ନଗରପାଳଙ୍କ ଘରକୁ ବୋମା ମାଡ ଘଟଣାରେ ଭାଜପାର ୪ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟିଲେ : ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କଲା ପୋଲିସ !

ଢେଙ୍କାନାଳ: ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ବାସ ଭବନ ଉପରେ ଫାଙ୍କା ଗୁଳିଚାଳନା ଓ ବୋମା ମାଡ ଆଦି ବାରମ୍ବାର ହମଲା ଘଟଣାକୁ ନେଇ ରାଜ୍ୟ ବିଜେପିର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ମାଧ୍ୟମରେ ବୋମା ମାଡ ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହ ବିଜେଡିର ଏତାଦୃଶ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ କହିଛନ୍ତି । ଏନେଇ ରାଜ୍ୟ ଭାଜପାର ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳୀ ଢେଙ୍କାନାଳରେ ପହଁଚି ଶ୍ରୀମତୀ ପାତ୍ରଙ୍କ ଘର ସମ୍ମୁଖରେ ହୋଇଥିବା ଘଟଣା ସ୍ଥଳ ପରିଦର୍ଶନ କରି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ।

ଏ ନେଇ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ବିଜେଡିର ଆତଙ୍କ ରାଜ ସମ୍ପର୍କରେ ଅବଗତ କରାଇବା ସହ ବିଜେପି ଲୋକମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ କହିଥିଲେ । ପ୍ରକାଶ ଥାଉକି ଗତ ୩୦ ତାରିଖ ଫାଙ୍କା ଗୁଳିକା୍‌ଣ୍ଡ ଓ ହତ୍ୟା ଧମକ ଘଟଣାରେ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଟାଉନ ପୋଲିସ ଗିରଫ କରିଥିଲା ।

ଏହି ଘଟଣାରେ ଟାଉନ ପୋଲିସ ମୁଖ୍ୟ ଅଭିଯୁକ୍ତ ମାନଙକୁ ଗିରଫ କରିବାର ବିଫଳ ନେଇ ୯ ତାରିଖ ବିଳମ୍ବିତ ରାତିରେ ପୌରାଧ୍ୟକ୍ଷାଙ୍କ ଘର ଉପରେ ପୁଣି ବୋମା ମାଡ କରିଥିଲେ ଫେରାର ଥିବା ଦୁର୍ବୃତ ମାନେ । ତେବେ ଉଭୟ ଘଟଣାରେ ସାମିଲ ଥିବା ଢେଙ୍କାନାଳ ସହରର ବାଜିଚୌକ ଅଞ୍ଚଳର ପାଣ୍ଡେ ଓରଫ ବିଶ୍ୱଜିତ ବେହେରା ଓ ଟୁଟୁ ସାହୁଙ୍କୁ ଗଁଦିଆ ଥାନା ଅନ୍ତର୍ଗତ ଆରଦା ଗ୍ରାମରୁ ଟାଉନ ପୋଲିସ ବିଳମ୍ବିତ ରାତ୍ରୀରେ ଗିରଫ କରିଛି ।

ମାତ୍ର ଏହି ବୋମାମାଡ ଘଟଣାରେ ୬ ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଉଭୟ ଘଟଣାର ପ୍ରମୁଖ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି । ତେବେ ଜଣେ ପୌରଅଧ୍ୟକ୍ଷାଙ୍କ ଘର ଉପରେ ଏପରି ବାରମ୍ବାର ଆକ୍ରମଣ ପ୍ରସଙ୍ଗରେ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଅପରାହ୍ନରେ ଢେଙ୍କାନାଳ ରାଜ୍ୟ ବିଜେପିର ଏକ ୪ ଜଣିଆ ପ୍ରତିନିଧି ଦଳ ଢେଙ୍କାନାଳ ଗସ୍ତ କରିଛନ୍ତି ।

ଏହି ରାଜ୍ୟ ବିଜେପି ପ୍ରତିନିଧି ଦଳରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହପାତ୍ର, ଡଃ.ମୁକେଶ ମହଲିଙ୍ଗ, ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡା ଓ ଅନିତା ଶୁଭଦର୍ଶିନୀ ପ୍ରମୁଖ ସାମିଲ ଥିଲେ । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବିଜେପି ଦଳୀୟ ନବ ନିର୍ବାଚିତ ପୌର ଅଧ୍ୟକ୍ଷାଙ୍କ ସିମିଳିଆ ସ୍ଥିତ ବାସଭବନ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଓ ତାଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେବା ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।

ପରେ ପରେ ଢେଙ୍କାନାଳ ଜିଲ୍ଲାପାଳ ସାକ୍ଷାତ କରି ଏହି ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଓ ପୌରାଧ୍ୟକ୍ଷା ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ଦାବୀ କରିଛନ୍ତି । ତେବେ ଆଗାମୀ ସମୟରେ ଏହି ଘଟଣା ଆଗତ କରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ସରକାରଙ୍କୁ ଘେରିବ ବୋଲି ବିଜେପି ପ୍ରତିନିଧି ଦଳ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ।

Leave A Reply

Your email address will not be published.

1 × four =