରିବା ପାଇଁ ବ୍ୟବସ୍ଥା ହୋଇଛି । ବର୍ତମାନ କୌଣସି ପ୍ରାକୃତିକ ବିପର୍ଯ୍ୟୟ ନଥିବା ସତ୍ୱେ ମାସର ଦ୍ୱିତୀୟ ଶନିବାର ଓ ରବିବାର ଛୁଟିକୁ ବାତିଲ୍ କରି ସରକାରୀ କର୍ମଚାରୀମାନଙ୍କୁ ନିଜର ଗସ୍ତ କାର୍ଯ୍ୟକ୍ରମରେ ନିୟୋଜନ କରାଯାଉଛି । ଜନପ୍ରତିନିଧି ସାଂସଦ, ବିଧାୟକ ନିଜର କର୍ତବ୍ୟ ଓ ପଦବୀର ଗାରିମା ଭୁଲି ଜନସାଧାରଣଙ୍କ ସେବା କରିବା ପରିବର୍ତେ ଜଣେ କନିଷ୍ଠ ସଚିବଙ୍କ ସେବା ଓ ମିଟିଙ୍ଗ୍ ଆୟୋଜନ ପାଇଁ ବ୍ୟସ୍ତ ରହୁଛନ୍ତି । ଯାହାକି ଦଳ ତରଫରୁ ଘୋର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀ କରି ଚଂଚକତା ସହ ପାଣ୍ଡିଆନ୍ ଏଭଳି ଅଗଣତାନ୍ତ୍ରିକ କାମ କରିଚାଲିଛନ୍ତି ବୋଲି ଦଳ ଓ ଜନସାଧାରଣ ତରଫରୁ ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲାର ଚାରୋଟିଯାକ ବିଧାନସଭା କ୍ଷେତ୍ରରେ ପାଣ୍ଡିଆନ୍‌ଙ୍କର ଅଗଣତାନ୍ତ୍ରିକ ଢେଙ୍କାନାଳ ଦୁଇ ଦିନିଆ ଗସ୍ତକୁ ଶାନ୍ତି ଶୃଙ୍ଖଳା ଭାବେ ଗଣଧାରଣା ଦେଇ ପ୍ରତିବାଦ କରାଯିବ ବୋଲି ନିଷ୍ପତି ନିଆଯାଇଅଛି । ଏହି ବୈଠକରେ ଢେଙ୍କାନାଳ ଲୋକସଭା ପ୍ରଭାରୀ ସୀମାଂଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘନ ଜେନା, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଲୋକସଭା ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରାସବିହାରୀ ବେହେରା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ପବିତ୍ର ବିଶ୍ୱାଳ, ମାତୃପ୍ରସାଦ ନନ୍ଦ, କୋଷାଧ୍ୟକ୍ଷ ସଞ୍ଜୀବ ମହାପାତ୍ର, ପରଜଙ୍ଗ ବ୍ଲକ୍ ଉପାଧ୍ୟକ୍ଷା ଯଶସ୍ୱିନୀ ରାଉତଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen − nine =